ଅଲିମ୍ପିକ୍ ପଦକ ବିଜେତାଙ୍କୁ ଭାରତରେ ଭବ୍ୟ ସ୍ୱାଗତ | News Room Odisha

ଅଲିମ୍ପିକ୍ ପଦକ ବିଜେତାଙ୍କୁ ଭାରତରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ପଦକ ବିଜେତା ଆଜି ସ୍ୱଦେଶ ଫେରିଛନ୍ତି । ନୀରଜ ଚୋପ୍ରା, ରବି ଦହିଆ, ବଜରଙ୍ଗ ପୁନିଆ, ଲଭ୍‌ଲିନା ବୋରଗୋହେନ୍ ଏବଂ ପୁରୁଷ ହକି ଦଳ ଆଜି ଟୋକିଓରୁ ଫେରିବା ପରେ ବିମାନ ବନ୍ଦରରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବାଜା ବାଜଣା ସହ ସେମାନଙ୍କୁ ସ୍ୱାଗତ କରାଯାଇଛି ।

ଅଲିମ୍ପିକ୍ସର ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ କ୍ରୀଡ଼ାର ନୂଆ ପୋଷ୍ଟର ବୟ ସାଜିଥିବା ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ବିମାନ ବନ୍ଦର ବାହାରକୁ ଆସିବା କ୍ଷଣି ତାଙ୍କ ସହ ସେଲ୍‌ଫି ନେବାକୁ ଭିଡ଼ ଜମିଥିଲା । ନୀରଜଙ୍କ ସମେତ ଲଭ୍‌ଲିନା ବୋରଗୋହେନ୍‌, ବଜରଙ୍ଗ ପୁନିଆ, ରବି ଦହିଆ ଏବଂ ଦୀପକ ପୁନିଆ ମଧ୍ୟ ଟୋକିଓରୁ ସିଧା ଦିଲ୍ଲୀରେ ପହଞ୍ଚିଥିଲେ । ସେହିପରି ପୁରୁଷ ଓ ମହିଳା ହକି ଦଳକୁ ମଧ୍ୟ ବାଜା ବଜାଇ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା । ମହିଳା ହକି ଦଳ ଓ ଦୀପକ ବ୍ରୋଞ୍ଜ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ନିଜ ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଥିଲେ ।

ଅଲିମ୍ପିକ୍ ଷ୍ଟାର ମାନଙ୍କୁ ସ୍ୱାଗତ କରିବାକୁ ଦିଲ୍ଲୀ ଏୟାରପୋର୍ଟରେ ବହୁ ସଂଖ୍ୟକ ପ୍ରଶଂସକ ଅପେକ୍ଷା କରିଥିଲେ । ସେମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବ୍ୟଗ୍ରତାର ସହ ଅପେକ୍ଷା କରିଥିଲେ । ମଝି ମଝିରେ ସେମାନେ ଢ଼ୋଲ ବାଜା ସହ ‘ଭାରତ ମାତା କି ଜୟ’ ସ୍ଲୋଗାନ ମଧ୍ୟ ଦେଉଥିଲେ ।
ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ନେଇ ଫ୍ଲାଇଟ୍ ପହଞ୍ଚିବା ଖବର ପାଇବା ପରେ ସେମାନଙ୍କ ଏକ ଝଲକ ପାଇବା ପାଇଁ ଉପସ୍ଥିତ ପ୍ରଶଂସକ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ବ୍ୟାକୁଳ ହୋଇଥିଲେ । ତେବେ ସୁରକ୍ଷା ଅଧିକାରୀ ଅଲିମ୍ପିକ୍ସ ଷ୍ଟାରଙ୍କୁ ରେଗୁଲାର ଗେଟ୍ ବଦଳରେ ଭିଆଇପି ଗେଟ୍ ଦେଇ ବାହାରକୁ ଆଣିଥିଲେ । ଫଳରେ ପ୍ରଶଂସକ ଓ ସାମ୍ବାଦିକଙ୍କୁ ନିରାଶ ହେବାକୁ ପଡିଥିଲା ।
ବିମାନ ବନ୍ଦରରୁ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଅଶୋକ ହୋଟେଲକୁ ନିଆଯାଇଥିଲା । ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ସରକାରଙ୍କ ତରଫରୁ ସବୁ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର, ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଏବଂ ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କ ସମେତ ବହୁ ଭିଆଇପି ଉପସ୍ଥିତ ଥିଲେ । ସମସ୍ତଙ୍କ ନଜର ନୀରଜ ଚୋପ୍ରାଙ୍କ ଉପରେ ଥିଲା । ନୀରଜ ଏହି ଅବସରରେ କହିଥିଲେ – ସେ ଯେଉଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ତାହା ତାଙ୍କର ନୁହେଁ ବରଂ ପୂରା ଦେଶର । ସ୍ୱର୍ଣ୍ଣ ଜିତିବା ପରଠୁ ନା ମୁଁ ସେ ଖାଇ ପାରୁଛନ୍ତି ନା ଶୋଇ ପାରୁଛନ୍ତି । ଏବେ ବି ସେ ତାଙ୍କର ଏହି ଐତିହାସିକ ସଫଳତାକୁ ବିଶ୍ୱାସ କରିପାରୁ ନାହାନ୍ତି । ସମର୍ଥନ ଓ ଶୁଭେଚ୍ଛା ପାଇଁ ନୀରଜ ସବୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରବିବାର ଉଦ୍‌ଯାପିତ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତ ଗୋଟିଏ ସ୍ୱର୍ଣ୍ଣ ସମେତ ମୋଟ ୭ଟି ପଦକ ସହ ୪୮ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଅଲିମ୍ପିକ୍ସରେ ଭାରତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏଥିସହ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସକୁ ଟପିଥିଲା । ଲଣ୍ଡନ ଅଲିମ୍ପିକ୍ସରେ ଭାରତ ୬ଟି ପଦକ ହାସଲ କରିଥିଲା । ଟୋକିଓ ଅଲିମ୍ପିକ୍ସରେ ନୀରଜ ପ୍ରଥମ ଭାରତୀୟ ଭାବେ ଆଥଲେଟିକ୍ସରେ ସ୍ୱର୍ଣ୍ଣ ଜିତିଥିବା ବେଳେ ମୀରବାଇ ଚାନୁ (ଭାରୋତ୍ତୋଳନ)ଓ ରବି ଦହିଆ (କୁସ୍ତି) ରୌପ୍ୟ ପଦକ ହାସଲ କରିଥିଲେ । ବକ୍ସର ଲଭଲିନା ବୋରଗୋହେନ୍‌ଙ୍କ ସହ ରେସଲର ବଜରଙ୍ଗ ପୁନିଆ, ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ଜିତିଥିଲେ ।