ପୁରୀ : ଓଡ଼ିଶାର ଏକ ଗଣପର୍ବ ଭାବରେ ପାଳିତ ହୋଇଥାଏ ଚିତାଲାଗି ଅମାବାସ୍ୟା। ଏହି ତିଥିକୁ ଅନେକ ଚିତଉ ଉଆଁସ ମଧ୍ୟ କହିଥାନ୍ତି। ଓଡ଼ିଶାରେ ପାଳିତ ହେଉଥିବା ସମସ୍ତ ଗଣପର୍ଵ ଶ୍ରୀଜଗନ୍ନାଥ ସଂକୃତିକୁ ନେଇ ପୃଷ୍ଠ। ଏହିଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ସମ୍ପାଦିତ ହୋଇଥାଏ। ତାହା ହେଉଛି ଶ୍ରୀଜୀଉ ମାନଙ୍କ ସୁବର୍ଣ୍ଣ ଚିତାଲାଗି। ବର୍ଷ ସାରା ଶ୍ରୀଜୀଉମାନେ ମସ୍ତକରେ ଯେଉଁ ସୁବର୍ଣ୍ଣ ଚିତା ଓ ରାହୁରେଖା ଧାରଣ କରିଥାନ୍ତି, ସେହିସବୁ ଆଭୂଷଣକୁ ସ୍ନାନପୂର୍ଣ୍ଣିମାର ପୂର୍ବଦିନ ଶ୍ରୀଅଙ୍ଗରୁ ଓଲାଗି କରିଦିଆ ଯାଇଥାଏ। ଏହି ଚିତାଲାଗି ଅମାବାସ୍ୟାରେ ସେହି ସୁବର୍ଣ୍ଣ ଚିତାକୁ ଆବଶ୍ୟକ ମରାମତି ପରେ ପୁନର୍ବାର ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗି କରାଯାଇଥାଏ।
ମହାପ୍ରଭୁଙ୍କ ସକାଳ ଧୂପ ଶେଷ ହେବାପରେ ଦଇତାପତି ସେବକମାନେ ଭଣ୍ଡାର ଘରୁ ଭଣ୍ଡାର ମେକାପ ଦେଇଥିବା ସୁବର୍ଣ୍ଣ ଚିତାକୁ ତିନି ବାଡ଼ର ବାଡ଼ଗ୍ରାହୀ ମାନେ ଲାଗି କରିଥାନ୍ତି। ଶ୍ରୀବଳଭଦ୍ରଙ୍କ ମସ୍ତକରେ ନିଳରତ୍ନ ଖଚିତ ନିଳଚିତା, ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟ ରତ୍ନ ଖଚିତ ନାଲି ଚିତ, ଶ୍ରୀଜଗନ୍ନାଥ ମସ୍ତକରେ ହୀରା ରତ୍ନ ଖଚିତ ଧଳା ଚିତା ଲାଗି କରାଯାଏ। ପରମ୍ପରା ଅନୁସାରେ ପତି ମହାପାତ୍ର ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ଏହା ଲାଗି କରାଇଥାନ୍ତି। ଏହିଦିନ ଶ୍ରୀଜୀଉ ମାନେ ଚିତା ଧାରଣ କରୁଥିବାରୁ ଏହାକୁ ଚିତାଲାଗି ଅମାବାସ୍ୟା କୁହାଯାଇଥାଏ। ଏହିପର୍ବ ସମ୍ଭବତଃ ୧୩ ଶତାବ୍ଦୀରୁ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇ ଆସୁଥିବା ଗବେଷକ ମନେ ମତରଖନ୍ତି।
ଓଡ଼ିଆ ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ସାଧାରଣତଃ ଗୃହିଣୀ ମାନେ ଏହିଦିନ ଘରେ ଚିତଉ ଓ ଗଇଁଠା ପିଠା କରି ଗେଣ୍ଡା ଆଦି ଜଳଚର ପ୍ରାଣୀ ମାନଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଥାନ୍ତି। ଏହାଦ୍ୱାରା କ୍ଷେତ ବିଲରେ ବାସ କରୁଥିବା ଏହି ଜୀବଜନ୍ତୁ ମାନେ ସନ୍ତୁଷ୍ଟ ଲାଭ କରୁଥିବା ବିଶ୍ୱାସ ରହିଛି। ବିଶେଷ କରି ଉତ୍ତର ଓଡ଼ିଆରେ ଏହି ପର୍ବକୁ ‘ ଗେଣ୍ଡେଇକଟା ଓଷା ‘ ବୋଲି ମଧ୍ୟ କହିଥାନ୍ତି। ବାସ୍ତବରେ ଏହା ଶାବର ପରମ୍ପରାର ଏକ ପର୍ବ। ଆଦିବାସୀମାନେ ଜୀବଜନ୍ତୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏହିପର୍ବ ଅତି ଧୁମଧାମରେ ପାଳନ କରିଥାନ୍ତି।