ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍ | News Room Odisha

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସର୍ବଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ଗେମ୍ସରେ ଚମତ୍କାର ପ୍ରଦର୍ଶନ ପରେ ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳର ର଼୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଐତିହାସିକ ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିବାବେଳେ ମହିଳା ଦଳ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲେ। ଫଳସ୍ବରୂପ ପୁରୁଷ ହକି ଦଳ ନିଜର ଶ୍ରେଷ୍ଠ ମାନ୍ୟତା ହାସଲ କରିଛି । ପୁରୁଷ ହକି ଦଳ ବର୍ତ୍ତମାନ ବିଶ୍ଵ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ପହଞ୍ଚିଛି। ମହିଳା ହକି ଦଳ ମଧ୍ୟ ଉପରକୁ ଉଠିଛି । ମହିଳା ଦଳ ବିଶ୍ୱ ମାନ୍ୟତାରେ ୮ମ ସ୍ଥାନରେ ରହିଛି। ଉଭୟ ପୁରୁଷ ଓ ମହିଳା ହକି ଦଳର ଏହା ହେଉଛି ଶ୍ରେଷ୍ଠ ମାନ୍ୟତା ।

ବେଲଜିୟମ ଏବଂ ଅଷ୍ଟ୍ରେଲିଆ ପରେ ଅନ୍ତର୍ଜାତୀୟ ହକି ଫେଡେରେଶନ(ଏଫ୍ଆଇଏଚ୍)ର ବିଶ୍ୱ ମାନ୍ୟତାରେ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି। ୪୧ ବର୍ଷ ପଦକ ମରୁଡ଼ିର ଅନ୍ତ ଘଟାଇବା ପରେ ଭାରତୀୟ ଦଳ ତୃତୀୟ ସ୍ଥାନରେ ପହଞ୍ଚିଛି |

ଏହି କୀର୍ତ୍ତିମାନ ପୂର୍ବରୁ ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳର ସର୍ବୋଚ୍ଚ ମାନ୍ୟତା ଥିଲା ଚତୁର୍ଥ ସ୍ଥାନ। ମାର୍ଚ୍ଚ ୨୦୨୦ରେ ହକି ଦଳ ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ ୨୦୨୦ର ଦ୍ୱିତୀୟ ସିଜିନର ପ୍ରଥମ ତିନି ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ର଼୍ୟାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚିଥିଲା ​​|

ଅନ୍ୟପକ୍ଷରେ ଭାରତୀୟ ମହିଳା ଦଳର ଏହା ପୂର୍ବରୁ ସର୍ବୋଚ୍ଚ ବିଶ୍ୱ ମାନ୍ୟତା ଥିଲା ନବମ ସ୍ଥାନ। ୨୦୧୮ରେ ଲଣ୍ଡନରେ ଅନୁଷ୍ଠିତ ବିଶ୍ୱକପରେ ମହିଳା ହକି ଦଳ କ୍ୱାର୍ଟର ଫାଇନାଲରେ ପହଞ୍ଚି ବିଶ୍ଵ ମାନ୍ୟତାର ନବମ ସ୍ଥାନ ହାସଲ କରିଥିଲା | ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲରେ ପହଞ୍ଚିବା ପରେ ଭାରତୀୟ ଦଳ ଶୀର୍ଷ ମାନ୍ୟତା ପ୍ରାପ୍ତ ଏସୀୟ ଦଳ ହୋଇଥିଲା ଏବଂ ଜାକର୍ତ୍ତା ପାଲେମ୍ବାଙ୍ଗରେ ୨୦୧୯ ଏସିଆନ୍ ଗେମ୍ସରେ ରୌପ୍ୟ ପଦକ ଜିତିଥିଲା |

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଚମତ୍କାର ପ୍ରଦର୍ଶନ ପରେ ଉଭୟ ଦଳ ନିଜ ନିଜର ସର୍ବୋଚ୍ଚ ମାନ୍ୟତା ହାସଲ କରିଛନ୍ତି| ମନପ୍ରୀତ ଆଣ୍ଡ କୋ ଗ୍ରୁପ୍ ପର୍ଯ୍ୟାୟରେ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ଚାରିଟି ଜିତି ପୁଲ ଏରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲା । କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ପରାସ୍ତ କରିବା ପରେେ ସେମିରେ ବେଲଜିୟମ ଠାରୁ ୨-୫ରେ ପରାସ୍ତ ହୋଇଥିଲା । ଅବଶ୍ୟ ବ୍ରୋଞ୍ଜ ପଦକ ମୁକାବିଲାରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ଦଳ ୪୧ ବର୍ଷ ପରେ ପଦକ ଜିତି ସମଗ୍ର ଦେଶରେ ଖୁସିର ଲହରୀ ଖେଳାଇ ଦେଇଥିଲା ।

ଅନ୍ୟପକ୍ଷରେ ମହିଳା ଦଳ ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ତିନୋଟି ମ୍ୟାଚରେ ହାରିବା ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା । କ୍ବାର୍ଟର ଫାଇନାଲରେ ଦଳ ତିନି ଥରର ଚାମ୍ପିଅନ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା । ତେବେ ରାଣୀ ଆଣ୍ଡ କୋ ଯଥାକ୍ରମେ ଆର୍ଜେଣ୍ଟିନା ଏବଂ ଗ୍ରେଟ ବ୍ରିଟେନ ବିପକ୍ଷରେ ଉଭୟ ସେମିଫାଇନାଲ ଏବଂ ବ୍ରୋଞ୍ଜ ପଦକ ପ୍ଲେ ଅଫ୍ ମ୍ୟାଚ୍ ହାରି ଯାଇଥିଲେ। ତଥାପି ଲଢ଼ୁଆ ପ୍ରଦର୍ଶନ ସହ ମହିଳା ଦଳ ସମସ୍ତଙ୍କ ହୃଦୟ ଜିଣିଥିଲେ ।