ରାସ୍ତାକଡ଼ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୮ ମୃତ | News Room Odisha

ରାସ୍ତାକଡ଼ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍, ୮ ମୃତ

ଆମ୍ରେଲି: ଆଜି ସକାଳେ ଗୁଜୁରାଟର ଆମରେଲିରେ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ଉପରେ ଏକ ଟ୍ରକ ଚଢ଼ିଯିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନେକ ଆହତ ହୋଇଥିବା କୁହାଯାଉଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଆମରେଲିର ସାବାରକୁଣ୍ଡଲା ସ୍ଥିତ ବାଢଦା ଗ୍ରାମ ନିକଟରେ ଘଟିଛି। ଭୋର ପ୍ରାୟ ୩ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରାସ୍ତାକଡ଼ରେ କିଛି ଶ୍ରମିକ ଶୋଇଥିବା ବେଳେ ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢିଯାଇଥିଲା । ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ କାନ୍ଦ ବୋବାଳି ଶୁଣାଯିବାରୁ ସ୍ଥାନୀୟ ପୋଲିସ ଆସି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ରାଜ୍ୟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଟ୍ୱିଟ୍ କରି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ସହାୟତା ଯୋଗାଇବା ପାଇଁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଦୁର୍ଘଟଣାର ଶିକାର ପ୍ରତ୍ୟେକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।

ଟ୍ରକର ଡ୍ରାଇଭରକୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ଘଟଣା ବେଳେ ସେ ମଦ୍ୟପାନ କରି ଟ୍ରକ ଚଳାଉଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯାଉଛି।