ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ | News Room Odisha

ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ସତ୍ତ୍ୱ, ରଜ, ତମ ଏହି ତିନି ଗୁଣରୁ ହେଉଛନ୍ତି ପରଂବ୍ରହ୍ମ ପରମାତ୍ମା। ସେ ସର୍ଵ ବ୍ୟାପକ। ତାଙ୍କୁ ହିଁ ‘ବ୍ରଜ’ କୁହାଯାଏ । ପରଂବ୍ରହ୍ମ ସ୍ୱରୂପ ‘ବ୍ରଜଧାମ’ ଭଗବାନ ଶ୍ରୀକୃଷ୍ଣଙ୍କ ନିତ୍ୟ ନିବାସ ସ୍ଥଳି ଅଟେ। ମାୟିକ ବ୍ରହ୍ମାଣ୍ଡ ପରେ ରହିଛି ବିରଜା ମଣ୍ଡଳ ( କାରଣ ସମୁଦ୍ର), ବିରଜା ମଣ୍ଡଳ ପରେ ରହିଛି ପରବ୍ୟୋମ ବା ବୈକୁଣ୍ଠ। ଏହି ପରବ୍ୟୋମ ବା ବୈକୁଣ୍ଠର ଉପରି ଭାଗରେ ରହିଛି ଗୋଲୋକ ଧାମ। ଏହି ଗୋଲକ ହିଁ ହେଉଛି ବ୍ରଜ।

ବ୍ରଜଲୋକ, ଗୋଲକ, ଶ୍ୱେତଦ୍ବୀପ, ଏବଂ ବୃନ୍ଦାବନ, ଗୋକୁଳ – ଏହାସବୁ ବ୍ରଜମଣ୍ଡଳର ଭିନ୍ନ ଭିନ୍ନ ନାମ। ବୈକୁଣ୍ଠ ଉପରିସ୍ଥ ଏହି ବ୍ରଜଭୁମି ଭଗବଦ ଇଛା ରେ ଏହି ପ୍ରାପଞ୍ଚ ଜଗତରେ ପ୍ରକଟିତ ହୋଇଛନ୍ତି ମଥୁରା, ବୃନ୍ଦାବନ ନାମରେ।

ଅଖିଳ ବ୍ରହ୍ମାଣ୍ଡପତି ପରିପୂର୍ଣ୍ଣ ତମ ଭଗବାନ ଶ୍ରୀକୃଷ୍ଣ ଭୁଭାର ହରଣ କରିବା ପାଇଁ ଗୋଲକକୁ ଗମନ କରନ୍ତି। ଏହି ସମୟରେ ସେ ଶ୍ରୀରାଧା ରାଣୀଙ୍କୁ କହିଲେ – ପ୍ରିୟେ ! ତୁମେ ମଧ୍ୟ ଭୁତଲକୁ ଗମନ କର।

ଶ୍ରୀରାଧା ରାଣୀ କହିଲେ- ହେ ପ୍ରୀତମ ! ଯେଉଁ ସ୍ଥାନରେ ବୃନ୍ଦାବନ ନାହାନ୍ତି, ଯମୁନା ନଦୀ ନାହାନ୍ତି, ଗିରିଗୋବର୍ଧନ ନାହାନ୍ତି, ସେ ସ୍ଥାନକୁ ଯିବାକୁ ମୋର ମନ ପ୍ରସନ୍ନ ହୁଏ ନାହିଁ। ଶ୍ରୀରାଧା ରାଣୀଙ୍କ ଏହି ଉକ୍ତି ଶ୍ରବଣ କରି ଶ୍ରୀହରି ସ୍ୱୟଂ ନିଜ ଧାମରୁ ଚୌରାଶିକ୍ରୋଶ ଭୂମି, ଗୋବର୍ଦ୍ଧନ ଓ ଯମୁନା ନଦୀଙ୍କୁ ପୃଥିବୀ ପୃଷ୍ଠକୁ ପ୍ରେରଣ କଲେ। ଏହି ସମାଗତ ଚୌରାଶିକ୍ରୋଶ ବୃନ୍ଦାବନ ( ବ୍ରଜମଣ୍ଡଳ ) ହେଉଛି ଚତୁର୍ବିଂଶତି ୨୪ ଵନଯୁକ୍ତ ଓ ସର୍ଵଲୋକ ପୂଜିତ।