ପୁଣି ଆଇଆଇଏମ୍ ସମ୍ବଲପୁରକୁ ମାଗଣା ଜମି ଯୋଗାଇଲେ ରାଜ୍ୟ ସରକାର | News Room Odisha

ପୁଣି ଆଇଆଇଏମ୍ ସମ୍ବଲପୁରକୁ ମାଗଣା ଜମି ଯୋଗାଇଲେ ରାଜ୍ୟ ସରକାର

ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଜିଲ୍ଲା ବିଜେଡି

ସମ୍ବଲପୁର : ରାଜ୍ୟ ସରକାର ସବୁ ବେଳେ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶକୁ ଗୁରୁତ୍ଵ ଦେଇ ଆସିଛନ୍ତି । ବିଶେଷ କରି ଶିକ୍ଷାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନେଇ ଆସିଥିବା ବହୁ ବିଧି ପଦକ୍ଷେପ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଇ ଆସିଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ଆଇଆଇଏମ୍‌ ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଏବଂ ବର୍ତ୍ତମାନ ସୁଦ୍ଧା ଏହାର ବିକାଶ ଦିଗରେ ତାଙ୍କ ଭୂମିକା ପ୍ରଶଂସନୀୟ ରହି ଆସିଛି । ପୂର୍ବରୁ ଏହାର ବିଶାଳ ଭିତ୍ତିଭୂମି ପାଇଁ ୧୩୨ ଏକର ଜମି ଯୋଗାଇଥିବା ରାଜ୍ୟ ସରକାର ପୁଣି ଏହି ଅନୁଷ୍ଠାନ ପାଇଁ ୧୮.୩୨ ଏକର ଜମି ମାଗଣାରେ ଯୋଗାଇବାକୁ ଆଜି କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇଛନ୍ତି । ଏହାକୁ ଜିଲ୍ଲା ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମିଳନୀରେ ସ୍ବାଗତ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିପରି ଛାତ୍ର ବିଜେଡି ବିଭିନ୍ନ ଅନୁଷ୍ଠାନ ସମ୍ମୁଖରେ ଖୁସି ମନାଇଛି ।

ସ୍ଥାନୀୟ ହୋଟେଲ ଗ୍ରାଣ୍ଡ ଶିବାରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଆହ୍ବାନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ତଥା ରାଜ୍ୟ ସାଧାରଣ ସଂପାଦିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ , ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ , ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ ଏବଂ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଆନନ୍ଦ ଜେନା ପ୍ରମୁଖ ଯୋଗଦେଇଥିଲେ । ଆଇଆଇଏମ୍‌ ପ୍ରତିଷ୍ଠା ସମୟରେ କେନ୍ଦ୍ରର ସବୁ ଚକ୍ରାନ୍ତକୁ ମୁଖ୍ୟମନ୍ତ୍ରୀ ପଣ୍ଡ କରି ସମ୍ବଲପୁର ସପକ୍ଷରେ କେନ୍ଦ୍ରକୁ ସୁପାରିଶ କରିଥିଲେ । ଏପରିକି ମାଗଣାରେ ଜମି ଯୋଗାଇବାକୁ ବି ମୁଖ୍ୟମନ୍ତ୍ରୀ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ । ଆଉ ଆଇଆଇଏମ୍ ଘୋଷଣା ହେବା ମାତ୍ରେ ମାତ୍ର ଗୋଟିଏ ଦିନରେ ୧୩୨ ଏକର ଜମି ହସ୍ତାନ୍ତର କରାଯାଇଥିଲା । ଆଉ ବର୍ତ୍ତମାନ ପୁଣି ୧୮.୩୨ ଏକର ଜମିକୁ ମାଗଣାରେ ଦେବାକୁ ଆଜି ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳ ପ୍ରତି ତାଙ୍କ ଭଲ ପାଇବାର ନିଦର୍ଶନ ଦେଇଛନ୍ତି ବୋଲି ନେତାମାନେ ପ୍ରକାଶ କରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ଆଜି ଏହି ଅନୁଷ୍ଠାନ ଦେଶର ନୂଆ ପିଢିର ଆଇଆଇଏମ୍ ମଧ୍ୟରେ ଅଗ୍ରଣୀ ସ୍ଥାନ ରଖିବାରେ ସଫଳ ହୋଇଛି ବୋଲି ଡାକ୍ତର ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ସେପଟେ , ଏହି ଘୋଷଣା ପରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଅବସରରେ ଜିଏମ୍ ବିଶ୍ୱବିଦ୍ୟାଳୟ , ଆଇଆଇଏମ୍ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ସବୁ ମହଲରେ ସ୍ଵାଗତ କରାଯାଇଛି ।