କରୋନା ଅପଡେଟ୍: ପାଞ୍ଚ ମାସ ପରେ ସବୁଠୁ କମ୍ ମାମଲା, ଦିନକରେ ଆଉ ୨୮,୨୦୪ ସଂକ୍ରମିତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ପାଞ୍ଚ ମାସ ପରେ ସବୁଠୁ କମ୍ ମାମଲା, ଦିନକରେ ଆଉ ୨୮,୨୦୪ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନା ସଙ୍କଟର ଦ୍ୱିତୀୟ ଲହରୀର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ପ୍ରାୟ ପାଞ୍ଚ ମାସ ପରେ ଦେଶରେ ସବୁଠୁ କମ୍ ଦୈନିକ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଆଉ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ​​। ଏହାପୂର୍ବରୁ ମାର୍ଚ୍ଚ ୧୫ରେ ୨୪,୪୯୨ ମାମଲା ରେକର୍ଡ କରାଯାଇଥିଲା । ଦିନକରେ କରୋନାରୁ ଆଉ ୩୭୩ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୪୧,୫୧୧ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୧୩,୬୮୦ ସକ୍ରିୟ ମାମଲା ହ୍ରାସ ପାଇଛି।

ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ତିନି କୋଟି ୧୯ ଲକ୍ଷ ୯୮ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୨୭ ହଜାର ୮୬୨ ଜଣଙ୍କର ମୃତ୍ୟୁ ହୋଇଛି। କୋଭିଡ୍-୧୯ରୁ ଏପର୍ଯ୍ୟନ୍ତ ୩ କୋଟି ୧୧ ଲକ୍ଷ ୮୦ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ଚାରି ଲକ୍ଷରୁ କମ୍ ରହିଛି। ଏବେ ଭାରତରେ ୩ ଲକ୍ଷ ୮୮ ହଜାର କରୋନା ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଅଗଷ୍ଟ ୯ ପର୍ଯ୍ୟନ୍ତ ସାରା ଦେଶରେ ୫୧ କୋଟି ୪୫ ଲକ୍ଷ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୫୪.୯୧ ଲକ୍ଷ ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୪୮ କୋଟି ୩୨ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତକାଲି ପ୍ରାୟ ୧୫.୧୧ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୯୭.୪୦ ପ୍ରତିଶତ ରହିଛି। କରୋନା ସକ୍ରିୟ ମାମଲାରେ ଭାରତ ବର୍ତ୍ତମାନ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଦୃଷ୍ଟିରୁ ଭାରତ ଦଶମ ସ୍ଥାନରେ ରହିଛି। ଆମେରିକା ପରେ ବ୍ରାଜିଲରେ ଭାରତରେ ସର୍ବାଧିକ ମୃତ୍ୟୁ ଘଟିଛି।