ରାହୁଲଙ୍କ ପରେ କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟ୍ ବି ଲକ୍ | News Room Odisha

ରାହୁଲଙ୍କ ପରେ କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟ୍ ବି ଲକ୍

ନୂଆଦିଲ୍ଲୀ: ଟ୍ୱିଟର ଇଣ୍ଡିଆ ଏବେ କଂଗ୍ରେସ ଦଳର ଅଫିସିଆଲ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ଲକ୍ କରିଛି। କଂଗ୍ରେସ ଦଳ ନିଜେ ଏହି ଦାବି କରିଛି। ଟ୍ବିଟର କହିଛି ଯେ କଂଗ୍ରେସ ଟ୍ୱିଟରର ନିୟମ ଉଲ୍ଲଂଘନ କରିଛି ତେଣୁ ସେମାନଙ୍କ ଆକାଉଣ୍ଟକୁ ସାମୟିକ ଭାବେ ଲକ୍ କରାଯାଇଛି। ଏହାପୂର୍ବରୁ ବହୁ କଂଗ୍ରେସ ନେତାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ଚାରି ଦିନ ପୂର୍ବରୁ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ମଧ୍ୟ ଲକ୍ କରାଯାଇଥିଲା। ରାହୁଲଙ୍କ ଟ୍ୱିଟର ଆକାଉଣ୍ଟ ଏପର୍ଯ୍ୟନ୍ତ ଅନଲକ୍ ହୋଇନାହିଁ।

ବୁଧବାର ବିଳମ୍ବିତ ରାତିରେ କଂଗ୍ରେସ ଦାବି କରିଛି ଯେ ରଣଦୀପ ସୁରଜେୱାଲାଙ୍କ ସମେତ ପାଞ୍ଚ ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଜୟ ମାକେନ୍, ଲୋକସଭାରେ ଦଳର ମୁଖ୍ୟ ସଚେତକ ମଣିକମ ଟାଗୋର, ଆସାମ ଦାୟିତ୍ୱରେ ଥିବା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ସପ୍ତାହରେ ବଳାତ୍କାର ଓ ହତ୍ୟାର ଶିକାର ଏକ ନଅ ବର୍ଷର ଝିଅର ପରିବାରର ଫଟୋ ଟୁଇଟ୍ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ନାବାଳିକା ପୀଡିତାଙ୍କ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କଂଗ୍ରେସ ନେତାଙ୍କ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଟ୍ୱିଟରକୁ ନିର୍ଦ୍ଦେଶ ଦେଇଥିଲେ।