ଆରବିଆଇର ନୂଆ ଗାଇଡଲାଇନ୍, ଏଟିଏମ୍ ରେ ଟଙ୍କା ନଥିଲେ ବ୍ୟାଙ୍କ୍ ଉପରେ ଲାଗିବ ଜରିମାନା | News Room Odisha

ଆରବିଆଇର ନୂଆ ଗାଇଡଲାଇନ୍, ଏଟିଏମ୍ ରେ ଟଙ୍କା ନଥିଲେ ବ୍ୟାଙ୍କ୍ ଉପରେ ଲାଗିବ ଜରିମାନା

ନୂଆଦିଲ୍ଲୀ: ଯେତେବେଳେ ଆପଣ ଏଟିଏମକୁ ଟଙ୍କା ଉଠାଇବାକୁ ଯାଆନ୍ତି, ଅନେକ ଥର ‘ଆଉଟ୍ ଅଫ୍ କ୍ୟାଶ୍’ କିମ୍ବା କ୍ୟାଶ୍ ନଥିବା ଯୋଗୁଁ ଆପଣଙ୍କୁ ନିରାଶ ହେବାକୁ ପଡ଼ିଥାଏ । ଏଭଳି ସ୍ଥିତିରେ ଆପଣଙ୍କୁ ଗୋଟିଏ ଏଟିଏମରୁ ଆଉ ଏକ ଏଟିଏମକୁ ଯିବାକୁ ପଡ଼େ । ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ଦେଶର ସମସ୍ତ ବ୍ୟାଙ୍କର ଏଟିଏମ୍ ପାଇଁ ଏକ ନୂଆ ଗାଇଡଲାଇନ୍ ଜାରି କରିଛି। ଏହି ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ବ୍ୟାଙ୍କର ଗ୍ରାହକ ଏଟିଏମକୁ ଯାଆନ୍ତି ଏବଂ ସେହି ଏଟିଏମରେ କ୍ୟାଶ୍ ନାହିଁ, ତେବେ ସମ୍ପୃକ୍ତ ବ୍ୟାଙ୍କକୁ ଏହାର‌ ପରିଣାମ ଭୋଗିବାକୁ ପଡ଼ିବ।

ଏବେ ଯଦି କୌଣସି ଏଟିଏମରେ ଟଙ୍କା ନାହିଁ, ତେବେ ସେହି ଏଟିଏମର ବ୍ୟାଙ୍କକୁ ଜରିମାନା ହେବ। ଆରବିଆଇର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅକ୍ଟୋବର ୧, ୨୦୨୧ରୁ ଯଦି ଏକ ବ୍ୟାଙ୍କର ଏଟିଏମ୍ ଗୋଟିଏ ମାସରେ ୧୦ ଘଣ୍ଟାରୁ ଅଧିକ ସମୟ ‘ଆଉଟ୍ ଅଫ୍ କ୍ୟାଶ୍’ ରହେ, ତେବେ ସେହି ବ୍ୟାଙ୍କ ଉପରେ ଜରିମାନା ଲାଗିବା ଆରମ୍ଭ ହେବ ।

ଏ ବାବଦରେ ଆରବିଆଇ ଏକ ସର୍କୁଲାର ଜାରି କରିଛି। ଏହି ସର୍କୁଲାରରେ କୁହାଯାଇଛି ଯେ ଯଦି ଟଙ୍କା ଠିକ ସମୟରେ ଏଟିଏମରେ ଜମା ନହୁଏ ତେବେ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯିବ। ଏଟିଏମରେ ଟଙ୍କା ଭର୍ତ୍ତି କରିବା ନେଇ ସମ୍ପୃକ୍ତ ବ୍ୟାଙ୍କ ଗୁଡ଼ିକୁ ଉତ୍ତରଦାୟୀ କରିବା ଏବଂ ଏଥିରେ ଯେଭଳି କୌଣସି ଅବହେଳା ନ ହୁଏ ତାହା ନିଶ୍ଚିତ କରିବା ପାଇଁ ଆରବିଆଇ ଏହି କଠୋର ନିଷ୍ପତ୍ତି ନେଇଛି ।
ଆଉଟ୍ ଅଫ୍ କ୍ୟାଶ୍ ଯୋଗୁଁ ଏଟିଏମର ଡାଉନଟାଇମ୍ ସମୀକ୍ଷା କରିବା ପରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି।

ଆରବିଆଇ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଯଦି ଗୋଟିଏ ମାସରେ ୧୦ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ପାଇଁ ବ୍ୟାଙ୍କର ଏଟିଏମରେ କ୍ୟାଶ୍ ନ ରୁହେ, ତେବେ ସେ କ୍ଷେତ୍ରରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହାଛଡ଼ା ବ୍ୟାଙ୍କ ଏଟିଏମରେ ଟଙ୍କା ଭର୍ତ୍ତି କରିବା ପାଇଁ କୌଣସି କମ୍ପାନୀର ସହାୟତା ନେଲେ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କକୁ ହିଁ ନିଜେ ଜରିମାନା ଭରିବାକୁ ପଡିବ।