ନୂଆଦିଲ୍ଲୀ: ନିଜ ଟ୍ୱିଟର ଆକାଉଣ୍ଟ୍ ବ୍ଲକ୍ କରାଯିବା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ସୋସିଆଲ ମିଡ଼ିଆ କମ୍ପାନୀ ଉପରେ ବର୍ଷିଛନ୍ତି । ରାହୁଲ ୟୁଟ୍ୟୁବ୍ରେ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ମୋ’ ଟ୍ୱିଟର ଆକାଉଣ୍ଟ୍ ବନ୍ଦ କରି ଟ୍ୱିଟର ଭାରତୀୟ ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି । ଆମ ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଟ୍ୱିଟର ନିଜ ବ୍ୟବସାୟ ବଢ଼ାଉଛି । ଜଣେ ରାଜନେତା ଭାବେ ମୁଁ ଏହାକୁ ପସନ୍ଦ କରେ ନାହିଁ ।
ଏହି କଂଗ୍ରେସ ନେତା କହିଛନ୍ତି ଯେ ଏହା କେବଳ ମୋ ଉପରେ ନୁହେଁ ବରଂ ଦେଶର ଗଣତନ୍ତ୍ର ଉପରେ ଆକ୍ରମଣ । ମୋର ୧୯ରୁ ୨୦ ଲକ୍ଷ ଫଲୋୟର ଅଛନ୍ତି । ମୋ’ ଆକାଉଣ୍ଟ୍ ବ୍ଲକ୍ କରି ଟ୍ୱିଟର ସେମାନଙ୍କୁ ମୋର ମତାମତ ଜାଣିବା ଅଧିକାରରୁ ବଞ୍ଚିତ କରୁଛି । ମତ ପ୍ରକାଶ କରିବା ପାଇଁ ଟ୍ୱିଟର ଏକ ନିରପେକ୍ଷ ମଞ୍ଚ ବୋଲି ଧାରଣା ଭୁଲ୍ ବୋଲି କହିଛନ୍ତି ରାହୁଲ । ଟ୍ୱିଟର ଯାହା କରୁଛି ତାହା ବେଶ୍ ବିପଜ୍ଜନକ । ଏହା ଆମ ଗଣତନ୍ତ୍ର ଉପରେ ଆକ୍ରମଣ । ଟ୍ୱିଟର ଏବେ ପକ୍ଷପାତର ପ୍ଲାଟଫର୍ମରେ ପରିଣତ ହୋଇଛି ବୋଲି ରାହୁଲ କହିଛନ୍ତି ।
ଟ୍ୱିଟର ଗତ ଶନିବାର ଠାରୁ ରାହୁଲଙ୍କ ଆକାଉଣ୍ଟ୍ ବ୍ଲକ୍ କରିଛି । ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଦିଲ୍ଲୀର ଏକ ନାବାଳିକାର ବାପା-ମା’ଙ୍କ ଫଟୋ ରାହୁଲ ସେୟାର କରିଥିଲେ । ଏନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍ସିପିସିଆର୍) ଟ୍ୱିଟର ଓ ଦିଲ୍ଲୀ ପୋଲିସ୍ ନିକଟରେ ଅଭିଯୋଗ କରି ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାପରେ ଟ୍ୱିଟର ନିଜ ନୀତିର ଉଲ୍ଲଂଘନ ଦର୍ଶାଇ ରାହୁଲଙ୍କ ଆକାଉଣ୍ଟ୍କୁ ବ୍ଲକ୍ କରିଦେଇଥିଲା । ରାହୁଲଙ୍କ ସମେତ କଂଗ୍ରେସ ପାର୍ଟିର ଅଫିସିଆଲ ଆକାଉଣ୍ଟ୍କୁ ବି ଟ୍ୱିଟର ବ୍ଲକ୍ କରିଛି ।