ଶ୍ରୀକ୍ଷେତ୍ରର ଐତିହ୍ୟ : ସୁଗ୍ରୀବ ହନୁମାନ | News Room Odisha

ଶ୍ରୀକ୍ଷେତ୍ରର ଐତିହ୍ୟ : ସୁଗ୍ରୀବ ହନୁମାନ

ଶ୍ରୀକ୍ଷେତ୍ର ହେଉଛି ସର୍ଵ ଦେବାୟତନର ପାବନ ସଙ୍ଗମ ସ୍ଥଳ। ଏହି ପବିତ୍ର କ୍ଷେତ୍ରରେ ବିଭିନ୍ନ ଦେବା ଦେବୀ ଭିନ୍ନ ଭିନ୍ନ ନାମରେ ବିରାଜିତ। ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର କ୍ଷେତ୍ର ଶ୍ରୀକ୍ଷେତ୍ର। ସେହିପରି ଭକ୍ତଶ୍ରେଷ୍ଠ ଶ୍ରୀହନୁମାନ ଏହି କ୍ଷେତ୍ରରେ ବିଭିନ୍ନ ନାମରେ ଉପାସିତ। ସେଥି ମଧ୍ୟରୁ ଗୋଟିଏ ନାମ ହେଉଛି ସୁଗ୍ରୀବ ହନୁମାନ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ମଠର ଦୟଣା ଚୋରୀ ବଗିଚାରେ ଉପାସିତ ହେଉଛନ୍ତି ସୁଗ୍ରୀବ ହନୁମାନ। ଇନ୍ଦ୍ର ନୀଳମଣି ପୁରାଣ ଅନୁସାରେ ସ୍ୱୟଂ ଭଗବାନ ଭକ୍ତ ରାଜ ହନୁମାନଙ୍କୁ ବର ପ୍ରଦାନ କରି କହିଥିଲେ, ହେ କପିଶ୍ରେଷ୍ଠ ! କଳିଯୁଗରେ ତୁମେ ପାବନ ପୁରୁଷୋତ୍ତମ ଧାମରେ ମୋର ଅନ୍ତରଙ୍ଗ ଭକ୍ତ ଭାବରେ ବିଭିନ୍ନ ନାମରେ ତୁମେ ମୋର ସେବକ ରୂପରେ ମୋର ସେବା କରିବ। ଏହାସହ ତୁମେ ପ୍ରତିଗୃହରେ ଉପାସିତ ହେବା ସହ ପ୍ରତି ଧ୍ଵଜାରେ ତୁମ ଚିହ୍ନ ଅଙ୍କିତ ହେବ। ସେହି ନ୍ୟାୟରେ ଶ୍ରୀକ୍ଷେତ୍ରର ଚତୁର୍ଦ୍ଦିଗରେ ଭିନ୍ନ ଭିନ୍ନ ନାମରେ ବିରାଜମାନ କରିଛନ୍ତି ଶ୍ରୀହନୁମାନ।

ଶ୍ରୀକ୍ଷେତ୍ରର ମଠ ସଂସ୍କୃତିରେ ଆଜି ମଧ୍ୟ ପ୍ରାୟ ୬୧ଟି ମଠରେ ଶ୍ରୀହନୁମାନ ଉପାସନା ପ୍ରଚଳିତ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବା ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ବିରାଜିତ ହନୁମାନଙ୍କୁ ବଡ଼ ହନୁମାନ ବା ସୁଗ୍ରୀବ ହନୁମାନ କୁହାଯାଏ। ଶ୍ରୀମନ୍ଦିର ନୀତିକାନ୍ତି ସହିତ ଜଡିତ ଏହି ସୁଗ୍ରୀବ ହନୁମାନ। ଶ୍ରୀଜୀଉ ଙ୍କ ୨୧ ଦିନ ବାହାର ଚନ୍ଦନ ଯାତ୍ରା ଅଵସରରେ ନରେନ୍ଦ୍ର ସରୋବରରେ ମହାପ୍ରଭୁ ନୌକା ବିହାର କରିଥାନ୍ତି। ଅକ୍ଷୟ ତୃତୀୟା ଦିନ ଶ୍ରୀବିଗ୍ରହ ମାନେ ଜଗନ୍ନାଥ ବଲ୍ଲଭ ମଠ ନିକଟରେ ପହଁଚିବା ପରେ ପ୍ରଥମେ ସୁଗ୍ରୀବ ହନୁମାନଙ୍କ ପାଖକୁ ଆଜ୍ଞାମାଳ ବିଜେ ହୋଇଥାଏ। ପରେ ଏହି ହନୁମାନଙ୍କ ଆଜ୍ଞା ନେଇ ଚଳନ୍ତି ପ୍ରତିମା ଚନ୍ଦନ ପୋଖରୀକୁ ବିଜେ କରିଥାନ୍ତି। ସେହିପରି ଚନ୍ଦନ ଯାତ୍ରାର ଅନ୍ତିମ ଦିନ ହଳଦୀ ପାଣି ପୂର୍ବରୁ ପୁନର୍ବାର ଶ୍ରୀଜୀଉ ଙ୍କ ଆଜ୍ଞାମାଳ ସୁଗ୍ରୀବ ହନୁମାନଙ୍କ ପାଖକୁ ବିଜେ ହୋଇ ଏହି ବାହାର ଚନ୍ଦନ ଶେଷ ହୋଇଥାଏ।

ଚୈତ୍ର ମାସରେ ପ୍ରସିଦ୍ଧ ଦମନକ ଚତୁରଦଶୀ ରେ ଏହି ହନୁମାନଙ୍କ ପ୍ରାଙ୍ଗଣ ରେ ଦୟାଣା ଚୋରି ନୀତି ସମ୍ପର୍ଣ୍ଣ ହୋଇଥାଏ। ଏହାସହ ବୈଶାଖ ମାସ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଦିନ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହେବାପରେ ଏଠାରେ ହନୁମାନ ଜୟନ୍ତୀ ପାଳନ କରାଯାଇଥାଏ। ଏହିଦିନ ଶ୍ରୀମନ୍ଦିରରୁ ହନୁମାନ ଘଣ୍ଟ, ଛତା, କାହାଳୀ ଓ ବୈଜନ୍ତ୍ରୀ ସହ ଏଠାରେ ବିଜେ କରିଥାନ୍ତି। ଶୀତଳ ଭୋଗ ଓ ଆଜ୍ଞାମାଳ ବିଜେ ନୀତି ପରେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥାନ୍ତି।
ଏହି ମହାବୀରଙ୍କ ସମ୍ମୁଖ ସ୍ଥଳରେ ରହିଛି ପୁରୀର ସର୍ଵ ପୁରାତନ କୁସ୍ତି ଓ ମଲ୍ଲଯୋଦ୍ଧା ପ୍ରଶିକ୍ଷଣ କ୍ଷେତ୍ର। ପୁରୀର ସମସ୍ତ ମାଲ ମାନେ ଏହିଠାରେ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବା ସହିତ ଏହି ହନୁମାନଙ୍କ ଆଶୀର୍ବାଦ ନେଇ ସଫଳତା ଲାଭ କରନ୍ତି। ଏହି ହନୁମାନ ଅତି ଲାବଣ୍ୟମୟ ଦୀର୍ଘକାୟ ବିଗ୍ରହ। ଶ୍ରୀକ୍ଷେତ୍ରର ଅନ୍ୟତମ ସୁରକ୍ଷା କର୍ତ୍ତା ।