ଭାରତକୁ ତାଲିବାନର ଚେତାବନୀ, ଆଫଗାନିସ୍ତାନକୁ ସୈନ୍ୟ ପଠାଇଲେ ଠିକ୍ ହେବନି | News Room Odisha

ଭାରତକୁ ତାଲିବାନର ଚେତାବନୀ, ଆଫଗାନିସ୍ତାନକୁ ସୈନ୍ୟ ପଠାଇଲେ ଠିକ୍ ହେବନି

କାବୁଲ: କାନ୍ଦାହାର ସମେତ ଆଫଗାନିସ୍ତାନର ପ୍ରାୟ ୧୯ ରାଜ୍ୟକୁ ନିଜ୍ କବ୍‌ଜାକୁ ନେଇଥିବା ତାଲିବାନ ଏବେ ରାଜଧାନୀ କାବୁଲ ଠାରୁ ମାତ୍ର ଘଣ୍ଟାଏ ଦୂରରେ ଅଛି । ଏହାରି ମଧ୍ୟରେ ତାଲିବାନର ଜଣେ ପ୍ରବକ୍ତା ମହମ୍ମଦ ସୁହେଲ ସାହୀନ୍ ଭାରତକୁ ଚେତାବନୀ ଦେଇ କହିଛନ୍ତି ଯେ ଆଫଗାନିିସ୍ତାନକୁ ଭାରତ ଯଦି ସୈନ୍ୟ ପଠାଏ ତେବେ ଏହାର ପରିଣାମ କିଛି ଠିକ୍ ହେବନି । ଭାରତର ଏକ ସମ୍ବାଦ ସରବରାହ ସଂସ୍ଥା ସହ ସାକ୍ଷାତକାର ବେଳେ ସାହୀନ କହିଛନ୍ତି ଆଫଗାନିସ୍ତାନକୁ ସେନା ପଠାଇଥିବା ଅନ୍ୟ ଦେଶ ଗୁଡିକର ଅବସ୍ଥା ଆପଣ ଦେଖିପାରୁଥିବେ । ଏହି ପ୍ରସଙ୍ଗ ଏକ ଖୋଲା ବହି । ଆଫଗାନିସ୍ତାନରେ ଭାରତର ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟକୁ କିନ୍ତୁ ସେ ପ୍ରଶଂସା କରିଛନ୍ତି ।

ଆଫଗାନିସ୍ତାନରେ ବିଭିନ୍ନ ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟ ପାଇଁ ଭାରତ ସହାୟତା ଜାରି ରଖିଛି । ସଂସଦ ଗୃହ ନିର୍ମାଣ କାର୍ଯ୍ୟ ଠାରୁ ସ୍କୁଲ, ରୋଡ୍ ଓ ଡ୍ୟାମ୍ ଭଳି ପ୍ରକଳ୍ପ ପାଇଁ ଆଫଗାନିସ୍ତାନରେ ଭାରତ ପ୍ରାୟ ୨୦୦ କୋଟି ଡଲାର ଅର୍ଥ ବିନିଯୋଗ କରିଛି ।

ତାଲିବାନ ଭୟରେ ଭାରତ ସମେତ ବିଭିନ୍ନ ଦେଶ ଆଫଗାନିସ୍ତାନରେ ନିଜ ଦୂତାବାସ ଖାଲି କରୁଛନ୍ତି । ଅନେକ ଦେଶ ନିଜ ଦୂତାବାସର କର୍ମଚାରୀ ସଂଖ୍ୟା ମଧ୍ୟ ହ୍ରାସ କରିଛନ୍ତି । ତେବେ ତାଲିବାନ କହିଛି ଯେ ସେମାନେ କୌଣସି ଦେଶର ଦୂତାବାସ କିମ୍ବା କୂଟନୀତିଜ୍ଞଙ୍କୁ ଟାର୍ଗେଟ୍ କରିବେ ନାହିଁ । ଭାରତୀୟ ଦୂତାବାସ ପ୍ରତି ମଧ୍ୟ କୌଣସି ବିପଦ ନାହିଁ ବୋଲି ସାହୀନ କହିଛନ୍ତି ।