ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ | News Room Odisha

ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ଅଗଷ୍ଟ ୧୪କୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ: ଏଣିକି ୧୪ ଅଗଷ୍ଟକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଏହି ଘୋଷଣା କରିଛନ୍ତି ।

ମୋଦି ଟ୍ୱିଟ୍ କରି କହିଛନ୍ତି – ଦେଶ ବିଭାଜନର ଯନ୍ତ୍ରଣା କଦାପି ଭୁଲି ହେବନି । ଅଗଷ୍ଟ ୧୪ ଦିନ ଆମର ଲକ୍ଷ ଲକ୍ଷ ଭାଇ, ଭଉଣୀ ହିଂସା ଓ ଘୃଣାର ଶିକାର ହୋଇ ବିସ୍ଥାପିତ ହୋଇଥିଲେ । ଅନେକ ଜୀବନ ଚାଲିଯାଇଥିଲା । ଆମ ଲୋକଙ୍କ ସଂଘର୍ଷ ଓ ବଳିଦାନ ସ୍ମୃତିରେ ଅଗଷ୍ଟ ୧୪କୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ ।

ସାମାଜିକ ଭେଦଭାବକୁ ଦୂର କରି ଏକତାର ଭାବନାକୁ ସୁଦୃଢ଼ କରିବା ଏହି (ଅଗଷ୍ଟ ୧୪) ଦିବସର ବାର୍ତ୍ତା ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ଅଗଷ୍ଟ ୧୪ ଭାରତ ପାଇଁ ସର୍ବଦା ଏକ ଯନ୍ତ୍ରଣା ଦାୟକ ସ୍ମୃତି ହୋଇ ରହିଛି । ଏହି ଦିନ ଦେଶର ବିଭାଜନ ହୋଇଥିଲା ଏବଂ ପାକିସ୍ତାନର ଜନ୍ମ ହୋଇଥିଲା । ଦେଶ ବିଭାଜନ ପରେ ଉଭୟ ପଟୁ ବହୁ ଲୋକ ବିସ୍ଥାପିତ ହୋଇଥିବା ବେଳେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ । ପଶ୍ଚିମବଙ୍ଗ ଓ ବିହାରରେ ମଧ୍ୟ ସାମ୍ପ୍ରଦାୟିକ ଦଙ୍ଗା ଯୋଗୁଁ ବହୁ ଲୋକଙ୍କ ଜୀବନହାନୀ ହୋଇଥିଲା ।