ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ମଧ୍ୟସ୍ଥଳ ରେ ବିରାଜମାନ କରିଛନ୍ତି “ଶ୍ରୀ ମାଉସୀ ମ’ “। ରଥଯାତ୍ରା ଆସିଲେ ଚର୍ଚ୍ଚା ର ପରିସର କୁ ଆସନ୍ତି ଏହି ଶ୍ରୀ ମାଉସୀ ମା’ ।କାରଣ ପ୍ରବାଦ ରହିଛି ମହାପ୍ରଭୁ ଏହିଠାରେ ପୋଡ଼ପିଠା ଗ୍ରହଣ କରିଥାନ୍ତି। ବଳଗଣ୍ଡି ଠାରୁ ଶ୍ରୀମନ୍ଦିର ଆସିବା ରାସ୍ତାର ବାମ ପାର୍ଶ୍ଵରେ ଏହି ଦେବୀ ଙ୍କ ରହିଛି ଏକ କ୍ଷୁଦ୍ର ମନ୍ଦିର । ଯାହାଙ୍କୁ ଲୋକ କଥାରେ ଶ୍ରୀଜଗନ୍ନାଥ ଙ୍କ ମାଉସୀ ବୋଲି କୁହାଯାଏ।
ବାସ୍ତବରେ ଏହି ଦେବୀଙ୍କ ନାମ ହେଉଛି ଅର୍ଦ୍ଧ- ଶୋଷଣୀ ବା ଅର୍ଦ୍ଧାଶନି। କାରଣ ପ୍ରଳୟ ସମୟରେ ପ୍ରଳୟ ଜଳକୁ ଅର୍ଦ୍ଧାଧିକ ଶୋଷଣ କରି ସିଏ ଶ୍ରୀକ୍ଷେତ୍ର କୁ ରକ୍ଷା କରିଥାନ୍ତି ବୋଲି ତାଙ୍କ ନାମ ଅର୍ଦ୍ଧାଶନି। ଶୋଷଣ କ୍ରିୟାକୁ ସମ୍ପାଦନ କରୁ- ଥିବାରୁ ଏହିପରି ନାମ କରଣ ସ୍କନ୍ଦପୁରାଣ ଅନ୍ତର୍ଗତ ‘ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ ” ରେ ଦେଖିବାକୁ ମିଳିଥାଏ। ଏହାସହ ପୂର୍ବେ ଏଠାରେ ଥିବା ଶବର ପଲ୍ଲୀ କୁ ମଧ୍ୟ ଏହି ଦେବୀ ସୁରକ୍ଷା ପ୍ରଦାନ କରୁଥିଲେ। ସେହି ଦୃଷ୍ଟିରୁ ଶବର ରାଜା ବିଶ୍ୱାବସୁ ଙ୍କ ବଂଶଧର ଦଇତାପତି ସେବକମାଙ୍କର ଏହି ଦେବୀ ହେଉଛନ୍ତି ଇଷ୍ଟଦେବୀ। ବର୍ତ୍ତମାନ ର ପରିଦୃଶ୍ୟମାନ କ୍ଷୁଦ୍ର ମନ୍ଦିରଟି ସମ୍ଭବତଃ କେଶରୀ ବଂଶ ରାଜା ଙ୍କ ଦ୍ଵାରା ନିର୍ମିତ ହୋଇଥିବା ମନେ ଜଣାଯାଏ।
ମାଉସୀ ମା’ ଙ୍କ ବିଗ୍ରହ ଟି କୃଷ୍ଣ ପ୍ରସ୍ତର ନିର୍ମିତ ଦ୍ଵି ଭୁଜା ଦଣ୍ଡାୟମାନ ବିଗ୍ରହ। ଗୋଟିଏ ହସ୍ତରେ ଜପମାଳା ଓ ଅନ୍ୟ ହସ୍ତରେ ଅଭୟ ମୁଦ୍ରା। ମାଆ ଙ୍କ ଦୁଇ ପାର୍ଶ୍ଵରେ ଛାୟା ମାୟା ପାର୍ଶ୍ଵ ଦେବୀ ବିଦ୍ୟମାନ। ବିଗ୍ରହଙ୍କ କଟିଦେଶରୁ ମସ୍ତକ ପର୍ଯ୍ୟନ୍ତ ଶୁଭଦ୍ରା ଙ୍କ ମୁଖକୃତିର ଦାରୁ ନିର୍ମିତ ମୁଖାଟିଏ ପ୍ରତିରୋପଣ କରାଯାଇଛି। ଦେବୀ ଏହିପରି ମୁଖ ଧାରଣ କରିବାର କାରଣ ଅସ୍ପଷ୍ଟ। ମନ୍ଦିର ଦ୍ୱାର ଦେଶରେ ଦୁଇଟି ସିଂହ ବଡ଼ଦାଣ୍ଡ କୁ ମୁଖ କରିଥିବା ବେଳେ ଦକ୍ଷିଣ ମୁଖ କରି ବସିଥିବା ଦେବୀ ଙ୍କ ସମ୍ମୁଖରେ ଏକ କ୍ଷୁଦ୍ର ମନ୍ଦିରରେ ଗଜ ପୃଷ୍ଠରେ ଆରୁଢ଼ ସିଂହ ବସିଛନ୍ତି। ମୁଖ୍ୟ ମନ୍ଦିର ସହିତ ଭିତର ଜଗମୋହନ ଓ ବାହାର ଜଗମୋହନ ଏହିପରି ତିନି ଭାଗରେ ବିଭକ୍ତ ହୋଇଛି। ମାଆ ଙ୍କ ଦୈନନ୍ଦିନ ନୀତି ସହିତ ସକାଳ ଓ ସନ୍ଧ୍ୟାରେ ବାଳଭୋଗ ର ବ୍ୟବସ୍ଥା ରହିଛି। ଏଠାରେ ରୋଷେଇ ବା ଅର୍ଣ୍ଣଭୋଗ ନିଷିଦ୍ଧ ଅଟେ। ଏହିଦେବୀ ବନଦୁର୍ଗା ମନ୍ତ୍ର ରେ ପୂଜା ପାଇଥାନ୍ତି। ଆଶ୍ୱିନ ମାସ ଦୁର୍ଗାପୂଜା ସମୟରେ ଗଜପତି ଏହି ଦେବୀଙ୍କ ପୂଜାପାଇଁ ବ୍ରାହ୍ମଣ ବରଣ କରିଥାନ୍ତି। ଛେନା ତାଡ଼ିଆ ଦେବୀ ଙ୍କ ଅତି ପ୍ରିୟ ଭୋଗ।
ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥ ବାହୁଡା ଯାତ୍ରାରେ ଫେରିବା ସମୟ ରେ ଏଠାରେ ପ୍ରସିଦ୍ଧ ପୋଡ଼ପିଠା ସର୍ପମଣୋହିହି ହୋଇଥାଏ। ଏହି ପିଠାର ପ୍ରସ୍ତୁତି ସ୍ୱତନ୍ତ୍ର ପ୍ରଣାଳୀରେ ହୋଇଥାଏ।କାରଣ ମହାପ୍ରଭୁ କିଛି ପୋଡା ଜିନିଷ ଗ୍ରହଣ କରି ନଥାନ୍ତି। ତେଣୁ ଏହି ପୋଡ଼ପିଠା ପୋଡା ନଯାଇ ସ୍ୱତନ୍ତ୍ର ଭାବରେ ବାମ୍ଫ ରେ ଛଣାଯାଇ ପ୍ରସ୍ତୁତ କରାଯାଇଥାଏ। ଯାହା ଏକମାସ ପର୍ଯ୍ୟନ୍ତ ରହିପାରେ। ବୈଶାଖ ମାସ ନୃସିଂହ ଚତୁର୍ଦଶୀ ଦିନ ମାଉସୀ ମା ଙ୍କ ଜଳଶାୟୀ ଉତ୍ସବ ପାଳନ କରାଯାଏ। ବ୍ରାହ୍ମଣ ମାନଙ୍କ ଦ୍ୱାରା କୂପ ଜଳରେ ଚନ୍ଦନ, ଅଗୁରୁ, ଚୁଆ, ଯାଇଫଳ ମିଶ୍ରିତ କରାଯାଇ ମାଆ ଙ୍କୁ ନାଶାଗ୍ର ପର୍ଯ୍ୟନ୍ତ ଜଳଶାୟୀ କରି ରଖାଯାଏ। ଉକ୍ତ ଦିନ ଅର୍ଧେକ ଜଳ କୁ ମାଆ ଶୋଷଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।