ଆଫଗାନିସ୍ତାନ ସଙ୍କଟ: ବିମାନରେ ଝୁଲି ଯିବା ବେଳେ ଖସିପଡ଼ି ୩ ଜଣଙ୍କ ମୃତ୍ୟୁ | News Room Odisha

ଆଫଗାନିସ୍ତାନ ସଙ୍କଟ: ବିମାନରେ ଝୁଲି ଯିବା ବେଳେ ଖସିପଡ଼ି ୩ ଜଣଙ୍କ ମୃତ୍ୟୁ

କାବୁଲ: ତାଲିବାନର ଆଫଗାନିସ୍ତାନ ଦଖଲ ପରେ ଲୋକମାନେ ଭୟରେ ଦେଶ ଛାଡି ପଳାଇବା ପାଇଁ ବିପଜ୍ଜନକ ଉପାୟ ଅବଲମ୍ବନ କରୁଛନ୍ତି । ସୋମବାର ବିମାନରେ ଝୁଲି ଯିବା ବେଳେ ମଝି ଆକାଶରୁ ଖସିପଡ଼ି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ୩ ଜଣ ଲୋକ ଏକ ସେନା ବିମାନର ଟୟାରରେ ଝୁଲି ଯାତ୍ରା କରୁଥିଲେ।

କାବୁଲ ସହର ଉପରେ ଉଡ଼ୁଥିବା ବିମାନରୁ ଖସିପଡିଥିବା ଲୋକଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏଥିରେ ଗୋଟିଏ ପରେ ଗୋଟିଏ ଲୋକ ତଳେ ପଡ଼ୁଥିବାର ଦେଖିବାକୁ ମିଳୁଛି | ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ତିନି ବ୍ୟକ୍ତି ଦେଶ ଛାଡିବାକୁ ଏକ ମିଲିଟାରୀ ବିମାନର ଟାୟାର ମଝିରେ ଠିଆ ହୋଇଥିଲେ। କାବୁଲ ବିମାନବନ୍ଦରରୁ ବିମାନଟି ଉଡ଼ାଣ ଭରି ଆକାଶକୁ ଉଠିବା ମାତ୍ରେ ସେମାନେ ଭାରସାମ୍ୟ ହରାଇ ଗୋଟିଏ ପରେ ଗୋଟିଏ ତଳକୁ ଖସିବାକୁ ଲାଗିଥିଲେ। ସହରର ଲୋକମାନେ ସେମାନଙ୍କୁ ତଳେ ଖସିବାର ଦେଖିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ଦେଶକୁ ତାଲିବାନ ଦଖଲ କରିବା ପରେ କାବୁଲ ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଛି। ଏହି ବିମାନବନ୍ଦର ବର୍ତ୍ତମାନ ଆମେରିକାର ସୈନ୍ୟଙ୍କ ନିୟନ୍ତ୍ରଣରେ ଅଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିମାନବନ୍ଦରରେ ଗୁଳି ବିନିମୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଭାଇରାଲ ଭିଡିଓରେ ବିମାନବନ୍ଦରରେ ମୃତଦେହ ଦେଖିବାକୁ ମିଳିଛି।

Afghanistan CrisisKabul airportTaliban