ଶ୍ରୀକ୍ଷେତ୍ରର ଐତିହ୍ୟ: ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା | News Room Odisha

ଶ୍ରୀକ୍ଷେତ୍ରର ଐତିହ୍ୟ: ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା

ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହେଉଛି ଝୁଲଣ ଯାତ୍ରା। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଶୁକ୍ଳପକ୍ଷ ଦଶମୀ ତିଥି ଠାରୁ ରାକ୍ଷୀ ପୂର୍ଣ୍ଣିମା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଦ୍ବୀପହର ଧୂପ ବଢିବା ପରେ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ଦକ୍ଷିଣୀ ଘରୁ ରତ୍ନସିଂହାସନକୁ ବିଜେ କରିବେ। ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ଶ୍ରୀମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ମୁକ୍ତିମଣ୍ଡପରେ ସଜ୍ଜିତ ସ୍ୱତନ୍ତ୍ର ଝୁଲଣ କୁଞ୍ଜ କୁ ବିଜେ କରିବେ। ଏହି କୁଞ୍ଜରେ ଝୁଲିବା ସହିତ ଶୀତଳ ଭୋଗ ସାରି ଶ୍ରୀମଦନମୋହନ ଦକ୍ଷିଣୀ ଘରକୁ ଶ୍ରୀଦେବୀ ଓ ଭୂଦେବୀ ରତ୍ନସିଂହାସନକୁ ବାହୁଡା ବିଜେ କରିବେ। ଶ୍ରୀମନ୍ଦିରର ଏହି ବିଶେଷ ନୀତିକୁ ‘ପ୍ରାବଟ ରାସ’ କୁହାଯାଇଥାଏ।

ସମଗ୍ର ମୁକ୍ତିମଣ୍ଡପକୁ ପାରମ୍ପରିକ ଶୋଲ ଓ ଜରି ଜମ୍ବୁରା କାମରେ କାଠ ନିର୍ମିତ ଝୁଲା ସଜା ଯାଇ ମଧ୍ୟରେ ଏକ କୁଞ୍ଜ ନିର୍ମାଣ କରାଯାଏ। ଏହି କୁଞ୍ଜକୁ ସୁନ୍ଦର ଆଲୋକ ମାଳା ରେ ସଜ୍ଜିୟ କରାଯାଇଥାଏ।ଏହି କୁଞ୍ଜରେ ଚଳନ୍ତି ବିଗ୍ରହ ବିଜେକରି ଝୁଲିଥାନ୍ତି। ମଣ୍ଡପ ତଳେ ସୁଉଚ୍ଚ ଭୀମ ଅର୍ଜୁନ ମଣ୍ଡପ ର ଶୋଭା ମଣ୍ଡନ କରିଥାନ୍ତି। ଦୁଇ ପାର୍ଶ୍ଵରେ ସ୍ୱତନ୍ତ୍ର ମଣ୍ଡପରେ କାଳୀୟଦଲନ ଓ କୃଷ୍ଣଜନ୍ମର ଲୀଳା ପ୍ରଦର୍ଶିତ ହେବା ସହ। ଧ୍ରୁବଙ୍କ ତପସ୍ୟା ଲୀଳା ଭକ୍ତଙ୍କୁ ଆନନ୍ଦ ପ୍ରଦାନ କରିଥାଏ। ଶ୍ରୀଜୀଉ ମାନେ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣ ର ରାସ ଗୀତ ପରିବେଷିତ ହୋଇଥାଏ।
ଏହାସହ ପୁରୀର ପ୍ରସିଦ୍ଧ ମଠ ବାଡ଼ିରେ ଏହି ଝୁଲଣ ଉତ୍ସବ ଅତି ଚିତ୍ତକର୍ଷକ ହୋଇଥାଏ। ସେଥିମଧ୍ୟରୁ ଜିଆର ସ୍ୱାମୀ ମଠ, ବଡ଼ ଛତା ମଠ , ରାଧାକାନ୍ତ ମଠ, ଏମାର ମଠ, ଉତ୍ତର ପାର୍ଶ୍ଵ ଓ ଦକ୍ଷିଣ ପାର୍ଶ୍ଵ ମଠ, ସିଦ୍ଧ ବକୁଳ, ହରି ଦାସ ମଠ, ଝାଞ୍ଜପିଟା ମଠ, ଜଗନ୍ନାଥ ବଲ୍ଲଭ ମଠ ସହିତ ଅନେକ ଛୋଟବଡ଼ ଅସ୍ଥାନରେ ଭଗବାନ ଙ୍କ ଏହି ବର୍ଷା କାଳୀନ ଝୁଲଣ ରାସ ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ।
ଏହି ଝୁଲଣ ଉତ୍ସବ ଶ୍ରୀକ୍ଷେତ୍ରର ପରମ୍ପରା ଓ ଐତିହ୍ୟର ସ୍ୱତନ୍ତ୍ର ବାର୍ତା ବହନ କରିଥାଏ।