ପୁଣି ମହଙ୍ଗା ହେଲା ଘରୋଇ ଏଲପିଜି, ସିଲିଣ୍ଡର ପିଛା ୨୫ ଟଙ୍କା ବଢ଼ିଲା | News Room Odisha

ପୁଣି ମହଙ୍ଗା ହେଲା ଘରୋଇ ଏଲପିଜି, ସିଲିଣ୍ଡର ପିଛା ୨୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ ପୁଣି ବଢ଼ିଛି। ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି | ଏହାପୂର୍ବରୁ ଜୁଲାଇ ୧ରେ ଏଲପିଜି ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଏଲପିଜି ପୁଣି ମହଙ୍ଗା ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ବ୍ୟବହୃତ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୫୯.୫୦ ଟଙ୍କାରେ ପହଞ୍ଚିଛି।
ଜୁନ୍ ମାସରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ଥିଲା, ଯାହା ଜୁଲାଇ ୧ରେ ୮୩୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ, ଯଦି ଆମେ ଜାନୁଆରୀ ୧ରୁ ହିସାବ କରିବା, ତେବେ ଏହି ଆଠ ମାସ ମଧ୍ୟରେ ସିଲିଣ୍ଡର ଦାମ୍ ୧୬୫ ଟଙ୍କା ବୃଦ୍ଧି ହୋଇଛି।

ମୂଲ୍ୟ ବୃଦ୍ଧି ପରେ କୋଲକାତାରେ ୮୮୬ ଟଙ୍କାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଉପଲବ୍ଧ ହେଉଥିବାବେଳେ ମୁମ୍ବାଇରେ ଏହା ୮୫୮.୫୦ ଟଙ୍କା ରହିଛି। ଏଥି ସହିତ ଲକ୍ଷ୍ନୌରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ୮୯୭.୫ ଟଙ୍କାରେ ପହଞ୍ଚିଛି ।

ତୈଳ କମ୍ପାନୀଗୁଡିକ ପ୍ରତି ମାସରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ତା’ପରେ ମୂଲ୍ୟ ବୃଦ୍ଧି କିମ୍ବା ହ୍ରାସ କରିବାକୁ ନିଷ୍ପତ୍ତି ନିଅନ୍ତି | ପ୍ରତ୍ୟେକ ରାଜ୍ୟରେ ଟିକସ ଭିନ୍ନ ହୋଇଥିବାରୁ ଏଲପିଜି ସିଲିଣ୍ଡର ଦାମ୍ ରେ ମଧ୍ୟ ସାମାନ୍ୟ ଅସମାନତା ରହିଥାଏ ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷରେ ୧୨ଟି ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରୁଛନ୍ତି। ଯଦି ଜଣେ ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେବେ, ତେବେ ସେମାନଙ୍କୁ ବଜାର ମୂଲ୍ୟ ଦେବାକୁ ପଡିବ |