କରୋନା ଅପଡେଟ୍: ଦେଶରେ ଆଉ ୩୬,୪୦୧ ନୂଆ ମାମଲା, କେରଳରୁ ହିଁ ୭୦% ଆକ୍ରାନ୍ତ ଚିହ୍ନଟ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୩୬,୪୦୧ ନୂଆ ମାମଲା, କେରଳରୁ ହିଁ ୭୦% ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୩୬,୪୦୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି ​​ଏବଂ ୫୩୦ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। କେବଳ କେରଳରୁ ୭୦% ମାମଲା ଆସୁଛି। ଗତକାଲି ଦେଶରେ ୩୫,୧୭୮ ମାମଲା ପଞ୍ଜିକୃତ ହୋଇଥିଲା। ଏଥି ସହିତ ୨୪ ଘଣ୍ଟା ମଧ୍ୟରେ ୩୯,୧୫୭ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୩୨୮୬ ସକ୍ରିୟ ମାମଲା ହ୍ରାସ ପାଇଛି।

ବୁଧବାର ଦିନ କେରଳରେ ୨୧,୪୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଅର୍ଥାତ୍ ୭୦ ପ୍ରତିଶତ ମାମଲା କେବଳ କେରଳରେ ରେକର୍ଡ କରାଯାଇଛି। ଦିନକରେ ଏଠାରେ ମହାମାରୀ ଯୋଗୁଁ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିଲା। କେରଳରେ ନୂତନ ମାମଲା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୭ ଲକ୍ଷ ୨୫ ହଜାରକୁ ବୃଦ୍ଧି ପାଇଛି ଏବଂ ମୃତକଙ୍କ ସଂଖ୍ୟା ୧୯,୦୪୯ରେ ପହଞ୍ଚିଛି।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୨୩ ଲକ୍ଷ ୨୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୩୩ ହଜାର ୪୯ ଜଣଙ୍କର ମୃତ୍ୟୁ ହୋଇଛି। ଭଲ କଥା ହେଉଛି ଏପର୍ଯ୍ୟନ୍ତ ୩ କୋଟି ୧୫ ଲକ୍ଷ ୨୫ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ଏବେ ସମୁଦାୟ ୩ ଲକ୍ଷ ୬୪ ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ସାରା ଦେଶରେ ୫୬ କୋଟି ୬୪ ଲକ୍ଷ ୮୮ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୫୬.୩୬ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୦ କୋଟି ୩ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ପ୍ରାୟ ୧୮.୭୩ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |

COVID-19