ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ସ୍ମିଥ୍, ୱାର୍ଣ୍ଣର, କମିନ୍ସ ଫେରିଲେ | News Room Odisha

ଟି-୨୦ ବିଶ୍ୱକପ୍ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା, ସ୍ମିଥ୍, ୱାର୍ଣ୍ଣର, କମିନ୍ସ ଫେରିଲେ

ସିଡନୀ: ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ତାର ଦଳ ଘୋଷଣା କରିଛି। ଆରୋନ ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପରେ ଭାଗ ନେବ। ଏହା ସହିତ ସ୍ମିଥ୍, ୱାର୍ଣ୍ଣର, କମିନ୍ସ, ମ୍ୟାକ୍ସୱେଲ ଏବଂ ଷ୍ଟୋଇନିସ୍ ପରି ବଡ଼ ଖେଳାଳି ଫେରିଛନ୍ତି |

ସ୍ମିଥ୍ ଏବଂ ଫିଞ୍ଚ ଫିଟ୍ ହେବା ଅଷ୍ଟ୍ରେଲିଆ ଦଳ ପାଇଁ ଏକ ବଡ଼ ଆଶ୍ବସ୍ତି। କାନ୍ଧରେ ଆଘାତ ଯୋଗୁଁ ସ୍ମିଥଙ୍କୁ ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶ ଗସ୍ତରୁ ବଞ୍ଚିତ ହେବାକୁ ପଡିଥିଲା। କେବଳ ଏତିକି ନୁହେଁ, ଆଶେସ ସିରିଜକୁ ଦୃଷ୍ଟିରେ ରଖି ଷ୍ଟିଭ ସ୍ମିଥ ଟି-୨୦ ବିଶ୍ୱକପରୁ ଓହରିପାରନ୍ତି ବୋଲି ମନେ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ସ୍ମିଥଙ୍କ ପ୍ରତ୍ୟାବର୍ତ୍ତନ ସହିତ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି |

ଫିଞ୍ଚଙ୍କ ନେତୃତ୍ୱରେ ଅଷ୍ଟ୍ରେଲିୟ ଦଳ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା। କିନ୍ତୁ ଟି-୨୦ ସିରିଜ୍ ସମୟରେ ଫିଞ୍ଚ ଆଣ୍ଠୁରେ ଆଘାତ ପ୍ରାପ୍ତ ହେଇ ଦିନିକିଆ ସିରିଜ୍ ଏବଂ ବାଂଲାଦେଶ ଗସ୍ତରୁ ଓହରି ଯାଇଥିଲେ। ଆରୋନ ଫିଞ୍ଚ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି ଏବଂ ତାଙ୍କୁ ପୁଣି ଥରେ ଦଳର ନେତୃତ୍ବ ଦିଆଯାଇଛି।
ମ୍ୟାକ୍ସୱେଲ, କମିନ୍ସ, ଷ୍ଟୋଇନିସ୍ ଏବଂ ୱାର୍ନରଙ୍କ ପରି ବଡ ଖେଳାଳି ବାୟୋ ବବୁଲର ଚାପ ଦର୍ଶାଇ ୱେଷ୍ଟଇଣ୍ଡିଜ୍ ଏବଂ ବାଂଲାଦେଶ ଭ୍ରମଣରୁ ନିଜକୁ ଦୂରେଇ ରଖିଥିଲେ। ଏହି ଚାରି ଖେଳାଳିଙ୍କୁ ଟି-୨୦ ବିଶ୍ୱକପ ପାଇଁ ଦଳରେ ସ୍ଥାନ ଦିଆଯାଇଛି। ପ୍ୟାଟ୍ କମିନ୍ସଙ୍କୁ ଦଳର ଉପ-ଅଧିନାୟକ ମଧ୍ୟ କରାଯାଇଛି।
ଅଷ୍ଟ୍ରେଲିଆର ନୂତନ ମୁଖ୍ୟ ଚୟନକର୍ତ୍ତା ଜର୍ଜ ବେଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ଏହି ଅଷ୍ଟ୍ରେଲୀୟ ଦଳର କେବଳ ଅନ୍ୟମାନଙ୍କୁ ଚ୍ୟାଲେଞ୍ଜ କରିବାର କ୍ଷମତା ନାହିଁ, ଏହି ଦଳ ବିଶ୍ୱକପ ଟାଇଟଲ ମଧ୍ୟ ଜିତିବ।

ଅଷ୍ଟ୍ରେଲୀୟ ଦଳ:
ଆରୋନ ଫିଞ୍ଚ (ଅଧିନାୟକ), ଆଷ୍ଟନ ଅଗର, ପ୍ୟାଟ କମିନ୍ସ (ଉପଅଧିନାୟକ), ଜୋଶ ହାଜଲେଉଡ, ଜୋଶ ଇଙ୍ଗ୍ଲିଶ୍, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍ନୁସ ଷ୍ଟୋଇନିସ, ସ୍ବେପସନ୍, ମାଥ୍ୟୁ ୱେଡ, ଡେଭିଡ ୱାର୍ନର, ଆଡାମ୍ ଜାମ୍ପା ।

Australia Cricket TeamICC Men's T20 World Cup