ଭର୍ତ୍ତୃହରି ମହତାବ ଓ ପରିବାର ବିରୋଧରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ | News Room Odisha

ଭର୍ତ୍ତୃହରି ମହତାବ ଓ ପରିବାର ବିରୋଧରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୋପାଳ – ବିଜେଡି ସାଂସଦ ଭର୍ତ୍ତୃହରି ମହତାବ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ବିରୋଧରେ ଭୋପାଳରେ ଯୈାତୁକ ନିର୍ଯାତନା ମାମଲା ରୁଜୁ ହୋଇଛି । ମହତାବଙ୍କ ବୋହୂ ୩୪ ବର୍ଷିୟା ସାକ୍ଷୀ ତାଙ୍କ ସ୍ୱାମୀ, ଶ୍ୱଶୁର ଓ ଶାଶୁଙ୍କ ବିରୋଧରେ ଯୈାତୁକ ନିର୍ଯାତନା ଅଭିଯୋଗ କରିଛନ୍ତି ବୋଲି ସ୍ଥାନୀୟ ପୋଲିସ ଅଧିକାରୀ ଅଜିତା ନାୟାର ସୂଚନା ଦେଇଛନ୍ତି ।

ସାକ୍ଷୀଙ୍କ ଅଭିଯୋଗ ଅନୁସାରେ ୨୦୧୬ରେ ସେ ବିଜେଡି ସାଂସଦଙ୍କ ପୁଅଙ୍କୁ ବିବାହ କଲା ପରେ ଦେଢ କୋଟି ଟଙ୍କା ଯୈାତୁକ ଦିଆଯାଇଥିଲା । କିନ୍ତୁ ସେମାନେ ଆହୁରି ଅଧିକ ଅର୍ଥ ଦାବି କରୁଥିଲେ ବୋଲି ସାକ୍ଷୀ ଅଭିଯୋଗ କରିଛନ୍ତି । କଟକ ସ୍ଥିତ ଘରୁ ତାଙ୍କୁ ବାହାର କରିଦିଆଯାଇଥିଲା ବୋଲି ମଧ୍ୟ ସାକ୍ଷୀ ଅଭିଯୋଗ କରିଥିବା ପୋଲିସ ଅଧିକାରୀ ଜଣକ ପ୍ରକାଶ କରିଛନ୍ତି । ୨୦୧୮ରେ ସାକ୍ଷୀଙ୍କୁ ମହତାବ ଓ ତାଙ୍କ ପରିବାରର ନୂଆଦିଲ୍ଲୀ ସ୍ଥିତି ଘରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କିନ୍ତୁ ସେମାନେ କୋର୍ଟ ନିର୍ଦ୍ଦେଶ ନ ମାନି ତାଙ୍କ ପାଇଁ ଗେଟ୍ ଖୋଲି ନ ଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସାକ୍ଷୀ । ବାରମ୍ବାର ଅନୁରୋଧ ସତ୍ତ୍ୱେ ମହତାବଙ୍କ ପରିବାର ତାଙ୍କୁ ଗ୍ରହଣ ନ କରିବାରୁ ସେ ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଭିତ୍ତିରେ ମାମଲାର ତଦନ୍ତ କରୁଛି । ମହତାବଙ୍କ ପରିବାରକୁ ଖୁବ ଶୀଘ୍ର ନୋଟିସ ଦିଆଯିବ ।

ବିଜେଡି ସାଂସଦ ମହତାବ କହିଛନ୍ତି ଯେ, ଆପୋଷ ମିଳାମିଶା ଉଦ୍ୟମ ବିଫଳ ହେଲା ପରେ ତାଙ୍କ ପୁଅ ଓ ବୋହୂ ମଧ୍ୟରେ ଛାଡପତ୍ର ପାଇଁ ମାମଲା ଦିଲ୍ଲୀର ଏକ କୋର୍ଟରେ ଗତ ଦୁଇ ବର୍ଷ ଧରି ବିଚାରାଧୀନ ରହିଛି । ତାଙ୍କ ବୋହୂ ଗତ ଚାରି ବର୍ଷ ଭୋପାଳରେ ରହୁଛନ୍ତି । ଯୌତୁକ ନିର୍ଯାତନା ମାମଲାର ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଭର୍ତ୍ତୃହରି କହିଛନ୍ତି । ସେପରି କିଛି ହୋଇ ନ ଥିବା ସେ ସଫେଇ ଦେଇଛନ୍ତି ।