ତାଲିବାନ ବର୍ବରତା: ବିକ୍ଷୋଭକାରୀଙ୍କ ରାଲି ଉପରକୁ ଗୁଳିମାଡ଼, ଅନେକ ମୃତ | News Room Odisha

ତାଲିବାନ ବର୍ବରତା: ବିକ୍ଷୋଭକାରୀଙ୍କ ରାଲି ଉପରକୁ ଗୁଳିମାଡ଼, ଅନେକ ମୃତ

କାବୁଲ: ଗୁରୁବାର ଆଫଗାନିସ୍ତାନର ଅସାଦାବାଦ ସହରରେ ଦେଶର ସ୍ୱାଧୀନତା ଦିବସ ଅବସରରେ ତାଲିବାନକୁ ବିରୋଧ କରି ରାଲି କରୁଥିବା ଲୋକଙ୍କ ଉପରକୁ ତାଲିବାନ ବିଦ୍ରୋହୀ ଗୁଳି ଚଳାଇଛନ୍ତି, ଯେଉଁଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରୁ ଏହା ପୁଣି ଥରେ ସ୍ପଷ୍ଟ ହୋଇଛି ଯେ ତାଲିବାନ ନିଜ ଛବି ସୁଧାରିବାକୁ ଯେତେ ପ୍ରତିଶ୍ରୁତି ଦେଉ ନା କାହିଁକି, ଏହି ମୌଳବାଦୀ ସଂଗଠନ ଉପରେ ଭରସା କରିହେବ ନାହିଁ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆସାଦବାଦରେ ଆଫଗାନିସ୍ତାନର ସ୍ୱାଧୀନତା ଦିବସ ଅବସରରେ କିଛି ଲୋକ ଏକ ରାଲି ବାହାର କରିଥିଲେ। ଏହି ସମୟରେ ତାଲିବାନ ସେନା ଦେଶର ପତାକା ଉତ୍ତୋଳନ କରୁଥିବା କିଛି ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା । ପରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏପର୍ଯ୍ୟନ୍ତ କେତେ ଜଣ ପ୍ରାଣ ହରାଇଛନ୍ତି ଏବଂ ଏହି ଘଟଣା ଗୁଳି ଚଳାଇବା ଦ୍ଵାରା ନା ଦଳାଚକଟା ଯୋଗୁଁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଏହି ଘଟଣା ନେଇ ବର୍ତ୍ତମାନ ସୁଦ୍ଧା ତାଲିବାନ ପକ୍ଷରୁ କୌଣସି ବୟାନ ଜାରି କରାଯାଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ୧୯ ଅଗଷ୍ଟରେ ଆଫଗାନିସ୍ତାନରେ ସ୍ୱାଧୀନତା ଦିବସ ପାଳନ କରାଯାଏ।

ଏହାପୂର୍ବରୁ ବୁଧବାର ଦିନ କାବୁଲ ବିମାନବନ୍ଦରରେ ତାଲିବାନ ମହିଳା ଏବଂ ଶିଶୁଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ବିମାନ ବନ୍ଦରରୁ ଲୋକଙ୍କୁ ଘଉଡାଇବା ପାଇଁ ତାଲିବାନ ସେମାନଙ୍କ ଉପରକୁ ଗୁଳି ମଧ୍ୟ ଚଳାଇଥିଲା।

Afghanistan CrisisTaliban