ଶ୍ରୀକ୍ଷେତ୍ରର ମାଜଣା ଯାଗା | News Room Odisha

ଶ୍ରୀକ୍ଷେତ୍ରର ମାଜଣା ଯାଗା

ଶ୍ରୀକ୍ଷେତ୍ର ବଡ଼ଦାଣ୍ଡର ବଳଗଣ୍ଡି ଠାରେ ରହିଛି ‘ମାଜଣା ଯାଗା’। ଏହି ଯାଗା ଘର ସହ ଶ୍ରୀଜଗନ୍ନାଥ ଓ ରଥଯାତ୍ରାର ରହିଛି ନିବିଡ଼ ସମ୍ପର୍କ।

‘ମାଜଣା’ ଶବ୍ଦର ଅର୍ଥ ହେଉଛି ଦେବା ଦେବୀ ମାନଙ୍କୁ ସୁବାସିତ ଦ୍ରବ୍ୟ ଦ୍ୱାରା ସ୍ନାନ କରାଇବା। ମାଜଣାର ସଂସ୍କୃତ ଶବ୍ଦ ହେଉଛି ମାର୍ଜନା। ଅର୍ଥାତ ଦେବ ବିଗ୍ରହ ମାନଙ୍କୁ ସୁନ୍ଦର ଭାବରେ ଦହି, ହଳଦୀ, ଚୁଆ ଓ ଚନ୍ଦନ ମିଶ୍ରିତ ଜଳରେ ସ୍ନାନ କରାଇବା। ଗବେଷକଙ୍କ ମତରେ ପୂର୍ବେ ପ୍ରତି ଗୁରୁବାର ଦିନ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ବିଗ୍ରହ ଶ୍ରୀମଦନ ମୋହନ , ଶ୍ରୀଦେବୀ ଓ ଭୂଦେବୀଙ୍କ ସହ ଏହି ସ୍ଥାନକୁ ମାଜଣା ନିମନ୍ତେ ବିଜେ କରୁଥିବାରୁ ଏହାର ନାମ ମାଜଣା ଯାଗା’ ଥିଲା। ଏହାର କିନ୍ତୁ କିଛି ପ୍ରାମାଣିକ ତଥ୍ୟ ମିଳେନାହିଁ। ବର୍ତ୍ତମାନ କିନ୍ତୁ ପ୍ରତି ଗୁରୁବାର ଦିନ ଶ୍ରୀମନ୍ଦିର ପରିସରସ୍ଥ ବେହରଣ ଦ୍ୱାର ନିକଟରେ ଥିବା ମାଜଣା ମଣ୍ଡପରେ ଏହିନୀତି ସମ୍ପାଦିତ ହେଉଅଛି।

ପୂର୍ବେ ବଡ଼ଦାଣ୍ଡକୁ ଦୁଇଭାଗ କରି ମାଳିନୀ ନଦୀ ପ୍ରବାହିତ ହେଉଥିଲା। ଶ୍ରୀଜୀଉ ଙ୍କ ତିନୋଟି ରଥ ଏହି ମାଜଣା ଯାଗା’ ନିକଟରେ ଅଟକି ରହୁଥିଲା। ନଦୀର ପର ପାରରେ ଆଉ ତିନୋଟି ରଥରେ ପ୍ରଭୁ ଗୁଣ୍ଡିଚା ମନ୍ଦିରରେ ବିଜେ କରୁଥିଲେ। ଏଥିପାଇଁ ଶ୍ରୀଜୀଉ ମାନଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଥିଲା। ଏହି ସମୟରେ ଦେବ ବିଗ୍ରହଙ୍କ ସେବପୂଜା ପାଇଁ ଏହି ଯାଗା ଘର କୁପ ରୁ ଜଳ ଅଣାଯାଇ ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ହେଉଥିଲା। ଏହି କୂଅ ର ନାମ ହେଉଛି ‘ମାଜଣା କୂଅ ‘ । ଏହି ଠାରେ ସ୍ୱତନ୍ତ୍ର ଚୁଲି ସ୍ଥାପନ କରାଯାଇ ଶ୍ରୀଜୀଉ ଙ୍କ ଭୋଗ ପ୍ରସ୍ତୁତ କରାଯାଉଥିଲା। ବର୍ତ୍ତମାନ ଆଉ ସେ ବ୍ୟବସ୍ଥା ନାହିଁ।

ରଥଯାତ୍ରା ସମୟରେ ଏହି ମାଜଣା ଯାଗା’ ପକ୍ଷରୁ ରଥଦିନ ଓ ବାହୁଡା଼ ରଥ ଦିନ ପ୍ରତି ରଥ ପାଇଁ ୨୧ ଓଳି ଓ ୨୧ ସରା ସର୍ବମୋଟ ୪୨ ଟି ପାତ୍ର ରେ ପନ୍ତିଭୋଗର ବ୍ୟବସ୍ଥା ରହିଛି। ହେରା ପଞ୍ଚମୀ ଦିନ ଲଷ୍ମୀଙ୍କ ପାଇଁ ସ୍ୱତନ୍ତ୍ର ପନ୍ତିଭୋଗର ଏଠାରେ ପ୍ରଥା ରହିଛି। କେବଳ ସ୍ମୃତି ରକ୍ଷା ପାଇଁ ବାହୁଡା ଯାତ୍ରା ଦିନ ଶ୍ରୀମନ୍ଦିର ସୁଆର ସେବକଙ୍କ ଦ୍ଵାରା ଏଠାରେ ପ୍ରସାଦ ରନ୍ଧନ କରାଯାଇ ପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ଏହାକୁ ‘ବଣଭୋଜି’ କୁହାଯାଏ। ଏହା ଅତିତର ଛଅରଥ ସମୟରେ ପ୍ରଚଳିତ ଥିବା ପରମ୍ପରା ର ଅବଶେଷ ବୋଲି ମନେ କରାଯାଏ।