ଭାରତୀୟ ଦୂତାବାସରେ ପଶି କାଗଜପତ୍ର ଖୋଜିଥିଲେ ତାଲିବାନ, କାର୍ ଉଠାଇ ନେଇଗଲେ | News Room Odisha

ଭାରତୀୟ ଦୂତାବାସରେ ପଶି କାଗଜପତ୍ର ଖୋଜିଥିଲେ ତାଲିବାନ, କାର୍ ଉଠାଇ ନେଇଗଲେ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପରେ ତାଲିବାନ ଏବେ ଘରକୁ ଘର ବୁଲି ଆମେରିକା ସେନା ପାଇଁ କାମ କରିଥିବା ଆଫଗାନ୍ ସୈନ୍ୟ ଓ ଅଧିକାରୀଙ୍କୁ ଖୋଜିବାରେ ଲାଗିଛି । ତାଲିବାନ ସେନା ବନ୍ଦ ଥିବା ଭାରତୀୟ ଦୂତାବାସରେ ମଧ୍ୟ ତାଲା ଭାଙ୍ଗି ପଶିଥିବା ଜଣାପଡ଼ିଛି । ଭାରତୀୟ ଦୂତାବାସରେ ସେମାନେ କିଛି କାଗଜପତ୍ର ଖୋଜିଥିଲେ ଏବଂ ସେଠାରେ ପାର୍କିଂ ହୋଇଥିବା କାର୍‌କୁ ନେଇ ପଳାଇଛନ୍ତି ।

ଭାରତ ସରକାର ସୂତ୍ରରୁ ପ୍ରକାଶ ଯେ ହେରାତ୍‌ରେ ଏବଂ କାନ୍ଦାହାରରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସକୁ ଯାଇ ତଲାସୀ କରିଥିଲେ । ସେମାନେ ଆଲମିରା ଭାଙ୍ଗି କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଖୋଜିଥିଲେ । ଫେରିବା ବେଳକୁ ଉଭୟ ଦୂତାବାସରେ ଥିବା କାର୍ ଗୁଡିକୁ ନେଇ ପଳାଇଥିଲେ । ତେବେ ଜଲାଲାବାଦ୍ ଓ କାବୁଲରେ ଥିବା ଭାରତୀୟ ଦୂତାବାସରେ ତାଲିବାନ ପକ୍ଷରୁ ଏଭଳି ତଲାସୀ ହୋଇଥିଲା ନା ନାହିଁ ଜଣାପଡ଼ି ନାହିଁ ।

ତାଲିବାନ କ୍ଷମତା ଅକ୍ତିଆର କରିବା ପରେ ଭାରତ ଆଫଗାନିସ୍ତାନରେ ନିଜ ସମସ୍ତ ଦୂତାବାସ ଖାଲି କରିଛି । ନିଜ କୂଟନୀତିଜ୍ଞ ଓ ଅନ୍ୟ କର୍ମଚାରୀଙ୍କୁ ସ୍ୱଦେଶ ଫେରାଇ ଆଣିଛି ଭାରତ । ଆଫଗାନିସ୍ତାନରେ ଏବେ ବି ଫସି ରହିଥିବା ଅନ୍ୟ ଭାରତୀୟଙ୍କୁ ମଧ୍ୟ ସୁରକ୍ଷିତ ଫେରାଇ ଆଣିବା ଉଦ୍ୟମ ଜାରି ରହିଛି ।

Afghanistan CrisisTaliban