ନେହରୁ, ବାଜପେୟୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ | News Room Odisha

ନେହରୁ, ବାଜପେୟୀଙ୍କୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଓ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଶଂସା କରିଛନ୍ତି । ନେହରୁ ଓ ବାଜପେୟୀଙ୍କୁ ଭାରତୀୟ ଗଣତନ୍ତ୍ରର ଦୁଇ ଆଦର୍ଶ ନେତା ଭାବେ ଅଭିହିତ କରି ଗଡ଼କରୀ କହିଛନ୍ତି ଯେ ଶାସକ ଓ ବିରୋଧୀ ଦଳ ଆତ୍ମସମୀକ୍ଷା କରି ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା କରିବାକୁ ପ୍ରୟାସ କରିବା ଉଚିତ ।

ସଂସଦର ମୌସୁମୀ ଅଧିବେଶନ ବେଳେ ବିରୋଧୀଙ୍କ ପକ୍ଷରୁ ହଙ୍ଗାମା ଓ ବର୍ତ୍ତମାନର ନେତୃତ୍ୱ ଉପରେ ଜଣେ ନ୍ୟୁଜ୍ ଆଙ୍କରଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କହିଛନ୍ତି ଗଡ଼କରୀ । ସେ କହିଥିଲେ ଯେ, ବାଜପେୟୀ ଓ ନେହରୁ ଭାରତୀୟ ଗଣତନ୍ତ୍ରର ଦୁଇ ଆଦର୍ଶ ନେତା ଥିଲେ । ଉଭୟ ନେତା ଗଣତାନ୍ତ୍ରିକ ମୂଲ୍ୟବୋଧ ରକ୍ଷା କରିବା ପାଇଁ ସଂକଳ୍ପବଦ୍ଧ ଥିଲେ । ଦୁହେଁ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପାଳନ କରୁଥିଲେ ଓ ତଦ୍‌ନୁସାରେ କାର୍ଯ୍ୟ କରୁଥିଲେ ।

ଗଡ଼କରୀ କହିଛନ୍ତିଯେ, ବାଜପେୟୀଙ୍କ ଅବଦାନ ଓ ତାଙ୍କ କାର୍ଯ୍ୟଶୈଳୀ ସବୁ ନେତାଙ୍କ ପାଇଁ ପ୍ରେରଣା । ଭାରତୀୟ ଗଣତନ୍ତ୍ର ପ୍ରତି ନେହରୁଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା । ଏହି ବରିଷ୍ଠ ବିଜେପି ନେତା କହିଛନ୍ତି ଉଭୟ ଶାସକ ଓ ବିରୋଧୀ ଦଳକୁ ଆତ୍ମସମୀକ୍ଷା କରି ଗଣତାନ୍ତ୍ରର ଗରିମା ବଜାୟ ରଖିବାକୁ ପଡିବ ।