ପୋଲିସ ଫୋର୍ସରେ ଭିନ୍ନକ୍ଷମଙ୍କ ପାଇଁ ୪% ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କଲେ ସରକାର, ସାମାଜିକ କର୍ମୀଙ୍କ ବିରୋଧ | News Room Odisha

ପୋଲିସ ଫୋର୍ସରେ ଭିନ୍ନକ୍ଷମଙ୍କ ପାଇଁ ୪% ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କଲେ ସରକାର, ସାମାଜିକ କର୍ମୀଙ୍କ ବିରୋଧ

ନୂଆଦିଲ୍ଲୀ: ପୋଲିସ ବିଭାଗ ଓ ଅର୍ଦ୍ଧସାମରିକ ବାହିନୀରେ ନିଯୁକ୍ତିରେ ଭିନ୍ନକ୍ଷମଙ୍କ ପାଇଁ ଚାରି ପ୍ରତିଶତ ସଂରକ୍ଷଣ କୋଟାକୁ କେନ୍ଦ୍ର ସରକାର ହଟାଇ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଭିନ୍ନକ୍ଷମଙ୍କ ଅଧିକାର ଆଇନ, ୨୦୧୬ ଅଧୀନରେ ଏବେ ପୋଲିସ୍ ଫୋର୍ସ, ରେଳ ସୁରକ୍ଷା ଫୋର୍ସ ଭଳି ସଂସ୍ଥାରେ ଭିନ୍ନକ୍ଷମଙ୍କୁ ଆଉ ଚାରି ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବନି ।

ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭାରତୀୟ ପୋଲିସ ସେବା ଅଧୀନରେ ଥିବା ସବୁ ଶ୍ରେଣୀର ପଦ ସହ ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ବୀପ, ଦାମନ ଏବଂ ଡିୟୁ ଏବଂ ଦାଦ୍ରା ଏବଂ ନଗର ହଭେଲିର ପୋଲିସ ସେବା ଅଧୀନରେ ଥିବା ସମସ୍ତ ବର୍ଗର ପଦବୀକୁ ଏବଂ ଭାରତୀୟ ରେଳ ସୁରକ୍ଷା ଅଧୀନସ୍ଥ ସମସ୍ତ ବର୍ଗର ପଦଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ଲାଗୁ ହେବନାହିଁ।

ସେହିପରି କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ, ସୀମା ସୁରକ୍ଷା ବଳ, କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ମୁଖ୍ୟ କମିଶନରଙ୍କ ପରାମର୍ଶ କ୍ରମେ କାର୍ଯ୍ୟର ପ୍ରକାର ଏବଂ ପ୍ରକୃତିକୁ ଦୃଷ୍ଟିରେ ରଖି ଏହି ସବୁ ଅର୍ଦ୍ଧସାମରିକ ବାହିନୀରେ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସରକାରଙ୍କ ନିଷ୍ପତ୍ତିକୁ କିନ୍ତୁ ସାମାଜିକ କର୍ମୀମାନେ ବିରୋଧ କରିଛନ୍ତି। ନ୍ୟାସନାଲ୍ ସେଣ୍ଟର ଫର୍ ପ୍ରମୋସନ୍ ଅଫ୍ ଏମ୍ପ୍ଲୟମେଣ୍ଟ୍ (ଏନସିପିଏଡିପି) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅରମାନ ଅଲି କହିଛନ୍ତି ଯେ ଏହି ଆଇନର ଧାରା ୩୪କୁ ଉଚ୍ଛେଦ କରିବା ଭିନ୍ନକ୍ଷମଙ୍କ ପ୍ରତି ଘୋର ଅନ୍ୟାୟ।