ଗଛକୁ ରାକ୍ଷୀ ବାନ୍ଧିଲେ, ସୁରକ୍ଷା ଶପଥ ନେଲେ | News Room Odisha

ଗଛକୁ ରାକ୍ଷୀ ବାନ୍ଧିଲେ, ସୁରକ୍ଷା ଶପଥ ନେଲେ

ରକ୍ଷା ବନ୍ଧନ କେବଳ ଯେ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନରେ ସୀମିତ ରହିନାହିଁ। ବରଂ ଏଇ ପବିତ୍ର ତିଥିରେ ଗଛକୁ ରକ୍ଷାର ସୂତ୍ର ବାନ୍ଧି ସୁରକ୍ଷା ତଥା ସଂରକ୍ଷଣ କରିବାର ଶପଥ ନେଇଛନ୍ତି ବ୍ରହ୍ମପୁରର ପ୍ରକୃତିପ୍ରେମୀ। ବ୍ରହ୍ମପୁର ସବୁଜବାହିନୀ ତରଫରୁ ବୃକ୍ଷର ସୁରକ୍ଷା କାମନା କରି ଏଭଳି ଏକ ନିଆରା ରାକ୍ଷୀ ପୂର୍ଣ୍ଣିମା ରବିବାର ପାଳନ କରାଯାଇଛି।

ବୃକ୍ଷ ଓ ମଣିଷର ସମ୍ପର୍କ ବହୁତ ପୁରୁଣା ଏବଂ ନିବିଡ। ତୁଳସୀ ହେଉ କି ଅଶ୍ବତଥ୍, ଭାରତୀୟ ସଂସ୍କୃତିରେ ବୃକ୍ଷ ମଧ୍ୟ ପୂଜନୀୟ। ସେ ଆମକୁ ଶୁଦ୍ଧ ଅମ୍ଲଜାନ, ଗହଳ ଛାୟା, ଔଷଧୀୟ ଉପକାରିତା, ମୂର୍ତ୍ତିକା ସୁରକ୍ଷା, ପରିବେଶ ସଂରକ୍ଷଣ ଆଦିରେ ଅନେକ ସହାୟତା।କରି ଆସୁଛି। ବିଶେଷ କରି କରୋନା ମହାମାୟୀ ସମୟରେ ମେଡିକାଲ ଅକ୍ସିଜେନ୍ ତଥା ବିଶୁଦ୍ଧ ଅମ୍ଲଜାନର ଉପାଦେୟତା ଓ ଚାହିଦା ବାବଦରେ ସମସ୍ତେ ଉଣାଅଧିକେ ସଚେତନ ହୋଇ ପାରିଛନ୍ତି। ମାନବ ସମାଜ ପାଇଁ ଅତି ଉପକାରୀ ଏହି ସମ୍ପର୍କର ସୁରକ୍ଷା ପାଇଁ ସବୁଜ ବାହିନୀର ସଦସ୍ୟମାନେ ବୃକ୍ଷଗୁଡ଼ିକୁ ରାକ୍ଷୀ ବାନ୍ଧି ଜନସାଧାରଣଙ୍କୁ ସଚେତନ କରାଇଥିଲେ।

ବୃକ୍ଷ ବିହୁନେ ମଣିଷ ଧ୍ୱଂସାଭିମୁଖୀ ହେଉଥିବାରୁ ଏହାକୁ ରୋକିବାକୁ ଅଧିକରୁ ଅଧିକ ଗଛ ଲଗାଇବା ଓ ତାହାର ଯତ୍ନ ନେଇ ବଢାଇବା ସହ ଯାହା ଗଛ ରହିଛି ତାହାର ସୁରକ୍ଷା ହିଁ ଏକମାତ୍ର ଉପାୟ। ସେଥିପାଇଁ ବୃକ୍ଷକୁ ରାକ୍ଷୀ ବାନ୍ଧି ସମ୍ମାନ ଦେବା ସହ ଗଛ କେମିତି ଆମକୁ ସବୁବେଳେ ସୁରକ୍ଷା ଦେବ ଓ ଆମେ ବି ତାହାର ରକ୍ଷା କରିବା ସେଥିପାଇଁ ଏହିପରି ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପାତାଳେଶ୍ୱର ମନ୍ଦିର ନିକଟସ୍ଥ ପଞ୍ଚୁଦେବାଳୟ ମଠରେ ହୋଇଥିଲା। ସେଠାରେ ଥିବା ବିଭିନ୍ନ ଗଛକୁ ରାକ୍ଷୀ ବାନ୍ଧି ଥିଲେ ସବୁଜ ବାହିନୀ କର୍ମକର୍ତ୍ତା। ଏହି ରାକ୍ଷୀ ଗୁଡ଼ିକ କୌଣସି ସାଧାରଣ ରକ୍ଷା ସୂତ୍ର ନଥିଲା, ବରଂ ଭିନ୍ନ ଭିନ୍ନ ମଞ୍ଜି,ଫୁଲ, ପତ୍ର ଏବଂ ଝୋଟ ଦଉଡ଼ିରେ ତିଆରି କରାଯାଇଥିଲା ଯାହା ପରିବେଶ ଅନୁକୂଳ। ବୃକ୍ଷର ସୁରକ୍ଷା ପାଇଁ ସବୁଜ ବାହିନୀ ପକ୍ଷରୁ ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ଉପାୟରେ ବୃକ୍ଷକୁ ମଣିଷ ସହ ଯୋଡ଼ିବା ଏବଂ ତାର ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର କରାଯାଉଛି।

ପରେ ହରଡ଼ାଖଣ୍ଡି ଷ୍ଟେଟ୍ ବ୍ୟାଙ୍କ୍ ଠାରେ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀଙ୍କ ନେତୃତ୍ବରେ ଉପସଭାପତି ଦିପକ କୁମାର ପାତ୍ର, ସହସମ୍ପାଦକ ଏ.ପ୍ରକାଶ ଓ ଅନ୍ୟ ସଦସ୍ୟଗଣ ସାମିଲ ହୋଇଥିଲେ। ଫ୍ରେଣ୍ଡସ ଚାରିଟେବଲ୍ ଟ୍ରଷ୍ଟ ସଭାପତି ସାଗର୍ ପାତ୍ର ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥଲେ।

ଉଲ୍ଲେଖଯୋଗ୍ୟ ଯେ ସବୁଜ ବାହିନୀ ପକ୍ଷରୁ ଏଥିପୂର୍ବରୁ ବୃକ୍ଷକୁ ପୋଷ୍ୟ ଗ୍ରହଣ ଅଭିଯାନ କରାଯାଇଥିଲା। ପ୍ରକୃତିପ୍ରେମୀ, ପରିବେଶବିତ, ବୁଦ୍ଧିଜୀବୀଙ୍କ ଜରିଆରେ ଗଛର ସଂରକ୍ଷଣ ପାଇଁ ପୋଷ୍ୟ କରାଯାଇ ଆସୁଛି। ବିବାହ, ବିବାହ ବାର୍ଷିକୀ, ଶ୍ରାଦ୍ଧବାର୍ଷିକୀ ଆଦିରେ ଗଛ ଲଗାଇବାକୁ ପ୍ରୋତ୍ସାହନ ଦିଆଯାଉଛି।