ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର ବଞ୍ଚାଅ ଅଭିଯାନ: ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘର ଗଣ ବିକ୍ଷୋଭ | News Room Odisha

ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର ବଞ୍ଚାଅ ଅଭିଯାନ: ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘର ଗଣ ବିକ୍ଷୋଭ

ସମ୍ବଲପୁର : ଓଡ଼ିଶାର ପ୍ରଥମ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ପ୍ରତିବାଦରେ ଆଜି ପଶ୍ଚିମ ଓଡ଼ିଶା ଲୋକ କଳାକାର ମହାସଂଘ ତରଫରୁ ସ୍ଥାନୀୟ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସୂଚନାଯୋଗ୍ୟ ଯେ , ଓଡ଼ିଶାର ସର୍ବପୂରାତନ ପ୍ରଥମ ଦୂରଦର୍ଶନ କେନ୍ଦ୍ର ଏବଂ ଭାରତର ଅଷ୍ଟମ ଦୂରଦର୍ଶନ କେନ୍ଦ୍ର ଭାବେ ୧୯୭୮ ମସିହାରେ ଆରମ୍ଭ ହୋଇଥିଲା । ମାତ୍ର ଦୁଃଖର ବିଷୟ ୪୩ ବର୍ଷ ମଧ୍ୟରେ ଏହି କେନ୍ଦ୍ରରେ ୧୫ ଜଣ କାର୍ଯ୍ୟକ୍ରମ ପ୍ରସ୍ତୁତି ପଦବୀକୁ ଯୋଜନାବଦ୍ଧ ଭାବରେ ଗୋଟିଏ ପରେ ଗୋଟିଏ ଶୂନ୍ୟ କରି ଦିଆଯାଇଛି । ଏ ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ କେନ୍ଦ୍ର , ଆଞ୍ଚଳିକ ଭାଷା ସେଟେଲାଇଟ୍ ସର୍ଭିସ୍ ( ଆରଏଲଏସ୍‌ଏସ୍‌ ) ଜରିଆରେ ସପ୍ତାହବ୍ୟାପୀ ୨୪ ଘଣ୍ଟିଆ ପ୍ରସାରଣ , ପଶ୍ଚିମ ଓଡ଼ିଶାର ସଂସ୍କୃତି – ପରମ୍ପରା – କୃଷି – ଐତିହ୍ୟ ଏବଂ ସମ୍ବାଦକୁ ନେଇ ସମ୍ବଲପୁରୀ ଭାଷାରେ ଅଧିକ କାର୍ଯ୍ୟକ୍ରମ , ସମସ୍ତ ଖାଲି ପଦବୀ ପୂରଣ ଆଦି ଦାବି କରାଯାଇଥିଲା । କେନ୍ଦ୍ରର ବୈମାତ୍ରୁକ ମନୋଭାବକୁ ସମସ୍ତେ ତୀବ୍ର ସମାଲୋଚନା କରିଥିଲେ ।

ଦୁର୍ଗା ଦାଶଙ୍କ ସଂଯୋଜନା , ଭୋଲା ମହତ୍ତମଙ୍କ ଆବାହକତ୍ବରେ ଏବଂ ତର୍ପଣ କୁମାର ପ୍ରଧାନଙ୍କ ପରିକଳ୍ପନାରେ ଅନୁଷ୍ଠିତ ବିକ୍ଷୋଭରେ ପଦ୍ମଶ୍ରୀ ଡ . ଜିତେନ୍ଦ୍ର ହରିପାଲ , ପଦ୍ମଶ୍ରୀ ହଲଧର ନାଗ ଏବଂ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଉପସ୍ଥିତ ଥିଲେ । ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ମୁଖ୍ୟ , ଭାରପ୍ରାପ୍ତ ଜିଲ୍ଲାପାଳ , ବରଗଡ଼ ସଂସଦ ସୁରେଶ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡା . ରାସେଶ୍ୱରୀ ପାଣିଗ୍ରାହୀ , ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ , ସଂଜୟ ବାବୁ , କଳାକାର ମହାସଂଘ ବରଗଡ଼ର କଂସ ମହାରାଜ ଭୁବନେଶ୍ୱର ପ୍ରଧାନ , ଡ . ପରେଶ ଚନ୍ଦ୍ର ଦାନୀ , ପ୍ରଫୁଲ୍ଲ ହୋତା , ସରୋଜ ଦାଶ , ସୂର୍ଯ୍ୟ ଗୁରୁ , ବନ୍ଦିତା ମିଶ୍ର , ବିକାଶ ଦାଶ , ସ୍ଵାଧୀନ ପଣ୍ଡା , ସତ୍ୟ ପଣ୍ଡା , ଭାରତ ଗୌରବ ଦାଶ , ସୁମିତ୍ ପ୍ରଧାନ , କମଳ ଲୋଚନ ପଣ୍ଡା , ଅଖୁଳ ରଂଜନ ପଟ୍ଟନାୟକ , ପ୍ରଫୁଲ୍ଲ ଦାଶ , ରଂଜିତା ଦାଶ , ସନ୍ତୋଷ ବଢ଼େଇ , ଅତୀଶ ଶତପଥୀ , କୃଷ୍ଣଚନ୍ଦ୍ର ବାଗ୍ , ଦିଲୀପ ପଣ୍ଡା , ବିଦ୍ୟା ଏବଂ ସ୍ୱାଧୀନ ଫାଉଣ୍ଡେସନ୍ , ସମ୍ବଲପୁର ୟୁଥ ଫୋରମ୍ , ହୀରାଖଣ୍ଡ ସାମ୍ମୁଖ୍ୟ , ପଶ୍ଚିମାଞ୍ଚଳ ଏକତା ସଂଚ , କହଁର ସଂସ୍କୃତିକ ଅନୁଷ୍ଠାନ , ଉକିଆ , ସମ୍ବଲପୁରିଆ ଗୁପ୍ତ , କୁଚିଣ୍ଡା କଳାପରିଷଦ , ରଙ୍ଗ ଫରୁଆ , ଓଡ଼ିଶା ସାଂସ୍କୃତିକ ସମାଜ , କଳା ଓ କଳାକାର , ନଟରାଜ , ସମ୍ବଲପୁର କଳା ପରିଷଦ , ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ , ସମ୍ବଳ , ଲହରୀ , ଏବିସିଡି ଚେରିଟେବୁଲ ଟ୍ରଷ୍ଟ ଏବଂ ଏହା ସହିତ ବିଭିନ୍ନ କଳା ଓ ସଂସ୍କୃତିପ୍ରେମୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ସାମିଲ୍ ହୋଇଥିଲେ ।