ଶ୍ରୀକ୍ଷେତ୍ର ପୁରୀର ନାମ ମାର୍କଣ୍ଡେୟ ପୁରାଣରେ ଥିଲେ ମଧ୍ୟ ଏହାର ସର୍ବପ୍ରାଚୀନ ନାମ “ଅନ୍ତର୍ବେଦୀ’। ମହାଭାରତ ବନ ପର୍ବରେ ଅନ୍ତର୍ବେଦୀ ମିତିଖ୍ୟାତମ ଭାବରେ ବର୍ଣ୍ଣନା ରହିଛି । ଗୀତାର ପୁରୁଷୋତ୍ତମ ଯୋଗରେ (୧୫ଦଶ ଅଧ୍ୟାୟ) ଏହି ଲୋକରେ ପୁରୁଷୋତ୍ତମ ବା ପୁରୁଷୋତ୍ତମ କ୍ଷେତ୍ର ରୂପରେ ପ୍ରଥିତ ହୋଇଛି। ସ୍କନ୍ଦ ପୁରାଣ ୧୨ଶ ଅଧ୍ୟାୟରେ ପୁରୀ ଶଙ୍ଖାକାର ହୋଇଥିବାରୁ ଶଙ୍ଖକ୍ଷେତ୍ର ନାମରେ ମାନିଛନ୍ତି ଓ ସେହି କ୍ଷେତ୍ରରେ ଅଷ୍ଟଶକ୍ତି, ଅଷ୍ଟଶମ୍ଭୁ ଓ ପଞ୍ଚତୀର୍ଥ ଥିବାର ବର୍ଣ୍ଣନା କରିଛନ୍ତି । ଦେବୀଭାଗବତ, କାଳୀକାପୁରାଣ ନୀଳତନ୍ତ୍ର ଏହିଠାରେ ସତୀଙ୍କର ପାଦ ପଡ଼ିଥିବାରୁ ଏହାକୁ ପାଦାପୀଠ ବା ଉଡ଼ୀୟାନ ପୀଠ ନାମଦେଇ ବିମଳାଙ୍କୁ ଭୈରବୀ ଓ ଜଗନ୍ନାଥଙ୍କୁ ଭୈରବ ବୋଲି କହିଛନ୍ତି । ସ୍କନ୍ଦପୁରାଣ, ବାମଦେବ ସଂହିତା, କପିଳ ସଂହିତା, ଏଠାରେ ନୀଳପର୍ବତ ନାମକ ପବିତ୍ର ପର୍ବତର ଗୁହାରେ ପ୍ରଭୁ ପ୍ରଥମେ ବିରାଜିତ ଥିବାରୁ ଏହି କ୍ଷେତ୍ରକୁ ‘ନୀଳାଦ୍ରି’ ନାମ ଦେଇଛନ୍ତି। ନୀଳଶିଖର ଶୃଙ୍ଗସ୍ଥ ବିଭ୍ରତିବପୁ ସ୍କନ୍ଦ ପୁରାଣ ୭ ।
୭୧ ତଥା ଜନ୍ତ୍ର ବିଶେଷତଃ ନୀଳତନ୍ତ୍ର, ଉଡ଼ାନ ତନ୍ତ୍ର, M.S.S ଙ୍କ ମତ ଅନୁସାରେ ଏଠାରେ ନୀଳ ନାମକ ତନ୍ତ୍ର ମାର୍ଗର କେନ୍ଦ୍ର ଥିଲା । ତେଣୁ ଏହା ନୀଳକ୍ଷେତ୍ର ଅଟେ । ବାସ୍ତବରେ ତାରାତନ୍ତ୍ର ପ୍ରଥମ ପ୍ରକାରଣ ୮ମ ଶ୍ଳୋକ (ବାରଣାସୀ ପ୍ରକାଶନ)ରେ ମହାନୀଳ ଏକ ସାଧନା ମାର୍ଗଥିଲା । ନୀଳ ସରସ୍ୱତୀ ସାଧକମାନେ ଏହାକୁ ନୀଳକ୍ଷେତ୍ର ଭାବରେ ଗ୍ରହଣ କରିଥିଲେ। ତେଣୁ ପୁରାଣ ଯୁଗ ପୂର୍ବରୁ ଏହାର ନାମ ଥିଲା ଅନ୍ତର୍ବେଦୀ, ପୁରାଣଯୁଗରେ ପୁରୁଷୋତ୍ତମ କ୍ଷେତ୍ର, ଶଙ୍ଖକ୍ଷେତ୍ର, ନୀଳାଦ୍ରି ନାମ ଖ୍ୟାତ ଥିଲା । ତନ୍ତ୍ର ମତରେ ଏହାର ନାମ ଉଡ଼ୀୟାନ ପୀଠ ଅଟେ । ଏହି ପାଞ୍ଚଗୋଟି ପ୍ରାଚୀନ ନାମ ବ୍ୟତୀତ ଏହାକୁ ପତିତପାବନ- କ୍ଷେତ୍ର, ମର୍ତ୍ତ୍ୟବୈକୁଣ୍ଠ, ଯମନିକ-କ୍ଷେତ୍ର ପ୍ରଭୃତି କେତେଗୁଡିଏ ନାମକୁ ସଂସ୍କୃତ ସାହିତ୍ୟ ସ୍ୱୀକାର କରିଅଛନ୍ତି । ପ୍ରାଚୀନ ଐତିହାସିକ ଶିଳାଲିପିରେ ମଧ୍ୟ ପୁରୀ ପୁରୁଷୋତ୍ତମ କ୍ଷେତ୍ର ବୋଲି ବର୍ଣ୍ଣିତ ହୋଇଛି ।
ତାହା ମଧ୍ୟରୁ ଚନ୍ଦ୍ରିକା ଦେବୀଙ୍କର ୧୨୭୮ ଖ୍ରୀଷ୍ଟାବ୍ଦରେ ଅନନ୍ତ ବାସୁଦେବଙ୍କ ଅବସ୍ଥିତ ବିଷୟ ଉଲ୍ଲେଖ କରାଯାଉଛି । ଦାଶଗୋଦା ତାମ୍ରଶାସନରେ ରାଘବ ଦେବ ପୁରୁଷୋତ୍ତମ ନାମକୁ ପ୍ରଖ୍ୟାତ କରାଇ ଅଛନ୍ତି ।ପରବର୍ତ୍ତୀ ସମୟରେ ଏହି କ୍ଷେତ୍ର ନାମ ସଂକ୍ଷେପରେ ଆଜିର ପୁରୀ ନାମରେ ବିଖ୍ୟାତ ହୋଇଛି।