କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ, ଶାସକ ଓ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ | News Room Odisha

କାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ, ଶାସକ ଓ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ୱର- ବୁଧବାରଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏଥିପାଇଁ ଶାସକ ବିଜେଡି ଓ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ସେପଟେମ୍ବର ୯ ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି । ସକାଳ ସାଢେ ୧୦ରୁ ସାଢେ ଗୋଟାଏ ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ୬ଟା ଯାଏ ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଚାଲିବ । ଶନିବାର ବିଧାନସଭା ଚାଲିବ । ମୌସୁମୀ ଅଧିବେଶନରେ ତାରକା ଚିହ୍ନିତ ପ୍ରଶ୍ନ ରହିବ । ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକମାନଙ୍କ ବସିବା ବ୍ୟବସ୍ଥା କରାଯାଇଛି ।

ଅଧିବେଶନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଖୋଦ୍ ଡିଜିପି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ମୋଟ ୩୦ ପ୍ଲାଟୁନ ଫୋର୍ସ ଓ ୧୨୦ ଅଫିସର ବିଧାନସଭା ସୁରକ୍ଷା ଦାୟିତ୍ୱରେ ରହିବେ । କୌଣସି ବଡ ଧରଣର ଅଘଟଣକୁ ଏଡାଇବା ପାଇଁ ୨ ୟୁନିଟ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ ସହ ଷ୍ଟ୍ରାଇକିଂ ଫୋର୍ସ, କ୍ୟୁଆରଟି ଟିମ୍ ମୁତୟନ ରହିବେ । ରୁଫ୍ ଟପ୍ ସିକ୍ୟୁରିଟି ବି ରହିବ ।