ମୃତ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ରାମଚନ୍ଦାନୀ, ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା | News Room Odisha

ମୃତ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇ ଚର୍ଚ୍ଚାରେ ରାମଚନ୍ଦାନୀ, ଟ୍ବିଟ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ସମ୍ବଲପୁର : ବୁର୍ଲା ମେଡିକାଲରେ ଦୀର୍ଘ ୪ ବର୍ଷ ଧରି ଜଣେ ସୋନପୁର ଜିଲ୍ଲାର ଅସହାୟ ବୃଦ୍ଧା ପୁଷ୍ପାଞ୍ଜଳି ବାଗ ( ୬୨ ) ଙ୍କୁ ନିଜର ମାଁ ପରି ଚିକିତ୍ସା କରିଥିଲେ । ସୁସ୍ଥ ପରେ ବି ଘର ଲୋକେ ତାଙ୍କୁ ନେଇନଥିଲେ । ଫଳରେ ହସପିଟାଲ ତାଙ୍କ ପାଇଁ ଘର ପାଲଟିଯାଇଥିବା ବେଳେ ଡାକ୍ତର ଶଙ୍କର ରାମଚନ୍ଦାନୀ ପୁଅ ପରି ପ୍ରଥମରୁ ତାଙ୍କ ସେବାରୁ ଆରମ୍ଭ କରି ଖାଇବା ପିଇବା ଓ ପିନ୍ଧିବା ଯାଏ ସବୁ କଥା ବୁଝି ଆସୁଥିଲେ । ହେଲେ ମଙ୍ଗଳବାର ବୃଦ୍ଧାଙ୍କ ମୃତ୍ୟୁ ପରେ ବି ପରିବାର ଲୋକ ପାଖ ନ ମାଡିବାରୁ ରାମଚନ୍ଦାନୀ ମୃତଦେହକୁ ସସମ୍ମାନେ ବୁର୍ଲା ବିଷ୍ଣୁମନ୍ଦିର ପଡ଼ା ଶ୍ମଶାନକୁ ନେଇ ମୁଖାଗ୍ନି ଦେଇଥିଲେ । ତାଙ୍କର ଏଭଳି ମହାନତାକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଡାକ୍ତର ରାମଚନ୍ଦନୀଙ୍କୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ , ଜଣେ ୬୨ ବର୍ଷର ଅସହାୟ ବୃଦ୍ଧାଙ୍କୁ ମୃତ୍ୟୁ ପରେ ସମ୍ମାନଜନକ ବିଦାୟ ଦେଇ ଡାକ୍ତର ରାମଚନ୍ଦାନୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ତାଙ୍କର ଏଭଳି ମହନୀୟ କାମ ଏକ ଉଦାହରଣ ହୋଇ ରହିବ ବୋଲି ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ ଯେ , ଗତକାଲି ସଂପୃକ୍ତ ବୃଦ୍ଧାଙ୍କ ମରଶରୀରରେ ମୁଖାଗ୍ନି ଦେବା ପରେ ଆଜି ମହାନଦୀରେ ଅସ୍ଥି ଓ ଚିତାଭସ୍ମ ବିସର୍ଜନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ।