ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଅନୁଷ୍ଠିତ ହୋଇଯାଇଛି କାଳୀୟଦଳନ ବେଶ ଓ ଲବଣି ଖିଆ ଉତ୍ସବ । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଗୋପାଳ ବାଳକ ମାନଙ୍କ ସହିତ ଯମୁନା ନଦୀ କୂଳରେ ଖେଳୁଥିବା ସମୟରେ ତାଙ୍କର ଏକ ଗାଈ ଯମୁନାରେ ବୁଡିଯାଇଥିଲା। ସେହି ଯମୁନାରେ ବିଷଧର କାଳୀୟ ନାଗ ବାସ କରୁଥିବାରୁ କେହି ଗାଭି କୁ ଉଦ୍ଧାର କରିବାକୁ ଜଳରେ ପ୍ରଵେଶ କରିନଥିଲେ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ଉକ୍ତ ନଦୀରେ ପ୍ରବେଶ କରି କାଳୀୟ ନାଗ କୁ ଦଳନ କରିବା ସହିତ ଉକ୍ତ ନଦୀରୁ ତାକୁ ବିତାଡିତ କରିଥିଲେ। ସେହି କାଳୀୟ ଦଳନ ଦୃଶ୍ୟକୁ ସ୍ମରଣ କରାଇ ଶ୍ରୀମନ୍ଦିର ରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଇତିହାସ କୁହେ ପଞ୍ଚଦଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ଶ୍ରୀକୃଷ୍ଣ ଲୀଳା ବେଶ ସବୁ ପ୍ରଚଳନ କରାଯାଇଥିଲା।
ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଅର୍ଥାତ ଗତକାଲି ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ପରେ ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ ବାସେଳୀ ସାହି ସ୍ଥିତ ଲବଣି ଖିଆ ମଣ୍ଡପକୁ ବିଜେ କରିଥିଲେ। ଏହି ମଣ୍ଡପରେ ମହାଭୋଇ ସମ୍ପ୍ରଦାୟର ମହିଳାମାନେ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପିନ୍ଧି ଗୋପାଳୁଣୀ ହୋଇ ଶ୍ରୀମଦନମୋହନଙ୍କୁ ଲବଣୀ ଖୁଆଇ ଥିଲେ । ଏହାପରେ ଶ୍ରୀମଦନମୋହନ ଓ ରାମକୃଷ୍ଣ ମାର୍କଣ୍ଡ ପୋଖରୀକୁ କାଳୀୟ ଦଳନ ନୀତି ପାଇଁ ବିଜେ କରିଥିଲେ। ପୋଖରୀ ମଧ୍ୟରେ ସ୍ୱତନ୍ତ୍ର ଭାବରେ ନିର୍ମିତ ମଞ୍ଚରେ କାଳୀୟ ନାଗ କୁ ଦଳନ କରିଥିଲେ। ନାଗ ଶରୀରରେ ଗୁଡ଼ାଇ ହୋଇଥିବାରୁ ପ୍ରଭୁ ଗରୁଡ଼କୁ ସ୍ମରଣ କରି ଥିଲେ। ଗୁଡ଼ିଆ କୁଳର ଜଣେ ସେବକ ଗରୁଡ଼ ବେଶ ହୋଇ ପ୍ରଭୁଙ୍କୁ ଝାଡ଼ିବା ସହିତ ଅମୃତ ଲଡୁ ମଣୋହି କରାଇଥିଲେ। ଏହାପରେ ସେଠାରେ ଶୀତଳ ଭୋଗ ବଢି ଚଳନ୍ତି ବିଗ୍ରହ ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ।
ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କ ସନ୍ଧ୍ୟା ଆଳତି ଓ ଏକାଦଶୀ ନୀତି ପରେ ରତ୍ନସିଂହାସନ ଉପରେ ଶ୍ରୀଜଗନ୍ନାଥ ଙ୍କ କାଳୀୟ ଦଳନ ବେଶ ହୋଇଥିଲା। ଏହି ବେଶରେ ୨୧ ଫୁଟ ଲମ୍ବର ଏକ ବିରାଟ କାଳୀୟ ନାଗ ମହାପ୍ରଭୁଙ୍କୁ ଗୁଡ଼ାଇ ଧରିଥିଲା। କାଳୀୟ ନାଗ ମସ୍ତକରେ ଶ୍ରୀଜୀଉ ଙ୍କ କଠଉ ପରିହିତ ପଦଯୁଗଳ ନୃତ୍ୟ ଭଙ୍ଗିରେ ଶୋଭା ପାଇଥିଲା। ତାଙ୍କ ବାମ ହସ୍ତରେ କାଳୀୟ ନାଗର ପୂଛ ଥିବାବେଳେ ଦକ୍ଷିଣ ହସ୍ତରେ ଅମୃତ ଲଡୁ ଶୋଭା ପାଇଥିଲା। ଏହି ବେଶରେ ବଳଭଦ୍ର ସ୍ଵର୍ଣ୍ଣ କିରିଟ ଚୂଳ ଓ ଦେବୀ ସୁଭଦ୍ରା କେବଳ ସ୍ଵର୍ଣ୍ଣ କିରିଟ ଧାରଣ କରିଥିଲେ । ବେଶପରେ ଅମୃତ ଲଡୁ ମଣୋହି କରାଯାଇଥିଲା। ଏହି ଲଡୁ ପାନକଲେ ସର୍ପ ଦଂଶନ ବାଧା ଲାଗେନାହିଁ ବୋଲି ବିଶ୍ୱାସ ରହିଛି। ବିଳମ୍ବିତ ରାତ୍ରରେ ଏହିବେଶ ହୋଇଥିବାରୁ ଏବଂ କରନା କଟକଣା ଥିବାରୁ ଅନେକ ସାଧାରଣ ଭକ୍ତ ଏହି ବେଶ ଦର୍ଶନ ରୁ ବଂଚିତ ହୋଇଥିଲେ।
ଶ୍ରୀଜଗନ୍ନାଥଙ୍କ ଏହି ବେଶରେ ବେତ, ଶୋଲ, କଳା ରଙ୍ଗର କପଡ଼ା, ଜରି, କାଠ, କଇଥ ଅଠା, ଆଦି ବ୍ୟବହୃତ ହୋଇଥିଲା। ବେଶ ଓଲାଗି ପରେ ସନ୍ଧ୍ୟାଧୂପ ହୋଇ ବଡ଼ସିଂହାର ନୀତି ବଢିଥିଲା।