ବ୍ରହ୍ମପୁରରେ ବସ୍ତ୍ର ଉପହାର କେନ୍ଦ୍ର: ଜାଗ୍ରତ କରାଇବ ସାମାଜିକ ସେବା ଭାବ | News Room Odisha

ବ୍ରହ୍ମପୁରରେ ବସ୍ତ୍ର ଉପହାର କେନ୍ଦ୍ର: ଜାଗ୍ରତ କରାଇବ ସାମାଜିକ ସେବା ଭାବ

ବ୍ରହ୍ମପୁର: ଜନସାଧାରଣଙ୍କ ମଧ୍ୟରେ ସେବା ଭାବ ଜାଗ୍ରତ ହେବ। ସେମାନେ ନିଜର ଅବ୍ୟବହୃତ ପୋଷାକ ପ୍ରଦାନ କରିବେ। ତାହାକୁ ଡିଟର୍ଜେଣ୍ଟ୍ ବ୍ୟବହାର କରି ମେସିନରେ ସଫା କରାଯିବ। ପୁଣି ଆବଶ୍ୟକ ଷ୍ଟିଚିଂ ଓ ଆଇରନ୍ କରି ପ୍ୟାକିଂ କରାଯିବ। ଲାଗିବ ସତେ ଯେମିତି ନୂଆ କପଡ଼ା ରଖାଯାଇଛି। ସମାଜରେ ଥିବା ଅସହାୟ, ବସ୍ତି ବାସିନ୍ଦା, ଗରିବ ତଥା ରାସ୍ତାକଡ଼ରୁ ଉଦ୍ଧାର ଦିନହୀନଙ୍କୁ ପିନ୍ଧାଯିବ। ଲୋକେ ଗର୍ବର ସହ ପୁରୁଣା କପଡ଼ା ଦେବେ, ଗର୍ବର ସହ ନୂଆ ଭଳି ଦିଶୁଥିବା କପଡ଼ା ପିନ୍ଧିବାକୁ ନେବେ। କାହାର ଅଦକାରୀ ପୋଷାକ ଅନ୍ୟ କାହା ପାଇଁ ସମ୍ପତ୍ତି ଭଲି କାମରେ ଲାଗିବ। ପୁରୁଣା କପଡ଼ା ପାଇବ ନୂଆ ଜୀବନ। ଅର୍ଥ ନଥିବା ଲୋକ ମଧ୍ୟ ପିନ୍ଧିବାକୁ ପାଇପାରିବେ ଚକଚକିଆ ଡ୍ରେସ୍।

ଏମିତି କିଛି ମହତ୍‌ ଉଦ୍ଦେଶ୍ୟ ସହ ବ୍ରହ୍ମପୁର ମହାନଗର ନିଗମ ପ୍ରଶାସନ ନିକଟରେ ଉଦ୍‌ଘାଟନ କରିଛି ‘ବସ୍ତ୍ର ଉପହାର କେନ୍ଦ୍ର’। ଏକ ନିଆରା ଚିନ୍ତାଧାରାର ପ୍ରୟୋଗ ଦେଖିବାକୁ ମିଳୁଛି ଏହି ପ୍ରକଳ୍ପରେ। ଗଞ୍ଜାମ ଜିଲ୍ଲାରେ ହିଞ୍ଜିଳି ପୌରପାଳିକା ଦ୍ଵାରା ପୂର୍ବରୁ ‘ପୋଷାକ’ ରେସ୍‌ପନ୍ସିବିଲିଟି ହବ୍ ଖୋଲିଥିବା ବେଳେ ବ୍ରହ୍ମପୁରରେ ଏଭଳି ଏକ କେନ୍ଦ୍ର ପ୍ରଥମ ଥର ଖୋଲିଛି। ହିଞ୍ଜିଳିରେ ଏହି କେନ୍ଦ୍ରକୁ ପରିଚାଳନା କରୁଛି ଏକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ। ବ୍ରହ୍ମପୁରରେ ମଧ୍ୟ ଏକ ମହିଳା ଏସ୍ଏଚଜିକୁ ପରିଚାଳନା ଭାର ଦିଆଯିବାର ଯୋଜନା ରହିଛି। ଏହାଦ୍ଵାରା ଗୋଟିଏ ପଟେ ନାରୀ ସଶକ୍ତୀକରଣ, ଆରପଟେ ମହିଳାଙ୍କ ଦ୍ଵାରା ସେବା ମନୋଭାବର ବାର୍ତ୍ତା ମିଳିବ।

ଉଲ୍ଲେଖନୀୟ ଭାବେ ବ୍ରହ୍ମପୁର ମହାନଗର ନିଗମ ଦ୍ଵାରା ୫-ଟି ଉପକ୍ରମ ଅନ୍ତର୍ଗତ ଏହି ସାମାଜିକ ଉତ୍ତରଦାୟିତ୍ବ ସମ୍ପନ୍ନ କାର୍ଯ୍ୟକୁ ବାସ୍ତବ ରୂପ ଦିଆଯାଇଛି। ବ୍ୟବସ୍ଥିତ ଢଙ୍ଗରେ ଗରିବ, ଅସହାୟଙ୍କୁ ସହାୟତା କରିବା ଏହି ପ୍ରକଳ୍ପର ଉଦ୍ଦେଶ୍ୟ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର୍ ଡ ସିଦ୍ଧେଶ୍ବର ବଳିରାମ ବୋନ୍ଦାର। ଏହାକୁ ବୁଦ୍ଧିଜୀବୀ ମହଲରେ ବେଶ୍ ସ୍ବାଗତ କରାଯାଇଛି। ବ୍ରହ୍ମପୁର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟରେ ଖୋଲିଛି ଏହି ବସ୍ତ୍ର ଉପହାର କେନ୍ଦ୍ର। ସମାଜରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକ ଏଠାରୁ ପୋଷାକ ନେଇ ପିନ୍ଧିବା ବେଳେ ସେମାନେ ଯେପରି ଆନନ୍ଦ ଅନୁଭବ କରିବେ ସେଥିପାଇଁ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି। ଲୋକେ ଯେଭଳି ନିଶ୍ଚିତ ହେବେ ସେଥିପାଇଁ ଏହାର ସଂଗ୍ରହ– ସଫେଇ- ମରାମତି- ପ୍ୟାକିଂ ପ୍ରତି ସତର୍କତା ଓ ସର୍ବାଧିକ ଯତ୍ନ ରଖାଯିବ। ଏହି ସାମାଜିକ ସେବା ପ୍ରକଳ୍ପ ଆଗାମୀ ଦିନରେ ରେଶମ ସହରବାସୀଙ୍କ ନିମନ୍ତେ ବେଶ୍ ଉପକୃତ ହୋଇପାରିବ ବୋଲି ଆଶା କରାଯାଉଛି।