କଡା କୋରୋନା କଟକଣାରେ ହେବ ପିପିଲି ଉପନିର୍ବାଚନ, ମାତ୍ର ୭ ଦିନ ହେବ ପ୍ରଚାର | News Room Odisha

କଡା କୋରୋନା କଟକଣାରେ ହେବ ପିପିଲି ଉପନିର୍ବାଚନ, ମାତ୍ର ୭ ଦିନ ହେବ ପ୍ରଚାର

ଭୁବନେଶ୍ୱର- କୋରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ତେବେ ଉପନିର୍ବାଚନରେ ମାତ୍ର ୭ ଦିନ ପ୍ରଚାର ହେବ ଓ ଭୋଟ ଗ୍ରହଣର ୪୮ ଘଣ୍ଟା ନୁହେଁ, ବରଂ ୭୨ ଘଣ୍ଟା ପୂର୍ବରୁ ପ୍ରଚାର ଶେଷ ହେବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେପଟେମ୍ବର ୩୦ରେ ହେବ ମତଦାନ । ସେପଟେମ୍ବର ୨୦ ତାରିଖ ପରଠାରୁ ପ୍ରଚାର ପାଇଁ ଅନୁମତି ଦିଆଯାଇଛି । କୌଣସି ପ୍ରକାର ରୋଡ୍ ଶୋ’ ମୋଟର ବାଇକ ରାଲିକୁ ଅନୁମତି ମିଳିବ ନାହିଁ । କୋଭିଡ କଟକଣା ମଧ୍ୟରେ ରାସ୍ତାକଡ ସଭା ପାଇଁ ସର୍ବାଧିକ ୫୦ ଜଣ ଲୋକଙ୍କୁ ଅନୁମତି ମିଳିବ । କୌଣସି ହଲ୍ ବା ଘର ଭିତରେ ସଭା କରାଗଲେ, ସିଟିଂ କ୍ଷମତାର ୩୦ ପ୍ରତିଶତ ବା ୨୦୦ ଲୋକଙ୍କୁ ଜମା ହେବା ପାଇଁ ଅନୁମତି ରହିିଛି । ଏଥିପାଇଁ ଏକ ରେଜିଷ୍ଟରେ ସମସ୍ତଙ୍କ ନାମ ଉଲ୍ଲେଖ ରହିବ । ତାରକା କ୍ୟାମ୍ପେନରଙ୍କ ସଭାରେ ସର୍ବାଧିକ ହଜାରେ ଲୋକ ଏବଂ ଅନ୍ୟମାନଙ୍କ ପାଇଁ ପଡିଆର ୫୦ ପ୍ରତିଶତ କ୍ଷମତା ଥିବା ୫୦୦ ଜଣଙ୍କୁ ଏକାଠି ହେବା ପାଇଁ ଅନୁମତି ମିଳିବ । କୌଣସି ପ୍ରାର୍ଥୀ କିମ୍ବା ଦଳ ଯଦି କୋଭିଡ ଗାଇଡଲାଇନ ଉଲ୍ଲଂଘନ କରନ୍ତି,ତାହାହେଲେ ସେମାନଙ୍କୁ ପରବର୍ତ୍ତୀ ସମୟରେ ଆଉ ରାଲି ଓ ସଭା ନିମନ୍ତେ ଅନୁମତି ଦିଆଯିବ ନାହିଁ । ମୁଖ୍ୟ ସଚିବ ଓ ପୋଲିସ ଡିଜି ତଥା ଜିଲ୍ଲାସ୍ତରର ଅଧିକାରୀମାନେ କୋଭିଡ ଗାଇଡଲାଇନ୍ ମଧ୍ୟରେ ନିର୍ବାଚନ ପ୍ରଚାରର ପରିଚାଳନା ,ତଦାରଖ ପାଇଁ ଉତ୍ତରଦାୟୀ ରହିବେ । ନିର୍ବାଚନ ପରିଚାଳନାରେ ସଂପୃକ୍ତ ଥିବା ସମସ୍ତ କର୍ମଚାରୀ ଦୁଇ ଡୋଜ୍ ଟିକା ନେବା ଆବଶ୍ୟକ ।

ସେପଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଅକ୍ଟେବର ତିନି ତାରିଖରେ ଭୋଟ୍ ଗଣତି ହେବ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ସେଠାରେ ଉପନିର୍ବାଚନ ଜରୁରୀ ହୋଇଥିଲା । ଏହି ବର୍ଷ ମେ ୧୬ ତାରିଖରେ ଭୋଟଗ୍ରହଣ ହେବାର ଥିଲା, କିନ୍ତୁ କୋରୋନାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ତାହା ସ୍ଥଗିତ ରଖିବାକୁ ପଡିଥିଲା ।