ବ୍ରଜମଣ୍ଡଳ ପରିକ୍ରମା : ସହସ୍ର ଭ୍ରମରଙ୍କ ନିବାସ ସ୍ଥଳୀ "ସକଟା ରୋହଣ" | News Room Odisha

ବ୍ରଜମଣ୍ଡଳ ପରିକ୍ରମା : ସହସ୍ର ଭ୍ରମରଙ୍କ ନିବାସ ସ୍ଥଳୀ “ସକଟା ରୋହଣ”

ସକଟା ରୋହଣ: ମଥୁରାର ସାଢ଼େ ତିନି ମାଇଲ ପଶ୍ଚିମରେ ସକନା ନାମକ ଏକ ସ୍ଥାନ। ସେହି ସ୍ଥାନକୁ “ସକଟା ରୋହଣ” କୁହାଯାଏ। ଏହି ସ୍ଥାନରେ ଏକ ପବିତ୍ର କୁଣ୍ଡ ରହିଛି ଯେଉଁଠାରେ ଅନେକ ଭ୍ରମର ବାସ କରିଥାନ୍ତି। ଆଦି ବରାହ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ଏକରାତ୍ରୀ ଉପବାସ ରହି ଏହି କୁଣ୍ଡରେ ସ୍ନାନ କରି ଥାଏ, ସେହିବ୍ୟକ୍ତି ନିଶ୍ଚୟ ବିଦ୍ୟାଧର ଲୋକକୁ ଗମନ କରି ସୁଖରେ ବାସ କରିଥାଏ। ଶ୍ରୀକୃଷ୍ଣ ଲୀଳାରେ ଏହି ଭ୍ରମର ମାନେ ଅନେକ ସମୟରେ ଶ୍ରୀରାଧାରାଣୀଙ୍କୁ ଶ୍ରୀକୃଷ୍ଣଙ୍କ ବାର୍ତା ପ୍ରଦାନ କରିଥିଲେ।

ଶ୍ରୀଗରୁଡ଼ ଗୋବିନ୍ଦ ସ୍ଥଳ : ଛଟିକରାର ଉତ୍ତର ପୂର୍ବ ଦିଗରେ ରହିଛି ଶ୍ରୀଗରୁଡ଼ ଗୋବିନ୍ଦ ସ୍ଥଳ । ଏହି ସ୍ଥାନରେ ଭଗବାନ ଶ୍ରୀକୃଷ୍ଣ ଖେଳୁଥିବା ସମୟରେ ଚତୁର୍ଭୁଜ ହୋଇ ଶ୍ରୀଦାମ ସ୍କନ୍ଧରେ ଆରୋହଣ ପୂର୍ବକ କ୍ରୀଡା କରିଥିଲେ।

ନାରାୟଣଙ୍କ ବାହାନ ଶ୍ରୀଗରୁଡ଼ ଶ୍ରୀକୃଷ୍ଣ ଅବତାର ପରେ ସିଏ ପ୍ରକୃତରେ ଭଗବାନ କି ନୁହେଁ ଏହା ପରୀକ୍ଷା କରିବା ପାଇଁ ଏହି ସ୍ଥାନକୁ ଆଗମନ କରିଥିଲେ। ଶ୍ରୀକୃଷ୍ଣଙ୍କ ରୂପ ଲାବଣ୍ୟରେ ବିମୋହିତ ହୋଇ ସ୍ତୁତି କରିବାକୁ ଲାଗିଲେ। ଭଗବାନ ଶ୍ରୀକୃଷ୍ଣ ଶ୍ରୀଗରୁଡ଼ଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ତାଙ୍କ କାନ୍ଧରେ ବିରାଜମାନ କରିଥିଲେ। ସେହି କାରଣରୁ ଏହି ସ୍ଥାନର ନାମ “ଶ୍ରୀଗରୁଡ଼ ଗୋବିନ୍ଦ” ନାମରେ ଖ୍ୟାତ ହୋଇଅଛି। ଏହି ସ୍ଥାନରେ ଅକ୍ଷୟ ତୃତୀୟା ଦିନ ଏକ ବଡ଼ ମେଳା ଅନୁଷ୍ଠିତ ହୋଇଥାଏ। ଏହିଦିନ ବାରଭୁଜ ବିଶିଷ୍ଟ ଶ୍ରୀଗୋବିନ୍ଦ ଗରୁଡ଼ ଉପରେ ଆରୋହଣ କରି ଭକ୍ତଂକୁ ଦର୍ଶନ ଦେଇଥାନ୍ତି।

ଗନ୍ଧେଶ୍ୱରୀ : ବର୍ତ୍ତମାନ ଏହାର ଆଧୁନିକ ନାମ ହେଉଛି ଗଣେଶରା। ଭଗବାନ ଶ୍ରୀକୃଷ୍ଣ ଗୋଚରଣ ସମୟ ରେ ତାଙ୍କ ସଖାମାନେ ଏହି ସ୍ଥାନରେ ବିଭିନ୍ନ ଗନ୍ଧବାସ ଦ୍ୱାରା ତାଙ୍କ ଶୃଙ୍ଗାର କରିଥିଲେ। ତେଣୁ ଏହି ସ୍ଥାନର ନାମ ଗନ୍ଧେଶ୍ୱରୀ ଅଟେ। ଏଠାରେ ଗନ୍ଧେଶ୍ୱରୀ କୁଣ୍ଡ, ଶ୍ରୀରାଧାକୃଷ୍ନ ଓ ଗିରିରାଜ ମନ୍ଦିର ବିଦ୍ୟମାନ।। (କ୍ରମଶଃ )