ଗଞ୍ଜାମ: ବଜ୍ରାଘାତରେ ଚାଷୀ ଓ ମହିଳା ଶ୍ରମିକ ମୃତ, ଜଣେ ଗୁରୁତର | News Room Odisha

ଗଞ୍ଜାମ: ବଜ୍ରାଘାତରେ ଚାଷୀ ଓ ମହିଳା ଶ୍ରମିକ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳରେ ଜଣେ ଚାଷୀ ଓ ଜଣେ ମହିଳା କୃଷି ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ମହିଳା କୃଷି ମଧ୍ୟ ଗୁରୁତର ହୋଇଛନ୍ତି। ମୃତକ ହେଲେ କୁରୁଳାଇ ଗ୍ରାମର ପ୍ରଫୁଲ୍ଲ ସ୍ବାଇଁ (୫୦) ଓ ତନରଡ଼ା ଗ୍ରାମର ସବିତା ଡାକୁଆ (୩୦)। ପ୍ରଫୁଲ୍ଲ ଜମିରେ କାମ କରୁଥିବା ବେଳେ ଅଚାନକ ଘଡ଼ଘଡ଼ି ମାରିବାରୁ ସେ ଚାଷ ଜମିରେ ହିଁ ଟଳି ପଡ଼ିଥିଲେ । ସେହିପରି ସବିତା ଡାକୁଆ ଓ ତାଙ୍କ ଗାଁ ତନରଡ଼ାର ଆଉ ଜଣେ ଛବିତା ଜେନା (୩୦) ନୂଆଗାଁ ଜମିରେ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ସବିତା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିବା ବେଳେ ଛବିତା ତଳେ ପଡ଼ି ଛଟପଟ ହେଉଥିଲେ। ତିନି ଜଣଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ପ୍ରଫୁଲ୍ଲ ଓ ସବିତାଙ୍କୁ ମୃତ ଘୋଷଣା କରିଥିଲେ। ଛବିତା ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବେଲଗୁଣ୍ଠା ଥାନା ପୁଲିସ ୨ଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରି ଉଭୟ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ଉଲ୍ଲେଖଯୋଗ୍ୟ ଯେ ପାଣିପାଗ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି। ୨-୩ ଦିନ ପର୍ଯ୍ୟନ୍ତ ଲଘୁଚାପ ଜନିତ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହେବା ଅନୁମାନ କରାଯାଉଛି। ରବିବାର ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ବଉଳଘାଇ ଗ୍ରାମର ପ୍ରତିମା ଭୂୟାଁ (୪୨)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଥିଲା। ସେ ମଧ୍ୟ ବିଲରେ କାମ କରୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ।