ଯାଜପୁରିଆ ବନ୍ଧୁ : ଭକ୍ତର ଭକ୍ତିରେ ଚିର କାଳ ବନ୍ଧା ଭଗବାନ । ସେ ଭକ୍ତି ପୁଣି କେତେ ପ୍ରକାରର । ତତ୍ତ୍ୱ ଅନୁସାରେ ତାହା ନବଧା ଭକ୍ତି ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦସେବା, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସଖ୍ୟ ଏବଂ ଆତ୍ମ ନିବେଦନ । ପ୍ରଭୁଙ୍କ ନିକଟରେ ପହଞ୍ଚିବା ନିମନ୍ତେ ଏସବୁ ବିଭିନ୍ନ ରାସ୍ତା । ବଡ଼କଥା,ସେହି ରାସ୍ତାଟିକୁ ଆପଣେଇ ପାରିଲେ ହେଲା । ଶ୍ରୀଜଗନ୍ନାଥ ମହା ପ୍ରଭୁଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଅସଂଖ୍ୟ ଭକ୍ତଙ୍କର ଭକ୍ତିର ବହୁ ଅଲୌକିକ କାହାଣୀ ସବୁ ଆମେ ଶୁଣି ଆସିଛନ୍ତି । ସେ ଲୀଳା ଆଜି ବି ଘଟି ଚାଲିଛି । ସେହି ଭକ୍ତି ଭାବର କାହାଣୀଟିଏ ବା ଇତିହାସଟିଏ ହେଉଛି ଭକ୍ତବାନ୍ଧବ ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଯାଜପୁରିଆ ବନ୍ଧୁ, ବନ୍ଧୁ ମହାନ୍ତିଙ୍କ ସହିତ ।
ବହୁଦିନ ତଳର କଥା । ସୁଦୂର ଯାଜପୁରରେ ରହୁ ଥିଲେ ବନ୍ଧୁ ମହାନ୍ତି । ଉତ୍କଟ ଦାରିଦ୍ର୍ୟତା ମଧ୍ୟରେ ଭିକ୍ଷା ମାଗି ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁ ଥାଆନ୍ତି, ଦିନେ ଗଲେ ଯୁଗ ଗଲା ପରି । କାଲି ପାଇଁ କିଛି ଚିନ୍ତା ନାହିଁ, ଆଜିଟା ହିଁ ସବୁ କିଛି । ସବୁ ପ୍ରଭୁଙ୍କ ଇଚ୍ଛା,ସିଏ ପରା ସାରା ଜଗତ ଦେଖୁଛି । କାଲି ପାଇଁ ବ୍ୟବସ୍ଥା ସିଏ କରି ଦେବ ନାହିଁ କି ! ଭକ୍ତ ବନ୍ଧୁ ମହାନ୍ତି ଏହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅଚଳା ଭକ୍ତି ଏବଂ ଅଟଳ ଆସ୍ଥା ରଖି ଦୁଃଖରେ କାଳାତିପାତ କରୁଥାନ୍ତି । ପତ୍ନୀ ବେଳେ ବେଳେ କିଛି କହିଲେ ସେ କହନ୍ତି, ମୋର ଜଣେ ବନ୍ଧୁ ଅଛନ୍ତି ଜଗବନ୍ଧୁ,ସେ ସବୁ ଠିକ କରିଦେବ _ ସ୍ତ୍ରୀ କେତେବେଳେ କେମିତି ବିରକ୍ତ ହୋଇଯାଇ କହନ୍ତି,”କି ପାଗକ ଲୋକଟା ହେ ! ଏ ବେଳେ ଖାଇଲେ ଆର ବେଳକୁ ଛୁଆଙ୍କ ପାଇଁ କିଛିନାହିଁ, ୟାଙ୍କର କୋଉ ବନ୍ଧୁ ଅଛି,ସବୁ ଠିକ କରିଦେବ”।
ଆଉ ବେଳେ ବେଳେ ତାଙ୍କୁ ମଧ୍ୟ କୁହନ୍ତି ଚାଲୁନ ତୁମ ବନ୍ଧୁ ଘରୁ ଥରେ ବୁଲି ଆସିବା । ମହାନ୍ତିଏ କହନ୍ତି ଆରେ ମୋ ବନ୍ଧୁ କଅଣ ଏମିତି ସେମିତି ଲୋକ କି, ତା ପାଖକୁ ଯେତେ ବେଳେ ଚାହିଁବ ଚାଲିଯିବ । ତା’ର ବଡ଼ ଦେଉଳ,ବଡ଼ ଦାଣ୍ଡ,ସବୁ ତା’ର ବଡ଼ ।
ଏମିତି ଦୁଃଖେ ସୁଖେ ଦିନ କଟୁଥାଏ । ଦେଶରେ ଥରେ ବଡ଼ ଅକାଳ ପଡ଼ିଲା । ଦୁର୍ଭିକ୍ଷର କରାଳ ଛାୟା । ଚାରିଆଡ଼େ ହା ଅନ୍ନର ଚିତ୍କାର । ଭିକ୍ଷାର ଘୋର ଅଭାବ । ଭିକ୍ଷା ଜୀବି ବନ୍ଧୁଆଙ୍କ ଜୀବନ ବଡ଼ ଦୁର୍ବିସହ ହୋଇ ପଡ଼ିଲା । ତାଙ୍କୁ ତାଙ୍କର ସ୍ତ୍ରୀ କହିଲେ ଏତେ କଷ୍ଟ ପଡ଼ିଲାଣି ଏଥର ଚାଲ ତୁମ ବନ୍ଧୁଘରକୁ ଯିବା । ତାଙ୍କୁ ଯାଇ ଦୁଃଖ ଜଣାଇବା । ମହାନ୍ତିଏ କୁଂଥୁ କୁଂଥୁ ହୋଇ ବହୁ କଷ୍ଟରେ ରାଜି ହେଲେ । ତହିଁ ପର ଦିନ ତିନୋଟି ପିଲା ଓ ସ୍ତ୍ରୀଙ୍କୁ ଧରି ଚାଲିଲେ ବନ୍ଧୁଘର ଶ୍ରୀକ୍ଷେତ୍ର । ଦୂଇଟି ଛୋଟ ପିଲାଙ୍କୁ ସେ କାନ୍ଧରେ ବୋହି ନେଉଥାନ୍ତି ।
ଜନଶୁନ୍ୟ ରାଜପଥ । ଚାରିଦିନ କାଳ ଉପାସ ଓ ଭୋକରେ ବାଟ ଚାଲିଚାଲି ପହଞ୍ଚିଲେ ଯାଇ ବନ୍ଧୁ ଘର ଶ୍ରୀକ୍ଷେତ୍ରରେ । ଅନେକ ରାତି ହୋଇ ଯାଇ ଥାଏ । ଶ୍ରୀମନ୍ଦିର ସିଂହଦ୍ୱାର ପହଡ଼ ହୋଇ ସାରି ଥାଏ । ପହରା ଦେଉଥିବା ବେତୁଆମାନଙ୍କୁ ଇଏ ମୋର ବନ୍ଧୁଙ୍କ ଘର ନା, ବୋଲି ପଚାରିଲେ । ଏ ଲୋକଟା ପାଗଳ ବୋଲି ଭାବି ସେମାନେ ତାଙ୍କୁ ଘଉଡ଼ାଇ ଦେଲେ । ଚାରି ଦିନ ବାଟ ଚାଲି ଚାଲି ଦେହ ଅବଶ,କାହା ପେଟରେ ଦାନା ମୁଠେ ପଡ଼ି ନାହିଁ । କଣ କରିବେ ପିଲାମାନଙ୍କୁ ଓ ସ୍ତ୍ରୀଙ୍କୁ ଡାକି ନେଲେ ଦକ୍ଷିଣଦ୍ଵାର ପାଚେରି କଡ଼କୁ ଥିବା ବର ଗଛ ମୂଳକୁ । ସେଇଠି ବନ୍ଧୁଙ୍କ ରୋଷଘର ପେଜ ନଳାରୁ ମୁନ୍ଦେମୁନ୍ଦେ ପେଜ ପିଇ ପୁରୁଣା ମଇଳା ଗାମୁଛାକୁ ପାରି ଶୋଇ ପଡ଼ିଲେ ସମସ୍ତେ। ଥକା ହୋଇ ଥିବାରୁ ନିଘୋଡ଼ ନିଦରେ ସମସ୍ତେ ଶୋଇ ପଡ଼ିଥାନ୍ତି । ସାଇଁ ସାଇଁ ନିଶା ଗରଜୁଥାଏ । ରାତି ଅଧ ବେଳକୁ କାହାର ଡାକ ଶୁଣି ଛଟ କରି ନିଦ ଭାଙ୍ଗି ଗଲା ବନ୍ଧୁ ମହାନ୍ତିଙ୍କର । ସ୍ଵରଟି ଲାଗୁଥାଏ ଅତି ଚିହ୍ନା ଭଳି । ପୁଣି ଶୁଭିଲା ଡାକ,”ବନ୍ଧୁ ! ହୋ ଯାଜପୁରିଆ ବନ୍ଧୁ ! ପେଜନଳା ପାଖରେ ଶୋଇ ପଡ଼ିଲ କି ? ମୁଁ ଡାକୁଛି ଆସ, ଦେଖ ତୁମ ପାଇଁ ମୁଁ କେତେ ରକମର ଖାଦ୍ୟ ଆଣିଛି, ୟାକୁ ନିଅ, ପିଲାମାନଙ୍କୁ ଖୁଆଇ ନିଜେ ଖାଅ,ବନ୍ଧୁଘରେ କଣ ଏମିତି ଉପାସଟାରେ ଶୋଇବ ।” ଚମକି ପଡ଼ିଲେ ଯାଜପୁରିଆ ବନ୍ଧୁ । ଦଉଡ଼ି ଗଲେ ସେହି ଦକ୍ଷିଣ ଦ୍ୱାର ଆଡ଼କୁ ଯେଉଁ ଆଡ଼ୁ ଏ ସ୍ୱରଟି ଭାସି ଆସୁ ଥିଲା । ଦେଖିଲେ ଜଣେ ବ୍ରାହ୍ମଣ ହାତରେ ସୁବର୍ଣ୍ଣ ଥାଳି ଧରି ଠିଆ ହୋଇଛନ୍ତି । ମହମହ ବାସ୍ନାରେ ଚତୁଃର୍ଦିଗ ବାସି ଉଠୁଛି । ଥାଳିରେ ଭରା ସୁସ୍ବାଦୁ ଅନ୍ନ ବ୍ୟଞ୍ଜନ । “କ’ଣ ବନ୍ଧୁ ଶୋଇପଡ଼ିଥିଲ କି”? କହି ସେ ଥାଳିଟି ବଢ଼ାଇ ଦେଇ କୁଆଡ଼େ ଉଭାନ ହୋଇଗଲେ । ନିଦରୁ ଉଠାଇ ପିଲାଙ୍କୁ ଖାଇବାକୁ ଦେଲେ ମହାନ୍ତିଏ । ପତ୍ନୀ ପଚାରିଲାରୁ କହିଲେ ବନ୍ଧୁ ଆସିଥିଲେ ଦେଇ ଯାଇଛନ୍ତି । ସମସ୍ତେ ଖାଇ ସାରିଲା ପରେ ମହାନ୍ତିଏ ଥାଳିଟି ଫେରାଇବାକୁ ଯାଇ ଦେଖନ୍ତି ତ ଆଉ କେହିନାହିଁ । ମହା ମୁସ୍କିଲ, କରିବେ କ’ଣ । ସ୍ବର୍ଣ୍ଣଥାଳିକୁ ମଇଳା ଗାମୁଛାରେ ଗୁଡ଼ାଇ ମୁଣ୍ଡ ତଳେ ଯାକି ଶୋଇ ପଡ଼ିଲେ ।
ସକାଳୁ ସେବାୟତମାନେ ମହାପ୍ରଭୁଙ୍କୁ ରାତିରେ ଲାଗି ହୋଇ ଥିବା ରତ୍ନ ଥାଳି ନଥିବା ଦେଖିଲେ । ବହୁ ଖୋଜାଖୋଜି ପରେ ଥାଳି ଆଉ ନମିଳିବାରୁ ରାଜାଙ୍କୁ ଜଣାଇ ଦିଆଗଲା ଯେ ମହାପ୍ରଭୁଙ୍କ ରତ୍ନ ଥାଳି ଚୋରି ଯାଇଛି । ଥାଳି ଖୋଜା ଚାଲିଥାଏ । ହଠାତ ସିପାହୀ ମାନେ ଦେଖିଲେ ମହାପ୍ରଭୁଙ୍କ ରତ୍ନ ଥାଳିଟି ପେଜ ନଳା ପାଖରେ ଶୋଇଥିବା ଭିକାରୀ ମଇଳା ଗାମୁଛା ଭିତରେ । “ବେହିପୋ ବାପଧନ ସାଇତି ରଖିଛି”କହି ବହେ ମାଡ଼ମାରି ତାକୁ ଚୋର ବୋଲି କହି ଘୋଷାରି ନେଇଗଲେ ରାଜ ନଅର ଆଡକୁ । ବୁଝାଇବା ପାଇଁ ସେ କିଛି କହିବାକୁ ଚାହୁଁଥାନ୍ତି,ହେଲେ ଚୋର କଥା ଶୁଣୁଛି କିଏ । ତାଙ୍କୁ ସିପାହୀମାନେ ନେଇ ଠୁଙ୍କି ଦେଲେ ବନ୍ଦୀଶାଳାରେ । ଏପଟେ ଛୁଆ,ସ୍ତ୍ରୀ ଆତୁର ହୋଇ ହାୟ ହାୟ କରୁଥାନ୍ତି ।
ବନ୍ଧୁ ମହାନ୍ତି ନିଶ୍ଚଳ ହୋଇ ମହାପ୍ରଭୁଙ୍କୁ ଧ୍ୟାନକରି କହୁଥାନ୍ତି,” ବନ୍ଧୁ ମୋତେ ଡକାଇ ଆଣି ଶେଷରେ ଚୋର କରି ବନ୍ଧାଇଲୁ, ହଉ ସବୁ ତୋର ଇଚ୍ଛା “l
ବନ୍ଧୁ ରହିଲେ ମାମୁଁ ଘରେ l
ଚିତ୍ତ ନିବେଶି ପ୍ରଭୁଠାରେ ll
ତୋ ପରି ପତିତ ତାରଣ l
ଅଛି କେ ବ୍ରହ୍ମାଣ୍ଡ ମଧ୍ୟେଣ ll
ଏଣୁ ତୁ ଯାହା କଲେ କର l
ଅନ୍ୟେ ଶରଣ ନାହିଁ ମୋର ll
ମହାପ୍ରଭୁ କଣ ସ୍ଥିରହୋଇ ରହିପାରିବେ ଭକ୍ତର ବେଦନା ଦେଖି । ମହାପ୍ରଭୁଙ୍କ ସ୍ୱପ୍ନାଦେଶ ହେଲା ଖୋର୍ଦ୍ଧା ରଥିପୁର ଗଡ଼ରେ ଗଜପତି ପ୍ରତାପରୁଦ୍ର ଦେବଙ୍କୁ ,”ହେ ରାଜା ! ତୁମେ କ’ଣ ତୁମର ବନ୍ଧୁଙ୍କୁ ଅଭ୍ୟର୍ଥନା କର ନାହିଁ । ତେବେ ମୋ’ ବନ୍ଧୁଙ୍କୁ ମୁଁ ଅଭ୍ୟର୍ଥନା କଲି ଏଥିରେ ଅପରାଧ କ’ଣ ? ମୋ ବନ୍ଧୁଙ୍କୁ ମୁଁ ରତ୍ନ ଥାଳିରେ ଅନ୍ନ ଦେଲି,ସେ ଚୋର ହେଲେ କିପରି ? ଯାଜପୁରିଆ ବନ୍ଧୁ,ବନ୍ଧୁ ମହାନ୍ତି ମୋର ପରମ ଭକ୍ତ, ଭୋକରେ ରାତିରେ ପେଜ ନଳା ନିକଟରେ ଚାରି ପରାଣୀ କୁଟୁମ୍ବଧରି ଶୋଇ ପଡ଼ିଥିଲା । ମୁଁ ତାକୁ ଅନ୍ନ ପରସି ଦେଇ ଥିଲି । ତାକୁ ଶୀଘ୍ର ବନ୍ଧନ ମୁକ୍ତ କର ।” ଏ ସ୍ବପ୍ନ ଦେଖି ରାଜାଙ୍କୁ ଆଉ ଜାଣିବାକୁ ବାକି ରହିଲା ନାହିଁ ଯେ ରତ୍ନଥାଳି ଚୋରି ଅଭିଯୋଗରେ ଗିରଫ ବ୍ୟକ୍ତି ହେଉଛନ୍ତି ମହାପ୍ରଭୁଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି । ଗଜପତି ପ୍ରତ୍ୟୁଷରୁ ତା’ପର ଦିନ ଶ୍ରୀକ୍ଷେତ୍ରକୁ ଯାତ୍ରା କଲେ । ବନ୍ଧୁ ମହାନ୍ତିଙ୍କୁ ବନ୍ଧନମୁକ୍ତ କରି ସାଷ୍ଟାଙ୍ଗ ପ୍ରଣିପାତ କଲେ ଏବଂ ନେଇଗଲେ ସେଇ ପେଜନଳା ନିକଟକୁ । ତାଙ୍କ ନାମରେ ଅନ୍ନ ବସ୍ତ୍ର ଖଞ୍ଜା କରି ଦେଲେ ବନ୍ଧୁଙ୍କୁ ନିଯୁକ୍ତ କଲେ ମହାପ୍ରଭୁଙ୍କ ସେବକ ଭାବେ। ଭକ୍ତ ବନ୍ଧୁ ମହାନ୍ତି ଜଗବନ୍ଧୁଙ୍କ ବନ୍ଧୁ,ଏ କଥା ଶ୍ରୀକ୍ଷେତ୍ର ସାରା ପ୍ରଚାରିତ ହୋଇଗଲା । ଲୋକେ ଜାଣିଲେ ଭକ୍ତ ବନ୍ଧୁ ମହାନ୍ତିଙ୍କ ମହିମା l
ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ପେଜନଳା ନିକଟରେ ତିଆରି ହେଲା ତାଙ୍କ ଆଶ୍ରମ । ଏବେ ବି ଜରାଜୀର୍ଣ୍ଣ ଅବସ୍ଥାରେ ସେହି ଆଶ୍ରମ ଶ୍ରୀକ୍ଷେତ୍ରରେ ବିଦ୍ୟମାନ ଅଛି ଓ ପ୍ରଚାର କରୁଛି ଭକ୍ତ ଭଗବାନଙ୍କର ଅଭେଦ୍ୟ ସମ୍ପର୍କ । ( ସଂଗୃହିତ )