ଆଜାଦି କା ଅମ୍ରିତ ମହୋତ୍ସବ: ସୂଚନା ଓ ଲୋକସଂପର୍କ ବିଭାଗର ବିବିଧ କାର୍ଯ୍ୟକ୍ରମ ତଥ୍ୟ ସଂଗ୍ରହ , ନଥିକରଣ ଏବଂ ଡିଜିଟାଲ ସଂରକ୍ଷଣ ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ | News Room Odisha

ଆଜାଦି କା ଅମ୍ରିତ ମହୋତ୍ସବ: ସୂଚନା ଓ ଲୋକସଂପର୍କ ବିଭାଗର ବିବିଧ କାର୍ଯ୍ୟକ୍ରମ ତଥ୍ୟ ସଂଗ୍ରହ , ନଥିକରଣ ଏବଂ ଡିଜିଟାଲ ସଂରକ୍ଷଣ ଉପରେ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଆଜାଦି କା ଅମ୍ରିତ ମହୋତ୍ସବ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଭାରତୀୟମାନଙ୍କ ନିମନ୍ତେ ଏକ ଗୌରବମୟ ଉପଲବ୍ଧ । ଏହି ଦୁର୍ଲଭ ସ୍ଵାଧୀନତା ଲାଭ କରିବା ନିମନ୍ତେ ଆମର ପୂର୍ବସୂରୀମାନେ ଅଜସ୍ର ତ୍ୟାଗ ଓ ବଳିଦାନ ସ୍ବୀକାର କରିଛନ୍ତି । ସେମାନଙ୍କ ସଂଗ୍ରାମ ଓ ଦେଶପ୍ରେମର କଥା ଓ ଗାଥାକୁ ଉତ୍ତରପିଢ଼ିଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ ପହଞ୍ଚିବା ସହ ସ୍ବାଧୀନତାର ୭୫ ବର୍ଷରେ ଆମର ଉପଲବ୍ଧ , ସଫଳତାର ଉତ୍କର୍ଷକୁ ଉତ୍ସବରେ ପରିଣତ କରିବା ନିମନ୍ତେ “ଆଜାଦି ବା ଅମ୍ରିତ ମହୋତ୍ସବ” ପାଳନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ନୂତନ ଆଭିମୁଖ୍ୟ ଓ ସଂକଳ୍ପ ନେଇ ଏହି ମହୋତ୍ସବ ପାଳନରେ ବିଭାଗୀୟ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ବିଭାଗୀୟ ଅଧୁକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଆଜି ଅପରାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମଳିନୀ କକ୍ଷରେ ‘ ଆଜାଦି କା ଅମ୍ରିତ ମହୋତ୍ସବ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ପ୍ରମୁଖ ଶାସନ ସଚିବ କହିଥିଲେ , ଏହି ମହୋତ୍ସବର ବାର୍ତ୍ତା ସମାଜର ସବୁ ସ୍ତରରେ ବିଶେଷ କରି ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କ ନିକଟରେ ପହଞ୍ଚିବା ଏକାନ୍ତ ଆବଶ୍ୟକ । ଏଥି ପାଇଁ ବ୍ୟାପକ ନଥିକରଣ , ଆଲୋଚନା ଚକ୍ର , ପ୍ରଦର୍ଶନୀ ଆୟୋଜନ , ପୁସ୍ତକ ପ୍ରକାଶନ , କ୍ଷୁଦ୍ରଚିତ୍ର ନିର୍ମାଣ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଡିଜିଟାଲ ସଂରକ୍ଷଣ ନିମନ୍ତେ ସେ ପରାମର୍ଶ ଦେଇଥିଲେ । ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ “ ଆଜାଦି କା ଅମ୍ରିତ ମହୋତ୍ସବ ’ ପାଇଁ ବିଭାଗ ତରଫରୁ ଯେଉଁସବୁ ପ୍ରମୁଖ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେ ସଂପର୍କରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ ।

୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଅଜ୍ଞାତ ମୁକ୍ତିଯୋଦ୍ଧାମାନଙ୍କ ଜୀବନୀ ସମ୍ବଳିତ ସ୍ଵତନ୍ତ୍ର ସଂକଳନର ପ୍ରକାଶନ ସହ ତାହାର ଡିଜିଟାଲ ସଂସ୍କରଣ ପ୍ରସ୍ତୁତି , ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ୧୯୭୦ ମସିହାରେ ପ୍ରକାଶିତ ‘ ଗାନ୍ଧୀଜୀ ଏବଂ ଓଡ଼ିଶା ’ ପୁସ୍ତକର ପୁନଃପ୍ରକାଶନ ସହ ଡିଜିଟାଲ୍ ସଂସ୍କରଣ , ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସ୍ଵତନ୍ତ୍ର ବିଶେଷାଙ୍କ ମଧ୍ୟ ପ୍ରକାଶ ପାଇବ । ଓଡ଼ିଶାର ୭୫ ଜଣ କୃତୀ ସନ୍ତାନଙ୍କ ସାମଗ୍ରିକ ଜୀବନ ଓ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନକୁ ନେଇ ଓ୍ବେବନାରମାନ ଆୟୋଜନ କରାଯିବ । ଇରମ୍ , ପାପଡ଼ାହାଣ୍ଡି , କପ୍ତିପଦା , ସାଲିହା , ଇଞ୍ଚୁଡ଼ି , ଘେଁସ ଆଦି ସ୍ଵାଧୀନତା ସଂଗ୍ରାମର ସ୍ମତିଜଡ଼ିତ ଐତିହାସିକ ପୀଠଗୁଡ଼ିକରେ ‘ ଆଜାଦି ଅମ୍ରିତ ମହୋତ୍ସବ ‘ ପାଳନ କରାଯିବ । ଓଡ଼ିଶାର ନାରୀ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ନେଇ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ ।

ମୁକ୍ତି ସଂଗ୍ରାମରେ ଝାସ ଦେଇଥିବା ଅଜ୍ଞାତ ଯୋଦ୍ଧାମାନଙ୍କ ସଂପର୍କରେ କ୍ଷୁଦ୍ର ଚିତ୍ର ନିର୍ମାଣ କରି ଏହାକୁ ଦୂରଦର୍ଶନ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରାଯିବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବକ୍ତୃତା , ପ୍ରବନ୍ଧ , ଦେଶାତ୍ମବୋଧକ କବିତା ଆବୃତ୍ତି , ଚିତ୍ରାଙ୍କନ ଆଦି ପ୍ରତିଯୋଗିତାର ଆୟୋଜନ କରାଯିବ । ୩୦ଟି ଜିଲ୍ଲାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀମାନଙ୍କ ଦ୍ଵାରା ‘ଆଜାଦି ଅମ୍ରିତ ମହୋତ୍ସବ ’ ପାଳନ କରାଯିବ । ଏହିସବୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପାଳନ କରାଯାଉଥିବା ବରପୁତ୍ରମାନଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ସ୍ଵାଧୀନତା ସଂଗ୍ରାମ ସଂପର୍କିତ ନାଟକ ଦେଶାତ୍ମବୋଧକ ସଂଗୀତ କାର୍ଯ୍ୟକ୍ରମମାନ ନିୟମିତ ଭାବେ ଏକ ବର୍ଷ ବ୍ୟାପୀ ଆୟୋଜନ କରାଯିବ । ପ୍ରକାଶ ଥାଉ କି , ସମଗ୍ର ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି “ ଆଜାଦି କା ଅମ୍ରିତ ମହୋତ୍ସବ ’ ଭାବରେ ପାଳନ କରାଯାଉଛି । ଏଥି ପାଇଁ ଆସନ୍ତା ୨୦୨୨ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟ ବହୁବିଧ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ନିର୍ଦ୍ଦେଶକ ( ବୈଷୟିକ ) , ଶ୍ରୀ ନିରଞ୍ଜନ ସେଠୀ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଏକ କାର୍ଯ୍ୟକ୍ରମ ପଞ୍ଜିକା ପ୍ରସ୍ତୁତି ଏବଂ ତଦନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଆଜିର ଏହି ବୈଠକରେ ଉତ୍କଳ ପ୍ରସଙ୍ଗ ’ ଏବଂ ଓଡ଼ିଶା ରିଭ୍ୟାୁ’ର ସଂପାଦକ ଡ . ଲେନିନ୍ ମହାନ୍ତି , ଯୁଗ ନିର୍ଦ୍ଦେଶକ ସୁରେନ୍ଦ୍ର ନାଥ ପରିଡ଼ା , ଉପନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ମାନସ ରଞ୍ଜନ ଖୁଣ୍ଟିଆ , ସୂର୍ଯ୍ୟ ରଞ୍ଜନ ମହାନ୍ତି , ସ୍ମିତା କର ଏବଂ ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।