ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ଭଳି ମହାପ୍ରଭୁ ଶ୍ରୀ ସାକ୍ଷୀଗୋପାଳଙ୍କ ମନ୍ଦିରରେ ଅନ୍ନ ଅବଢ଼ା ମିଳେ ନାହିଁ । ଏହା ପରମ୍ପରା ଭାବେ ବହୁ କାଳରୁ ଚଳି ଆସୁଛି । ଏକବାର କିନ୍ତୁ ଏଥି ପାଇଁ ଚେଷ୍ଟା କରାଯାଇଥିଲା ଯାହା ଏକ ଅପ୍ରତ୍ୟାଶିତ ଘଟଣା କ୍ରମରେ ପୁଣି ବନ୍ଦ ରହିଥିଲା ।
ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ଅମଳର କଥା । ଥରେ ସାକ୍ଷୀଗୋପାଳଜୀଉ ମନ୍ଦିର ପଣ୍ଡା ସେବାୟତମାନେ ଏବଂ ସାଧାରଣ ଜନତା ମିଶି ସେଠାରେ ଅବଢ଼ା ପ୍ରସ୍ତୁତି ନିମନ୍ତେ ଏକ ବିରାଟ ଆନ୍ଦୋଳନ କଲେ । ଏଥି ପାଇଁ ମୁକ୍ତି ମଣ୍ଡପ ଓ ଗଜପତିଙ୍କ ଅନୁମତି ମଧ୍ୟ ମିଳିଥିଲା l କିନ୍ତୁ ଏହି ସମୟରେ କୁଡୁଆ ଯୋଗାଣକୁ ନେଇ ଗୋଟିଏ ବିଷମ ସମସ୍ୟା ଉପୁଜିଲା ।ଜଗନ୍ନାଥମନ୍ଦିରେ କୁଡୁଆ ଯୋଗାଣ ପାଇଁ ସାତଶହ ଘର କୁମ୍ଭାର ନିଯୁକ୍ତ ଅଛନ୍ତି । ସାକ୍ଷୀଗୋପାଳଙ୍କ ମନ୍ଦିରରେ କୁଡୁଆ ଯୋଗାଇବା ନିମନ୍ତେ କୁମ୍ଭାର ମାନଙ୍କୁ ପ୍ରବର୍ତ୍ତାଇବା ଆବଶ୍ୟକ ପଡ଼ିଲା ଏବଂ ଗଜପତିଙ୍କ ତରଫରୁ କୁମ୍ଭାର ମାନଙ୍କ ଉପରେ ଚାପ ପ୍ରୟୋଗ କରାଗଲା । ସାକ୍ଷୀଗୋପାଳଙ୍କ ପୀଠରେ ରୋଷ ଘର ତିଆରି କରାଯାଇ ପ୍ରଥମ ଅବଢ଼ା ପ୍ରସ୍ତୁତି ବ୍ୟବସ୍ଥା ହୋଇ ଦିନ ସ୍ଥିରହେଲା । ଉକ୍ତ ଦିନ ମୁକ୍ତିମଣ୍ଡପ ପଣ୍ଡିତ,ଷୋଳ ଶାସନର ବ୍ରାହ୍ମଣ ଓ ଅନ୍ୟାନ୍ୟ ମଠ ମହନ୍ତ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରା ହେଲା । ଗଜପତି ମଧ୍ୟ ସଭାକୁ ଆମନ୍ତ୍ରିତ ହୋଇ ଆସିଲେ । କୁଡୁଆ ପ୍ରସ୍ତୁତ କାରୀ କୁମ୍ଭାର ମାନଙ୍କୁ ଏହି ସଭାରେ ମଧ୍ୟ ସମସ୍ୟାର ଆଲୋଚନା ପାଇଁ ଡକା ଗଲା । ସେହି
ସଭାରେ ସର୍ବ ସମ୍ମତିକ୍ରମେ ପ୍ରଥମେ ଶ୍ରୀଗୋପାଳଜୀଉଙ୍କୁ ଅନ୍ନ ପ୍ରସାଦ ଲାଗି କରିବା ପାଇଁ ସ୍ଥିର ହେଲା । ଶ୍ରୀଗୋପାଳ ବୃନ୍ଦାବନରୁ ସାକ୍ଷ୍ୟ ଦେବା ପାଇଁ ଏଠାକୁ ଆସିଥିଲେ ବୋଲି କିମ୍ବଦନ୍ତୀ ଅଛି । ଶ୍ରୀଗୋପାଳଙ୍କର ଭଗ୍ନମନ୍ଦିର ଏବେବି ବିଦ୍ୟମାନ ଅଛି । ସେଠାରେ ଅନ୍ନ ପ୍ରସାଦ ସେ ସମୟରେ ଲାଗି ହେଉ ନଥିଲା । ସଭା କାର୍ଯ୍ୟ ଚାଲିଥାଏ । ଏହି ସମୟରେ ଜଣେ ବୃଦ୍ଧ କୁମ୍ଭକାର ଉଠିପଡ଼ି ହାତଯୋଡି କହିଲା,”ଆଜ୍ଞାମାନେ ଶୁଣିବାହେବେ, ଏ ଶହେ ବରଷର ବୁଢ଼ା କୁମ୍ଭାର କିଛି କହିବାର ଅଛି, ଆଜ୍ଞା ହେଲେ କହିବି “। ବୁଢ଼ା କୁମ୍ଭାର ମତ ଶୁଣିବା ପାଇଁ ସମସ୍ତେ ଅନୁମତି ଦେବାରୁ ବୁଢ଼ା କହିଲା :-
“ପାଗରେ ନାହିଁ କି ଯାଗରେ ନାହିଁ,
ମାଆ ବେଇଲା ଭାଗରେ ନାହିଁ,
ସେଠି ମହାପ୍ରସାଦ ଆସିବ କାହିଁ ।”
ବୁଢାର ଏ ଅଖାଡୁଆ କଥାଶୁଣି ସମସ୍ତେ ଭାବିଲେ ଇଏ ଗୋଟିଏ ପାଗଳ । ଅଶିକ୍ଷିତ ମଳିମୁଣ୍ଡିଆଟା କଅଣ ଗୁଡ଼ିଏ ଅବାଗିଆ କଥା କହୁଛି । ଉପସ୍ଥିତ ଗଜପତି କିନ୍ତୁ ବୁଢ଼ାକଥାକୁ ଗୁରୁତ୍ୱଦେଇ କହିଲେ, “ନାଁ,ବୁଢ଼ା କ’ଣ କହୁଛି,ଏହା ବୁଝିବା ଆବଶ୍ୟକ, କୁମ୍ଭକାର ମହାଶୟ ତା’ ହେଲେ ଏକଥା ବୁଝାଇ ଦିଅନ୍ତୁ “। ବୁଢ଼ା ମହାରାଜାଙ୍କ ଠାରୁ ଅଭୟ ପାଇ କହିଲା,”ମଣିମା !ରୋଷଶାଳାର ମାଲିକ ହେଲେ ମହାଲକ୍ଷ୍ମୀ । ଶ୍ରୀଜଗନ୍ନାଥଙ୍କ ଘରଣୀ,ସେ ହେଲେ ପାଗର ମାଲିକ । ତହୁଁ ସେଠାରେ ମହା ପ୍ରସାଦ ଲାଗିହେଉଛି । ଯାଗ ବା ଯଜ୍ଞ ହୋଇଥିବା ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜ ହେଉଛନ୍ତି ହରି ଔହରଙ୍କ ଏକାଙ୍ଗ ମୂର୍ତ୍ତି । ସେଠି ମଧ୍ୟ ମା’ ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ଏଣୁ ସେଠି ମହାପ୍ରସାଦ । ଆଉ ଜଗନ୍ନାଥ ମହାପ୍ରଭୁଙ୍କ ମାଆ ପେଟର ବଡ଼ ଭାଈ ବଳଦେବ ଯେଉଁ ଠାରେ ଅଛନ୍ତି ସେଠି ମଧ୍ୟ ମହାପ୍ରସାଦ । ଆଉ ଅନ୍ୟ କେଉଁ ସ୍ଥାନରେ ଏହି ଦେବ ଦୁର୍ଲଭ ମହାପ୍ରସାଦ ହୋଇପାରେ ନା । “ଏତକ କହିସାରି ବୃଦ୍ଧ ସଭାରୁ ଉଠିଲେ ଏବଂ କୁଆଡ଼େ ଅନ୍ତର୍ଧ୍ୟାନ ହୋଇଗଲେ । ଯେତେ ଖୋଜାଖୋଜି କଲେ ମଧ୍ୟ ସେ ଆଉ ମିଳିଲେ ନାହିଁ । ଏହା ଯେ ଏକ ଦୈବ ବାଣୀ,ଏହା ମନେକରି ଗଜପତି ମହାରାଜା ଆଉ ସାକ୍ଷୀଗୋପାଳ ମନ୍ଦିରରେ ଅନ୍ନ ଭୋଗ ବ୍ୟବସ୍ଥା ପାଇଁ ଅନୁମତି ପ୍ରଦାନ କରି ନଥିଲେ । ଏ ଯାବତ ସାକ୍ଷୀଗୋପାଳ ମନ୍ଦିରରେ ଏହି ପରମ୍ପରା ଚଳି ଆସୁଛି । ଏଣୁ ଏଠାରେ ମହାପ୍ରଭୁଙ୍କ ଅନ୍ନଭୋଗ ବ୍ୟବସ୍ଥା ନାହିଁ ।
ଏହି ଉପାଖ୍ୟାନରୁ ପ୍ରତିପାଦିତ ହୁଏ, ମହାଲକ୍ଷ୍ମୀ ହେଉଛନ୍ତି ପ୍ରକୃତରେ ମହାପ୍ରସାଦର ମାଲିକାଣି । ସ୍କନ୍ଧ ପୁରାଣରେ କୁହାଯାଇଛି :-
ପୁଂନାମ୍ନା ଭଗବାନବିଷ୍ଣୁ
ସ୍ତ୍ରୀନାମ୍ନା କମଳାଳୟା
ଦେବତିର୍ଯ୍ୟତଂ ମାନୁଷ୍ୟାଦୌ
ବିଦ୍ୟତେ ଦୈତୟୋ ପରମ୍ ।।
ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ମତାନୁଯାୟୀ ଆଦି ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁସାରେ ମହାରାଜା ଯଯାତିକେଶରୀଙ୍କ ସମୟରେ ଶ୍ରୀମନ୍ଦିରରେ ଅନ୍ନ ଭୋଗର ବ୍ୟବସ୍ଥା ହୋଇଥିଲା ପୁଣି କେତେକଙ୍କ ମତରେ ମହାରାଜା ଅନଙ୍ଗଭୀମ ଦେବ ୧୨୩୦ ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ନିର୍ମାଣ ସମାପ୍ତି କରିବା ପରେ ରାଜଭୋଗର ପ୍ରଚଳନ କରିଥିଲେ । ତାହା ହିଁ ମହାପ୍ରସାଦ । ଏହି ବିଷ୍ଣୁଭୋଗ ଅତ୍ୟନ୍ତ ପବିତ୍ର ଏବଂ ପ୍ରାପ୍ତ ମାତ୍ରେ ଭକ୍ଷ୍ୟ । ଏଣୁ ବ୍ରହ୍ମ ବୈବର୍ତ୍ତ ପୁରାଣରେ କୁହାଯାଇଛି :-
ଜଗନ୍ନାଥସ୍ୟ ନୈବେଦ୍ୟମ୍
ମହାପାତକ ନାଶନମ୍ ।
ଭକ୍ଷ୍ୟଣାତ ଫଳମାପନୋତି
କପିଳା କୋଟି ଦାନବମ୍ ।।
ସର୍ବଶାସ୍ତ୍ର ଅନୁଯାୟୀ ମା’ ମହାଲକ୍ଷ୍ମୀ ହେଉଛନ୍ତି ପବିତ୍ର ଏହି ମହାପ୍ରସାଦର ପାଚିକା ବା ପ୍ରସ୍ତୁତି କାରିଣୀ ଏବଂ ବୈକୁଣ୍ଠ ବିହାରୀ ସ୍ୱୟଂ ବିଷ୍ଣୁ ହେଉଛନ୍ତି ଏହାର ଭୋକ୍ତା ।