ପୁରୁଷୋତ୍ତମପୁରରେ ଭସାଣି ବେଳେ ଯୁବକଙ୍କୁ ବିଭତ୍ସ ହତ୍ୟା | News Room Odisha

ପୁରୁଷୋତ୍ତମପୁରରେ ଭସାଣି ବେଳେ ଯୁବକଙ୍କୁ ବିଭତ୍ସ ହତ୍ୟା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମ କୋଠ ଘରେ ରବିବାର ମଧ୍ୟରାତ୍ରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଗାଁରେ ଶ୍ରୀଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଡିଜେ ପଟୁଆର ସୁଯୋଗରେ ଦୁର୍ବୁତ୍ତମାନେ ବିନାୟକ ପ୍ରଧାନ ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିନାୟକଙ୍କ ଶରୀରରେ ବହୁ କ୍ଷତ ଚିହ୍ନ ଥିବା ସହ ପଥରରେ ତାଙ୍କ ମୁହଁକୁ ଛେଚି ଦିଆଯାଇଛି। ପୂର୍ବରୁ ଗାଁର କିଛି ଯୁବକଙ୍କ ସହ ଟଙ୍କା ମାଗିବାକୁ ନେଇ ବିନାୟକଙ୍କ ଝଗଡା ହୋଇଥିବା ଜଣାପଡିଛି। ସେଥିରେ ପ୍ରତିଶୋଧ ପରାୟଣ ହୋଇ ଦୁର୍ବୁତ୍ତମାନେ ଯୋଜନାବଦ୍ଧ ଭାବେ ଭସାଣି ରାତିରେ ଅନ୍ୟମାନେ ପଟୁଆରରେ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ସୋମବାର ସକାଳୁ ଗ୍ରାମବାସୀ ହତ୍ୟା ସମ୍ପର୍କରେ ଜାଣି ପୋଲିସକୁ ଖବର ଦେଇଥିଲେ। ପୁରୁଷୋତ୍ତମପୁର ଥାନାଧିକାରୀ ସଦଳବଳ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୂର୍ବରୁ ଗଣ୍ଡଗୋଳ କରିଥିବା କିଛି ଯୁବକଙ୍କୁ ସନ୍ଦେହରେ ପଚରାଉଚରା କରୁଛନ୍ତି।