ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅନ୍ତରାଳେ... ଆୟୁଷ୍ମାନକୁ ବିରୋଧ ଓ ବିଜୁ ସ୍ମାର୍ଟକାର୍ଡକୁ ନରସିଂହ ଓ ସାଲୁଜାଙ୍କ ଖୋଲା ସମର୍ଥନ, ଅଡୁଆରେ ବିଜେପି | News Room Odisha

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତ ଅନ୍ତରାଳେ… ଆୟୁଷ୍ମାନକୁ ବିରୋଧ ଓ ବିଜୁ ସ୍ମାର୍ଟକାର୍ଡକୁ ନରସିଂହ ଓ ସାଲୁଜାଙ୍କ ଖୋଲା ସମର୍ଥନ, ଅଡୁଆରେ ବିଜେପି

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀଙ୍କ ଗତକାଲିର ବଲାଙ୍ଗୀର ଗସ୍ତ ଶେଷ ହୋଇଛି । ଜିଲ୍ଲାକୁ ପ୍ରାୟ ୮ ଶହ କୋଟି ଟଙ୍କାର ପ୍ରକଳ୍ପ ମିଳିଛି । ସେପଟେ , ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୋଟାମୋଟି ଭାବେ ଜିଲ୍ଲାର ପ୍ରାୟ ସମସ୍ତ ଗୁରୁତ୍ଵପୂର୍ଣ୍ଣ ବିକାଶ ପ୍ରକଳ୍ପ ନେଇ ରୋଡମ୍ୟାପ୍ ଆଙ୍କିବା ସହିତ ବହୁ ପ୍ରକଳ୍ପକୁ ଗତକାଲି ସାକାର ରୂପ ଦେଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ , ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଜିଲ୍ଲାର ରାଜନୀତି ଜୋର ଧରିଥିବା ବେଳେ ଏକପ୍ରକାର ବିରୋଧୀ ବିଜେପି ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ଘନେଇଲାଣି । କାରଣ , ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଆୟୁଷ୍ମାନ ଭାରତକୁ ବିରୋଧ ସହ ବିଏସକେଓ୍ବାଇ ସ୍ମାର୍ଟ ହେଲ୍‌ଥ କାର୍ଡକୁ ଓଡିଶା ବିଧାନସଭାର କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ଏବଂ କାଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଖୋଲା ସମର୍ଥନ ଅଧିକ ଚର୍ଚ୍ଚାର ବିଷୟ ହୋଇଛି । ଖାଲି ସେତିକି ନୁହେଁ , ନରସିଂହଙ୍କ ସମର୍ଥନ ପରେ ବିଜେପି ସାଂଘାତିକ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ପ୍ରସଙ୍ଗରେ ଦଳ ଜିଲ୍ଲାରେ ଏକଘରିଆ ହୋଇଯାଇଥିବା ଆଲୋଚନା ହେଲାଣି ।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବଲାଙ୍ଗୀର ଗସ୍ତରେ ଆସିଥିଲେ । ଜିଲ୍ଲାରେ ପ୍ରାୟ ୨ ଶହ କୋଟିର ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ଉଦଘାଟନ କରିବା ସହିତ ୫୯୭ କୋଟିର ବିଭିନ୍ନ ପ୍ରକଳ୍ପ ପାଇଁ ଭିଭିପ୍ରସ୍ତର ଦେଇଥିଲେ । ଏଥିରେ ବହୁ ପ୍ରତୀକ୍ଷିତ ବଲାଙ୍ଗୀର ବସ୍ ଟର୍ମିନାଲରୁ ଆରମ୍ଭ କରି ହରିଶଙ୍କର ପର୍ଯ୍ୟଟନ ପୀଠର ବିକାଶ ଏବଂ ଅନେକ ପାନୀୟ ଜଳ ପ୍ରକଳ୍ପ ଆଦି ସାମିଲ ରହିଥିଲା । ତେବେ , କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା- ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ ।

ଏହି କାର୍ଡ ଦ୍ୱାରା ଜିଲ୍ଲାର ୪ ଲକ୍ଷ ପରିବାର ଉପକୃତ ହେବେ । ଦେଶର ୨ ଶହରୁ ଉର୍ଦ୍ଧ ବଡ ବଡ ଡାକ୍ତରଖାନାରେ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ପ୍ରତି ପରିବାରକୁ ୫ ଲକ୍ଷ ଏବଂ ମହିଳାଙ୍କୁ ବାର୍ଷିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହାଛଡ଼ା ରାଜ୍ୟର ପ୍ରତି ପରିବାରର ସ୍ବାର୍ଥ ପାଇଁ ସାସ୍ଥ୍ୟର ବିକାଶ ଦିଗରେ ତାଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ହେଲେ ଏହି ସଭାରେ ଉପସ୍ଥିତ ଦୁଇ ବିରୋଧୀ ଦଳର ବିଧାୟକ ଏବଂ ସାଂସଦଙ୍କ ମଧ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ବିବାଦ ରୋଚକ ସ୍ଥିତିରେ ପହଞ୍ଚିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉକ୍ତ ସଭାରେ ଓଡିଶା ବିଧାନସଭାର କଂଗ୍ରେସ ଦଳ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଖୋଲାଖୋଲି ଭାବେ ଆୟୁଷ୍ମାନ ଭାରତକୁ ବିରୋଧ କରି ବିଜୁ ସ୍ମାର୍ଟ ହେଲଥ କାର୍ଡକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ନରସିଂହ ମିଶ୍ର ତାଙ୍କ ବକ୍ତବ୍ୟରେ କହିଲେ ଯେ , ସେ ଉଭୟ ଯୋଜନାର ଗାଇଡଲାଇନ ପଢ଼ିଛନ୍ତି । ହେଲେ ଆୟୁଷ୍ମାନ ଭାରତ କୌଣସି ପରିସ୍ଥିତିରେ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲଥ କାର୍ଡ ସହ ସମକକ୍ଷ ହୋଇପାରିବ ନାହିଁ ବୋଲି ସେ ରୋକଠୋକ କହିଥିଲେ । ଆଉ ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ନ କରି ରାଜ୍ୟ ସରକାର ଉତ୍ତମ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଥିଲେ ।

ଉକ୍ତ ସଭାରେ ଉପସ୍ଥିତ ବଲାଙ୍ଗୀର ବିଜେପି ସାଂସଦ ସଂଗୀତା ସିଂହଦେଓ ଏବଂ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ନିଜ ନିଜ ବକ୍ତବ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଦାବି କରିଥିଲେ । ହେଲେ ନରସିଂହଙ୍କ ବକ୍ତବ୍ୟ ପରେ ବିଧାୟକ ଶ୍ରୀ ସାଲୁଜାଙ୍କୁ କଟାକ୍ଷ ସେମାନଙ୍କ ମୁହଁ ବନ୍ଦ କରି ଦେଇଥିଲା । ଏପରିକି ବିଧାୟକ ଶ୍ରୀ ମହାଲିଙ୍ଗ ତାଙ୍କ ବକ୍ତବ୍ୟରେ ଆୟୁଷ୍ମାନ ଭାରତ ସପକ୍ଷରେ ଯୁକ୍ତି ବାଢି ଏହା ଲାଗୁ କଲେ ରାଜ୍ୟ ସରକାରଙ୍କ ୬୦ ପ୍ରତିଶତ ଅର୍ଥ ବଞ୍ଚିଯିବ ବୋଲି କହିଥିଲେ । କିନ୍ତୁ , ସାଲୁଜା ତାଙ୍କ ଜବାବରେ ଏହାକୁ କଟାକ୍ଷ କରି ଆୟୁଷ୍ମାନ ତ କେବଳ ପ୍ରଚାର ପୋଷ୍ଟରେ …. ଏହା କାହାକୁ ମିଳିଲେ ସିନା ଲାଗୁ କରିବ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲ୍‌ଥ କାର୍ଡ ହିଁ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିପାରିବ ବୋଲି ସେ ରୋକଠୋକ୍‌ ଶୁଣାଇ ଦେବା ଦ୍ଵାରା ବିଧାୟକ ଶ୍ରୀ ମହାଲିଙ୍ଗ ଏବଂ ସଂସଦ ଶ୍ରୀମତି ସିଂହଦେଓଙ୍କ ମୁହଁ ପାଣିଚିଏ ହୋଇଯାଇଥିଲା ।

ତେବେ, କଂଗ୍ରେସର ବରିଷ୍ଠ ବିଧାୟକମାନେ ବିଜୁ ସ୍ମାର୍ଟ କାର୍ଡକୁ ଖୋଲା ସମର୍ଥନ କରିବା ପରେ ଆୟୁଷ୍ମାନ ଭାରତ ନେଇ ଡିଣ୍ଡିମ୍ ପିଟୁଥିବା ଗେରୁଆ ନେତା ତଥା କର୍ମୀ ଗତକାଲି ଜିଲ୍ଲା ସାରା ଲଜ୍ଜିତ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

BSKY Smart Health CardChief Minister Naveen PatnaikOdisha Government