ଉପକୂଳ ଆଡକୁ ପାଖେଇ ଆସୁଛି ବାତ୍ୟା ‘ଗୁଲାବ’, ଆଜି ସଂଧ୍ୟାରେ ଲ୍ୟାଣ୍ଡଫଲ୍ , ଆଲର୍ଟରେ ଦକ୍ଷିଣ ଓଡିଶା | News Room Odisha

ଉପକୂଳ ଆଡକୁ ପାଖେଇ ଆସୁଛି ବାତ୍ୟା ‘ଗୁଲାବ’, ଆଜି ସଂଧ୍ୟାରେ ଲ୍ୟାଣ୍ଡଫଲ୍ , ଆଲର୍ଟରେ ଦକ୍ଷିଣ ଓଡିଶା

ଭୁବନେଶ୍ୱର- ବଙ୍ଗୋପସାଗର ଉପକୂଳ ଆଡକୁ ପାଖଉଛି ବାତ୍ୟା ‘ଗୁଲାବ’ । ଗୋପାଳପୁରଠାରୁ ୩୧୦ ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟନମଠାରୁ ୩୮୦ କିଲୋମିର ଦୂରରେ ରହିଛି ବାତ୍ୟା । ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ଗୋପାଳପୁର-କଳିଙ୍ଗପଟନମ ମଝିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟାର ପ୍ରଭାବ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶାରେ ଅଧିକ ରହିବ । ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ, କୋରାପୁଟ, ମାଲକାନିରି ଓ ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲାରେ ବାତ୍ୟା ମୁକାବିଲା ପାଇଁ ସଜାଗ ରହିଛି ପ୍ରଶାସନ । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦିଆଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ପ୍ରବଳ ବର୍ଷା ଯୋଗୁଁ ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା ରହିଛି । ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ୍ ପ୍ରସ୍ତୁତ ରଖାଯାଉଛି । ବାତ୍ୟା ପ୍ରଭାବରେ ପୁରୀ, ଖୋର୍ଦ୍ଧା, ନୟାଗଡ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହି ଚାରିଟି ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଣେ ବାତ୍ୟା ଗୁଲାବ ଦୃଷ୍ଟିରୁ ୨୮ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳବାଇ । ଆଜି ୧୯ଟି ଓ ଆସନ୍ତାକାଲି ୯ଟି ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଥିବା ବେଳେ ୫ଟିର ଗତିପଥ ବଦଳାଯାଇଛି ।

Cyclone GulabIMD