ଶିଶୁଙ୍କୁ ମନଲୋଭା ପରିବେଶରେ ପ୍ରାକ୍-ସ୍କୁଲ ଶିକ୍ଷାଦାନ | News Room Odisha

ଶିଶୁଙ୍କୁ ମନଲୋଭା ପରିବେଶରେ ପ୍ରାକ୍-ସ୍କୁଲ ଶିକ୍ଷାଦାନ

କେଉଁଝର: ଶିଶୁ ମନ ବଡ଼ ଚଳଚଞ୍ଚଳ। ସେ ମାଟିର ଚଟାଣ ହେଉ କି ଫୁଲର ବଗିଚା ଅଥବା ନରମ ଗଦି ତକିଆ ଭରା କୋଠରୀ, ଯେଉଁ ପରିବେଶ ତାକୁ ଆକର୍ଷଣୀୟ ମନେ ହୁଏ ସେଠି ତାହାର ମନ ଲାଖିଯାଏ। ରଙ୍ଗୀନ ଚିତ୍ରବିଚିତ୍ର କାନ୍ଥ, ଆରାମଦାୟକ ଚେୟାର ଟେବୁଲ, ଦେଖି ଶିଖିବା ପାଇଁ ବହୁ ଉପକରଣ ଯଦି ଥିବ ତେବେ ଛୋଟ ଛୁଆ କାହିଁକି ଯେ ପ୍ରାକ୍-ବିଦ୍ୟାଳୟକୁ ଆଗ୍ରହ ସହକାରେ ମନ ଖୁସିରେ ଚାଲି ଆସିବନି। କେବଳ ସେତିକି ନୁହେଁ, ଏଇ ଶିକ୍ଷଣୀୟ ଓ ଆନନ୍ଦଦାୟକ ପରିବେଶରେ ତାର ଶିକ୍ଷା ପ୍ରତି ଆଗ୍ରହ ତ ବଢ଼ିବ ତା ସହ ଗୁଣାତ୍ମକ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ପ୍ରତି ମଧ୍ୟ ଏହା ବେଶ୍ ସହାୟକ ହେବା ନିଶ୍ଚିତ।

ଏଇ ଚିନ୍ତାଧାରାକୁ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ବାସ୍ତବ ରୂପ ଦେବାରେ ଲାଗି ପଡ଼ିଛି କେଉଁଝର ଜିଲ୍ଲା ପ୍ରଶାସନ। ବଦଳିବାରେ ଲାଗିଛି ଅଙ୍ଗନବାଡ଼ି କେନ୍ଦ୍ରର ବାହ୍ୟ ଓ ଆଭ୍ୟନ୍ତରୀଣ ଦୃଶ୍ୟପଟ୍ଟ। ପିଲାଏ ଆଉ ଚଟାଣରେ ନୁହେଁ, ବରଂ ସୁନ୍ଦର ସୁସଜ୍ଜିତ ଓ ରଙ୍ଗୀନ ଚେୟାର ଟେବୁଲରେ ବସି ପଢୁଛନ୍ତି। ଖେଳିବା ପାଇଁ ହାତ ପାଆନ୍ତାରେ ଭଳିକି ଭଳି ଖେଳନା ଯାହା ଶିଶୁଙ୍କ ବ୍ୟବହାର ଦୃଷ୍ଟିରୁ ବେଶ୍ ନିରାପଦ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ୩୫୬ ଅଙ୍ଗନବାଡ଼ି କେନ୍ଦ୍ରର କାୟା ପରିବର୍ତ୍ତନ କରାଯାଇଛି। ଆଗକୁ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରହିଛି।

ଶିଶୁଙ୍କ ଅନୁକୂଳ ଫର୍ଣ୍ଣିଚର୍ ଅଙ୍ଗନବାଡ଼ି କେନ୍ଦ୍ରରେ ପକାଯାଇଛି।ସେମାନେ ଯେପରି ସ୍ବଚ୍ଛନ୍ଦରେ ବସିପାରିବେ, ସେମାନଙ୍କ ନିରାପତ୍ତାକୁ ନଜରରେ ରଖି ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ- ଅଙ୍ଗନବାଡ଼ି କେନ୍ଦ୍ରର ପରିବେଶକୁ ଅଧିକ ଜୀବନ୍ତ କରିବାକୁ ଏହା ଏକ ପଦକ୍ଷେପ। ଏଭଳି ଶିଶୁ ଅନୁକୂଳ ଫର୍ଣ୍ଣିଚର୍ ରହିବା ଦ୍ବାରା ଶିଶୁର ସାମଗ୍ରୀକ ବିକାଶରେ ସହାୟକ ହେବା ସାଙ୍ଗକୁ ସେମାନଙ୍କ ମଧ୍ୟରେ ନୂଆ ଅଭ୍ୟାସ ଢାଳି ପାରିବ।

ବିଦ୍ୟାଳୟରେ ଉନ୍ନତ ପରିବେଶ ସହ ଗୁଣାତ୍ମକ ଶିକ୍ଷାର ଗଭୀର ସମ୍ପର୍କ ରହିଛି। ଉତ୍ତମ ବାତାବରଣ ପିଲାଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି ସହ ସେମାନଙ୍କ ମଧ୍ୟରେ ଆନନଦଦାୟକ ଶିକ୍ଷା ଗ୍ରହଣର ଅନୁଭୂତି ଜାଗ୍ରତ କରିପାରିବ। ସୁବିଧାଦାୟକ ସ୍କୁଲ ଆସବାବପତ୍ର, ଶିକ୍ଷା ଗ୍ରହଣର ଅଭିବୃଦ୍ଧି ଏବଂ ଶ୍ରେଣୀକକ୍ଷରେ ଛୁଆଙ୍କ ବିକାଶ ଏହାହିଁ ପ୍ରମାଣିତ କରେ ଯେ- ଉଚ୍ଚ ଗୁଣାତ୍ମକ ଓ ଶିଶୁ ଅନୁକୂଳ ସ୍କୁଲ ଫର୍ଣ୍ଣିଚର୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ବେଶ୍ ଆଗ୍ରହ ସୃଷ୍ଟି କରିବା ଦୃଷ୍ଟିରୁ ଜରୁରୀ ଆବଶ୍ୟକତା ଅଟେ। ଏଣୁ କେଉଁଝର ଜିଲ୍ଲା ପ୍ରଶାସନ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଯୋଗାଇ ଦେଇଥିବା ଫର୍ଣ୍ଣିଚର୍ ଉଚ୍ଚ ଗୁଣାତ୍ମକ ମାନର ତଥା ପ୍ରାକ୍-ବିଦ୍ୟାଳୟ ଶିଶୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଲକ୍ ଡାଉନ୍ ସମୟରେ ଏହି କାର୍ଯ୍ୟ ଶେଷ ହୋଇଛି। ଆଧୁନିକ ଫର୍ଣ୍ଣିଚର୍ ପ୍ରାକ୍-ବିଦ୍ୟାଳୟ କେନ୍ଦ୍ର ମାନଙ୍କର ରୂପରେଖ ବଦଳାଇ ଦେବା ସହ ସମଗ୍ର ପରିସରକୁ ଆନନ୍ଦଦାୟକ, ଉତ୍ସାହପ୍ରଦ କରିପାରିଛି। ପିଲା ଓ ଅଭିଭାବକଙ୍କ ମନରେ ଭରପୁର ଆଗ୍ରହ ଭରି ଦେଇପାରିଛି।