ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ | News Room Odisha

ଆଜି ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ

ଆଶ୍ୱିନମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଆଜି ଶ୍ରୀମନ୍ଦିରରେ ପାଳିତ ହେବ ସହସ୍ର କୁମ୍ଭାଭିଷେକ ଉତ୍ସବ । ଆଜି ହେଉଛି ଦୁର୍ଗା ଉତ୍ଥାପନ ସପ୍ତମୀ। ଦେବୀ ଦୁର୍ଗା ଶୟନ କରିଥିଲେ ଆଜି ତାଙ୍କର ଉତ୍ଥାପନ ଉତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହେବ। ଶ୍ରୀଜୀଉ ମାନଙ୍କ ସକାଳ ଧୂପ ପରେ ଦେବୀ ଦୁର୍ଗା ଭଣ୍ଡାର ଘରୁ ଆଜ୍ଞାମାଳ ପାଇ ପତି ମହାପାତ୍ରଙ୍କ ହାତରେ ସୋମନାଥ ମଣ୍ଡପ (ମାଜଣା ମଣ୍ଡପରେ ଖଟରେ ବିଜେ ହେବେ । ପଣ୍ଡା, ପତି ଓ ମୁଦିରସ୍ତ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ଦୁର୍ଗାଙ୍କୁ ୧୦୦୦ ଗରା ଜଳରେ ଅଭିଷେକ କରାଇବେ । ଏହା ପରେ ଶ୍ରୀଅଙ୍ଗ ପୋଛା, ନବବସ୍ତ୍ର ଲାଗି, ବେଶ, ପ୍ରସାଦ ଲାଗି, ଶୀତଳ ଭୋଗ, ବନ୍ଦାପନାଦି ନୀତି ଶେଷ ପରେ ଦେବୀଙ୍କୁ ଭଣ୍ଡାରଘର ଦ୍ବାର ଦେଶରେ ବିଜେ କଲା ପରେ ସହସ୍ର କୁମ୍ଭାଭିଷେକ ବିଧି ଶେଷ ହେବ ।

ଦେବୀ⁠ଦୁର୍ଗା ଭଣ୍ଡାର ଦ୍ୱାର ଠାରେ ବିଜେ ହେବା ପରେ ଶ୍ରୀବାଳ ପୁରୁଷୋତ୍ତମ ( ମାଧବ) ରତ୍ନ ସିଂହାସନ ରୁ ଆଜ୍ଞାମାଳ ପାଇ ଆସି ଦୁର୍ଗାଙ୍କ ସହିତ ଏକତ୍ର ଭଦ୍ରାସନରେ ବସି ରୁନ୍ଧାକାର୍ଯ୍ୟ ସମ୍ପର୍ଣ୍ଣ ହେବ । ଏକତ୍ର ରୁନ୍ଧା ଅବସ୍ଥାରେ ଦୁର୍ଗାମାଧବ ରତ୍ନ ସିଂହାସନକୁ ଯାଇ ଆଜ୍ଞାମାଳ ପ୍ରାପ୍ତ ହେବେ। ପରେ ଜୟ ବିଜୟ ଦ୍ୱାର ବାଟ ଦେଇ ଝୁଲଣ ମଣ୍ଡପଠାରେ ପାଲିଙ୍କିରେ ଆସି ବିଜେ କରିବେ। ଏହାପରେ କର୍ପୂର ଜଳ ଲାଗି ନୀତି ବଢିବ। ଏହି ନୀତି ପରେ ଦୁର୍ଗାମାଧବ ବିମଳା ମନ୍ଦିରକୁ ବିଜେ କରିବେ । ସେଠାର ଖଟ ଉପରେ ଦୁର୍ଗାମାଧବ ବିଜେ ହେଲେ ଶୀତଳ ଭୋଗ ମଣୋହି ଓ ବନ୍ଦାପନା ସମ୍ପର୍ଣ୍ଣ ହେବ । ତତ୍ପୂର୍ବରୁ ବିମଳାଙ୍କ ସକାଳ ଧୂପ ଶେଷ ହୋଇଥିବ । ତିନି ଧୂପ ସରି ଭିତରେ ଚନ୍ଦନ ଲାଗି ନୀତି ପରେ ଦୁର୍ଗାମାଧବ ପାଲିଙ୍କିରେ ଯାଇ ଭଣ୍ଡାରରେ ବିଜେ କରିବେ ।ଦୁର୍ଗାମାଧବ ଷୋହଳ ଦିନ ଏହିପରି ରୁନ୍ଧା ଅବସ୍ଥାରେ ରହିବେ । ଦଶହରା ଦିନ ରୁନ୍ଧା ଖୋଲାଯାଇ ମାଧବଙ୍କୁ ରତ୍ନ ସିଂହାସନ ଏବଂ ଦୁର୍ଗାଙ୍କୁ ଭଣ୍ଡାରଘରେ ବିଜେ କରାଯିବ। ସମଗ୍ର ଭାରତ ବର୍ଷରେ ଏହି ଦୁର୍ଗାମାଧବ ଉପାସନା ଅନନ୍ୟ। ଯାହା ଏହି ସହସ୍ର କୁମ୍ଭାଭିଷେକ ପର୍ବ ରୁ ଆରମ୍ଭ ହୋଇ ଦଶହରା ଦିନ ଶେଷ ହେବ। ଆସନ୍ତା କାଲି ଠାରୁ ଶ୍ରୀବିମଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ପୂଜା ଉତ୍ସବ ଆରମ୍ଭ ହେବ।