ଆଜିଠାରୁ ଶ୍ରୀବିମଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗଉତ୍ସଵ ଆରମ୍ଭ  | News Room Odisha

ଆଜିଠାରୁ ଶ୍ରୀବିମଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗଉତ୍ସଵ ଆରମ୍ଭ 

ଆଜିଠାରୁ ଶ୍ରୀମନ୍ଦିରସ୍ଥ ଶ୍ରୀବିମଳାଙ୍କ ପୀଠରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ଦୁର୍ଗଉତ୍ସଵ ଆରମ୍ଭ । ଏହି ସମୟରେ ଶ୍ରୀକ୍ଷେତ୍ର ରାଜେଶ୍ୱରୀ ଶ୍ରୀବିମଳାଙ୍କ ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହେବ। ଷୋହଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗାମାଧବ ଭଦ୍ରାସନରେ ରୁନ୍ଧା ଅବସ୍ଥାରେ ବିମଳାଙ୍କ ମନ୍ଦିରକୁ ଯାତ୍ରା କରିବେ। ପରବର୍ତ୍ତୀ ଆଠଦିନ ଦୋଳ ମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିବେ । ଏହି ଯାତ୍ରା କାଳରେ ଦୁର୍ଗାମାଧବ ରଥ ସଦୃଶ୍ୟ ଏକ ବିମାନରେ ଉପବେଶନ କରି ଯାତ୍ରା କରିବେ।ଉଭୟ ସ୍ଥାନରେ ଏକା ପରି ନୀତି ସମ୍ପାଦିତ ହେବ। ଏହି ଯାତ୍ରାକୁ ପକ୍ଷାନ୍ତରେ ଶାକ୍ତ ଗୁଣ୍ଡିଚା କୁହାଯାଇଥାଏ।

ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ଶେଷ କରଯାଇଥିବ । ପ୍ରଥମ ପୂଜାପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣମାନେ ହୁକୁମମାନ ପାଠ କରିବେ । ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା, ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ କରାଯିବ । ଏହାପରେ ସଂକଳ୍ପ ପାଠ କରାଯାଇ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହେବ । ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହେବ । ପାଳିଆ ସେବକ ପୂଜା ଠା’ କରିବେ । ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାଇବେ । ଏହିପୂଜା ଷୋଡ଼ଶ ଉପଚାରରେ କରାଯିବ । କୋଠଭୋଗର ମହାପ୍ରସାଦ ପିଠା, ଥ।ଳି ଖେଚୁଡ଼ି ବିମଳା ଙ୍କ ମଣୋହିରେ ବଢ଼ାଯିବ । ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜିବ, ଛତ୍ର ଧରାଯିବ । ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁିଥିଲେ ଓ ଦେବଦାସୀ ନୃତ୍ୟ କରୁିଲେ । ତାହା ଏବେ ଆଉ ହେଉନାହିଁ । ଏହି ପରମ୍ପରା ବନ୍ଦ ରହିଛି।

ବିମଳାଙ୍କ ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହେବ । ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯିବ । କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପମାନଙ୍କରେ ହେବ ନାହିଁ । ବିଧି ଅନୁସାରେ ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ଅନୁଷ୍ଠିତ ହେବ । ଏହି ଧୂପମାନଙ୍କରେ ସକାଳଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯିବ । ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପରେ ରହିବ।

ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ କରାଯିବ । ସେ ସବୁ ବେଶ ଗୁଡିକ ହେଉଛି – ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ । ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ । ଷୋଳପୂଜା ସମୟରେ ମାଆ ବିମଳା ଏହିସବୁ ସ୍ୱତନ୍ତ୍ର ବେଶରେ ଭକ୍ତଂକୁ ଦର୍ଶନ ଦେବେ।