୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ | News Room Odisha

୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ

ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଓ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ବୈଠକରେ ଝାରସୁଗୁଡ଼ାଠାରେ ପ୍ରସ୍ତାବିତ କାର୍ଡିଆକ୍ କେୟାର ହସ୍ପିଟାଲ ସମ୍ପର୍କରେ ଆଲୋଚନା ହେଇଥିଲା ।

ପ୍ରଥମେ ଏହି ହସ୍ପିଟାଲ ପାଇଁ ୩୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କର୍ମଚାରୀ ମାନଙ୍କ ପାଇଁ କ୍ବାର୍ଟର ନିର୍ମାଣ ଓ ହସ୍ପିଟାଲ ପରିଚାଳନା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଏହି ଅର୍ଥ ମହାନଦୀ କୋଲ ଫିଲଡ଼୍ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଦାସ ମତ ଦେଇଥିଲେ ।

ଏତଦ୍ ବ୍ୟତୀତ ମନ୍ତ୍ରୀ ଦାସ ହସ୍ପିଟାଲର ପରିଚାଳନା ନିମନ୍ତେ ଉନ୍ନତ ମାନର ଯନ୍ତ୍ରପାତି ସ୍ଥାପନ ତଥା ଆବଶ୍ୟକୀୟ ଡ଼ାକ୍ତର ଓ ବିଭିନ୍ନ ବର୍ଗର ସାସ୍ଥ୍ୟ କର୍ମୀ ନିଯୁକ୍ତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ହସ୍ପିଟାଲ ଆସନ୍ତା ବର୍ଷ ଜୁନ୍ ମାସ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହା ସହିତ ଝାରସୁଗୁଡ଼ା ଅଂଚଳର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ରାଜସ୍ବ ଆୟ ନିମନ୍ତେ ସିଏସଆର ମାଧ୍ୟମରେ ବିଭିନ୍ନ ଅର୍ଥ ଉପାର୍ଜନକାରି ପ୍ରକଳ୍ପ ସୃଷ୍ଟି ଦିଗରେ ମନ୍ତ୍ରୀ ଦାସ ମହାନଦୀ କୋଲ ଫିଲଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଏହି ବିଷୟରେ ଆକଳନ କରିବା ପାଇଁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ତତ୍ ସହିତ ନୂତନ ଷ୍ଟାଡ଼ିୟମ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ନିମନ୍ତେ ଆବଶ୍ୟକ ହେଉଥିବା ବଳକା ଅର୍ଥକୁ ମଧ୍ୟ ଯୋଗାଇ ଦେବା ପାଇଁ ମହାନଦୀ କୋଲ ଫିଲଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।

ସେହିପରି ଝାରସୁଗୁଡ଼ା ଜିଲ୍ଲାର ପ୍ରତି ଗ୍ରାମପଂଚାୟତର ସଦର ମହକୁମା ଠାରେ ଏକ ବହୁମୁଖ ଗୋଷ୍ଠୀ କେନ୍ଦ୍ର ସ୍ଥାପନ ନିମନ୍ତେ ଅର୍ଥ ବ୍ୟବସ୍ଥା କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ମହାନଦୀ କୋଲ ଫିଲଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା । ଏହାର ସମସ୍ତ କାଗଜାତ ପ୍ରସ୍ତୁତ ସହ ବିଭିନ୍ନ ଜଳାଶୟରେ ଜେଟି ନିର୍ମାଣ ଓ ବୋଟ୍ ଚଳାଚଳ ପାଇଁ ଆବଶ୍ୟକିୟ ପ୍ରସ୍ତାବ ପ୍ରଦାନ ନିମନ୍ତେ ମନ୍ତ୍ରୀ ଦାସ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଅବସରରେ ସାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା , ଜାତୀୟ ସାସ୍ଥ୍ୟ ମିଶନର ନିର୍ଦ୍ଦେଶିକା, ଶାଳିନୀ ପଣ୍ଡିତ୍ , ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ୟାମିନି ଷଡ଼ଙ୍ଗୀ , ବିଭିନ୍ନ ବିଭାଗୀୟ ଅଧିକାରୀ , ଏମସିଏଲର ସିଏମ୍‌ଡ଼ି ପ୍ରଭାତ କୁମାର ସିହ୍ନା , ନିର୍ଦ୍ଦେଶକ , ମାନବ ସମ୍ବଳ ଓ ଅର୍ଥ ଯୋଗ ଦେଇଥିଲେ । ଏହି ବୈଠକରେ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲ୍ଲାପାଳ ସରୋଜ କୁମାର ସାମଲ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।