ଲେଖକ- ପ୍ରତିଭା ନେପାକ
ନିଜ ବିଚାରହୀନ କାର୍ଯ୍ୟ ଲାଗି ମାନବ ସମାଜ ଭବିଷ୍ୟତ ପିଢ଼ି ପାଇଁ ଏବେ ଠାରୁ ସଙ୍କଟର ମୂଳଦୁଆ ପୋତିବାରେ ଲାଗିଛି। ସମ୍ପୂର୍ଣ୍ଣ ନଷ୍ଟ ହେଉ ନଥିବା ପ୍ଲାଷ୍ଟିକ୍ ଓ ପଲିଥିନର ବହୁଳ ବ୍ୟବହାର ହେଉ କିମ୍ବା ବାୟୁ- ଜଳ- ଶବ୍ଦ ଆଦି ଯାବତୀୟ ପ୍ରଦୂଷଣର କାରଣ ସାଜୁଛି। କେବଳ ନିଜର ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ନୁହେଁ, ବରଂ ସମଗ୍ର ଜୀବଜଗତ ପାଇଁ ବିପଦ ସୃଷ୍ଟି କରୁଛି। ସମୁଦ୍ରତଟରେ ତଥା ନଦୀ ମୁହାଣରେ ଲଗାତର ବଢ଼ି ଚାଲିଥିବା ପ୍ରଦୂଷଣ ଏହାର ଏକ ଉଦାହରଣ। ଜାତୀୟ ସାଗରତଟ ଗବେଷଣା କେନ୍ଦ୍ର (ଚେନ୍ନାଇ) ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ଦ୍ୱାରା ଅନ୍ୟ ଶିକ୍ଷାନୁଷ୍ଠାନ, ସାମାଜିକ ସଙ୍ଗଠନ ଓ ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସହଯୋଗରେ ଗତ କିଛି ବର୍ଷ ହେଲା ଗୋପାଳପୁର, ପୁରୀ ଓ ଋଷିକୁଲ୍ୟା- ବଙ୍ଗୋପସାଗର ମୁହାଣରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ କରାଯାଇ ଆସୁଛି। ସଫେଇ ବେଳେ ସଂଗୃହୀତ ଆବର୍ଜନାଜନିତ ଗତ କିଛି ବର୍ଷର ତଥ୍ୟକୁ ଦେଖିଲେ ଚିନ୍ତାଜନକ ସ୍ଥିତି ଉପୁଜୁଥିବା ସ୍ପଷ୍ଟ।
୨୦୧୯ ମସିହାରେ ହୋଇଥିବା ସଫେଇ ବେଳେ ଗୋପାଳପୁର ସମୁଦ୍ର କୂଳରେ ୧୮୧୧୬.୮ ବର୍ଗମିଟର ଅଞ୍ଚଳରୁ ମିଳିଥିଲା ୧୨ ଗୋଟି କିସମର ୭୮.୩ କେଜି ଆବର୍ଜନା। ସର୍ବାଧିକ ୨୭.୭୩ ପ୍ରତିଶତ ଥିଲା ପ୍ଲାଷ୍ଟିକ୍ ଓ ଗ୍ଲାସ୍ ଆବର୍ଜନା। ରବର ଆବର୍ଜନା ୧୮.୧୫ ପ୍ରତିଶତ, ପୂଜାର୍ଚ୍ଚନା ପରେ ଫୋପାଡ଼ି ଦିଆଯାଉଥିବା ସାମଗ୍ରୀ ୧୨.୮୯ ପ୍ରତିଶତ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବର୍ଜ୍ୟବସ୍ତୁ ୭.୯୩ ପ୍ରତିଶତ, ମତ୍ସ୍ୟଜୀବୀଙ୍କ ଦ୍ଵାରା ଉତ୍ପନ୍ନ ଆବର୍ଜନା ୩.୧୧ ପ୍ରତିଶତ ମିଳିଥିଲା। ଏଥିସହ ଧାତବ ଆବର୍ଜନା, ମେଡିକାଲ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ମଧ୍ୟ ମିଳିଥିଲା। ଚଳିତ ବର୍ଷ ସଫେଇ ବେଳେ ମିଳିଥିବା ଆବର୍ଜନାର ପରିମାଣ ବୃଦ୍ଧି ପାଇଛି। ସମୁଦ୍ରତଟର ୧୩୯୩୪.୮ ବର୍ଗମିଟରରୁ ମିଳିଛି ୨୦ ଗୋଟି କିସମର ୬୭.୧ କେଜି ବର୍ଜ୍ୟବସ୍ତୁ। ସେଥିରୁ ସର୍ବାଧିକ ୨୫.୪୨ କେଜି ଥିଲା ପ୍ଲାଷ୍ଟିକ୍। କାଚ ୨୫୯ କେଜି, ରବର ୧୧.୨ କେଜି, ପୂଜା ସାମଗ୍ରୀ ୧.୬ କେଜି ଆବର୍ଜନା ମିଳିଛି। ଦୁଇ ବର୍ଷ ମଧ୍ୟରେ ବର୍ଜ୍ୟବସ୍ତୁର ପରିମାଣ ବୃଦ୍ଧି ପାଇଛି ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମେରାଇନ୍ ସାଇନ୍ସ ପ୍ରଫେସର ପ୍ରତାପ କୁମାର ମହାନ୍ତି।
ଅପରପକ୍ଷରେ ୨୦୧୯ରେ ରଷିକୁଲ୍ୟା ମୁହାଣ ସମୁଦ୍ରତଟର ୨୧୩୩୩୬.୫ ବର୍ଗ ମିଟର ଅଞ୍ଚଳରୁ ମିଳିଥିଲା ୨୧୨.୧୮ କେଜି ଆବର୍ଜନା। ଚଳିତ ବର୍ଷ ଗୋଖରକୁଦା ଠାରୁ ଆରମ୍ଭ କରି ନୂଆ ପୋଡ଼ମପେଟା ପର୍ଯ୍ୟନ୍ତ ୪୦୭୦୩ ବର୍ଗମିଟରରୁ ମିଳିଛି ୧୬୩.୩ କେଜି ବର୍ଜ୍ୟବସ୍ତୁ। ପ୍ରଫେସର ମହାନ୍ତିଙ୍କ ସୂଚନା ମୁତାବକ ୨୦୧୯ରେ ଏଠାରୁ ବର୍ଗମିଟର ପିଛା ମିଳିଥିବା ବର୍ଜ୍ୟବସ୍ତୁର ପରିମାଣ ମାତ୍ର ୦.୯ ଗ୍ରାମ୍ ଥିବା ବେଳେ ଏଥର ତାହା ୪.୦୧୬ ଗ୍ରାମକୁ ବୃଦ୍ଧି ପାଇଛି। ନଦୀ ମୁହାଣରେ ବର୍ଜ୍ୟବସ୍ତୁ ବହୁ ମାତ୍ରାରେ ବୃଦ୍ଧି ପାଇବା ଚିନ୍ତାଜନକ ବୋଲି କହିଛନ୍ତି ପ୍ରଫେସର ପି.କେ.ମହାନ୍ତି। ୨୦୧୯ରେ ରଷିକୂଲ୍ୟା ମୁହାଣରୁ ପ୍ଲାଷ୍ଟିକ୍ ରବର ସାମଗ୍ରୀ ୪୦.୫ ପ୍ରତିଶତ, ପୂଜା ସମ୍ବନ୍ଧିତ ଆବର୍ଜନା ୩୩.୬୫ ପ୍ରତିଶତ, ମାଛଧରା ସମ୍ବନ୍ଧୀୟ ୯.୧୮ ପ୍ରତିଶତ, ଗ୍ଲାସ୍ ଆଇଟମ୍ ୮.୪୮ ପ୍ରତିଶତ, ପର୍ଯ୍ୟଟନ ସମ୍ବନ୍ଧିତ ୬.୨୭ ପ୍ରତିଶତ ଓ ଅବଶିଷ୍ଟ ଅନ୍ୟାନ୍ୟ କିସମର ଆବର୍ଜନା ବାହାରିଥିଲା। ୨୦୨୧ରେ ସର୍ବାଧିକ ରବର ବର୍ଜ୍ୟବସ୍ତୁ ୧୦୧.୩୪ କେଜି, କାଚ ଆବର୍ଜନା ୩୪.୪ କେଜି ଏବଂ ପ୍ଲାଷ୍ଟିକ୍ ଅବ୍ୟବହୃତ ସାମଗ୍ରୀ ୨୪.୧ କେଜି ମିଳିଛି।
ଏଭଳି ସମୁଦ୍ରତଟ ଓ ମୁହାଣରେ ଆବର୍ଜନା ବୃଦ୍ଧି ପାଇବା ଜଳ ଉତ୍ସ, ଜଳଜୀବ ସମେତ ମାନବ ସମାଜ ପାଇଁ ଚିନ୍ତାର କାରଣ। ଏହାର ନିରାକରଣ ପାଇଁ ବ୍ୟାପକ ସଚେତନତା ଆବଶ୍ୟକ। ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ବେଳାଭୂମି ସଫେଇର ମହତ୍ତ୍ବ, ଋଷିକୁଲ୍ୟା ମୁହାଣରେ ପ୍ରତି ବର୍ଷ ବିରଳ ଅଲିଭ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପରିପ୍ରେକ୍ଷୀରେ ସମୁଦ୍ରତଟ ସ୍ବଚ୍ଛତା ପ୍ରତି ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦିଅନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୋବିନ୍ଦ ଜେ.ଚକ୍ରପାଣି। ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକଙ୍କ ସୂଚନା ପ୍ରକାରେ ବନବିଭାଗ ଗୋଟିଏ ପଟେ ସଚେତନତା ସୃଷ୍ଟି ଲାଗି ଏବଂ ଅନ୍ୟ ପଟେ ବିରଳ ଅଲିଭ ରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ଦୃଷ୍ଟିରୁ ଏକାଧିକ ପର୍ଯ୍ୟାୟରେ ବେଳାଭୂମି ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟକୁ ସମ୍ପାଦନ କରି ଆସୁଛି। ଉଲ୍ଲେଖନୀୟ ଭାବେ ପ୍ରଶାସନ ତଥା ବନ ବିଭାଗର ସମୁଦ୍ରତଟ ସଫେଇ ଓ ସଂରକ୍ଷଣ ପ୍ରୟାସରେ ହାତ ମିଳାଇ ଆସୁଛନ୍ତି।ଋଷିକୁଲ୍ୟା କଇଁଛ ସୁରକ୍ଷା ସମିତି ସଦସ୍ୟ, ଗୋଖରକୁଦା ଓ ଅନ୍ୟ ତଟବର୍ତ୍ତୀ ଗ୍ରାମବାସୀ, ମତ୍ସ୍ୟଜୀବୀ ସମ୍ପ୍ରଦାୟ।
ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏଭଳି ବେଳାଭୂମି ସଫେଇ ପ୍ରତିବର୍ଷ ଆୟୋଜିତ ହୋଇ ସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟ କରୁଛି। ଓଡ଼ିଶାର ୩ଟି ବେଳାଭୂମି ସମେତ ଦେଶର ମୋଟ ୩୫ ସମୁଦ୍ରତଟରେ ଏଭଳି ବିଚ୍ କ୍ଲିନ୍ ଅଭିଯାନ ଓ ସଂଗୃହୀତ ଆବର୍ଜନାର ସର୍ଭେ (କେତେ ଓ କେଉଁ କିସମର ଆବର୍ଜନା ମିଳୁଛି, କେଉଁଠି ଏହାର ଉତ୍ସ, ନିରାକରଣ ପ୍ରସ୍ତାବ) କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। ଯାହା ଫଳରେ ନିରାକରଣ ପାଇଁ ବିଭିନ୍ନ ସ୍ତରରେ ଏକାଧିକ ଯୋଜନା କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ସମ୍ଭବପର ହେଉଛି।
ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସୁଛି। ସେ ବାତ୍ୟା ହେଉ କି ବନ୍ୟା, ପ୍ରତିଟି ବିପର୍ଯ୍ୟୟ ପରେ ବିଭିନ୍ନ ଜଳସ୍ରୋତ ଦେଇ ଆବର୍ଜନା ବୋହି ଆସି ସମୁଦ୍ରରେ ପତିତ ହୁଏ। ଏଥିସହ ପର୍ଯ୍ୟଟକ, ସାଧାରଣ ଜନତା, ପୂଜାପାର୍ବଣ ପରେ ନଦୀ- ନାଳ- କେନାଲରେ ଫୋପାଡ଼ି ଦିଆଯାଉଥିବା ଆବର୍ଜନା ମଧ୍ୟ ଶେଷକୁ ଆସି ସମୁଦ୍ରରେ ପଡ଼ିଥାଏ। ଯଦି ସମୁଦ୍ରତଳ ଆବର୍ଜନାରେ ଭରିଯାଏ, ତେବେ ଅଚିରେ ସମୁଦ୍ର ଜଳ ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସିବ। ସମୁଦ୍ରତଟ କ୍ଷୟ ଭଳି ସଙ୍କଟ ଅଧିକ ଗୁରୁତର ହେବ। ଏଣୁ ଜନସାଧାରଣ ନିଜେ ସଚେତନ ହୋଇ ଆବର୍ଜନା ଉଚିତ ପରିଚାଳନା ଦ୍ଵାରା ଏଭଳି ସଙ୍କଟକୁ ଅନେକ ମାତ୍ରାରେ ହ୍ରାସ କରିପାରିବେ ବୋଲି କହନ୍ତି ପରିବେଶବିତ୍ ଓ ବୁଦ୍ଧିଜୀବୀ। ଉଲ୍ଲେଖଯୋଗ୍ୟ ଯେ- ବେଳାଭୂମି ସଫେଇ ଅବସରରେ ଛାତ୍ରଛାତ୍ରୀ, ପରିବେଶପ୍ରେମୀ, ସ୍ଥାନୀୟ ଲୋକ ମିଳିତ ଭାବେ ସଚେତନତା ଶୋଭାଯାତ୍ରା କରିଥିଲେ।
ଏହା ସ୍ପଷ୍ଟ ଯେ- ଲୋକଙ୍କ ସଚେତନତା ଅଭାବରୁ ଆବର୍ଜନା ଏଣେତେଣେ ଫୋପାଡ଼ି ଦିଆଯାଉଥିବାରୁ ସମସ୍ୟାର ଉତ୍ପତ୍ତି ହେଉଛି। ମାନବ ହିଁ ଆବର୍ଜନା ଖେଳାଇ ନିଜ ପାଇଁ ନିଜେ ସଙ୍କଟ ସୃଷ୍ଟି କରୁଛି, ଏହା ନିଶ୍ଚିତ। ଆବର୍ଜନା ସମୁଦ୍ରରେ ମିଶିଲେ ସେହି ବିଷକୁ ଜଳଜୀବ ଭକ୍ଷଣ କରୁଛନ୍ତି। ସେମାନଙ୍କୁ ମନୁଷ୍ୟ ଖାଉଛି। ଫଳରେ ଖାଦ୍ୟ ଶୃଙ୍ଖଳରେ ବିଷ ଖେଳିଯାଉଛି। ଜଳଜୀବ ମଲା ପରେ ସମୁଦ୍ରକୂଳରେ ଲାଗି ଭୂଭାଗକୁ ପ୍ରଦୂଷିତ କରୁଛନ୍ତି। ଦିନକୁ ଦିନ ଭୂଭାଗର ଶକ୍ତି ଉତ୍ସ କ୍ଷୟ ତଥା ସଙ୍କୁଚିତ ହେଉଥିବା ବେଳେ ମନୁଷ୍ୟ ସାମୁଦ୍ରିକ ସମ୍ବଳ ବା ଶକ୍ତି ଉତ୍ସ ଉପରେ ଅଧିକରୁ ଅଧିକ ନିର୍ଭର କରୁଛି। ମାତ୍ର ଏ ଦିଗରେ ସାମୁଦ୍ରିକ ଆବର୍ଜନା ବାଧକ ସାଜିବା ଆଶଙ୍କା କରାଯାଉଛି। ଆଉ ଏହାର ସମାଧାନର ପନ୍ଥା ବି ମାନବ ସମାଜ ପାଖରେ ହିଁ ଉପଲବ୍ଧ। ସଠିକ୍ ଆବର୍ଜନା ପରିଚାଳନା ହିଁ ଏହି ବିପତ୍ତିର ପ୍ରତିକାର ଉପାୟ ଅଟେ। ଜନସାଧାରଣ ଯେଉଁ ପର୍ଯ୍ୟନ୍ତ ସଚେତନ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ବେଳାଭୂମି ପରିବେଶ ସ୍ୱଚ୍ଛ ଓ ସୁନ୍ଦର ରହିବ ନାହିଁ। ନିଜେ ସଚେତନ ରହିବା ସହ ପ୍ଲାଷ୍ଟିକ୍ ଓ ପଲିଥିନ୍ମୁକ୍ତ କରିବା ପାଇଁ ସମାଜକୁ ବ୍ୟାପକ ଭାବେ ସଜାଗ କରିବା ଆବଶ୍ୟକ।