ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଅତ୍ୟାଧୁନିକ ବିଦ୍ୟୁତ ଗ୍ରାହକ ସେବା ବ୍ୟବସ୍ଥା ଆରମ୍ଭ | News Room Odisha

ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଅତ୍ୟାଧୁନିକ ବିଦ୍ୟୁତ ଗ୍ରାହକ ସେବା ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ବର: ବିଦ୍ୟୁତ ଗ୍ରାହକ ମାନଙ୍କୁ ଗୁଣାତ୍ମକ ସେବା ଯୋଗାଣ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ବରୁପ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅତ୍ୟାଧୁନିକ ଗ୍ରାହକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ରାଜ୍ୟ ଲୋକସେବା ଭବନ ସଭାଗୃହରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ ମହାପାତ୍ର କହିଲେ ଯେ ” ପ୍ରଯୁକ୍ତିବିଦ୍ୟା ଆଧାରିତ ଏହି ନୂଆ ବ୍ୟବସ୍ଥା ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ । ଏଥିରେ ସ୍ମାର୍ଟ ମିଟର ରିଡିଂ, ସ୍ମାର୍ଟ ଗ୍ରୀଡ୍ , ପ୍ରି – ପେଡ୍ ମୋଡ୍ ସହ ଛାତ ଉପର ସୌର ପ୍ରକଳ୍ପରୁ ଉତ୍ପନ ୟୁନିଟ୍‌ର ସଠିକ୍ ହିସାବ ଆଦିର ବ୍ୟବସ୍ଥା ସନ୍ନିବେଶିତ ହୋଇଛି ” । ବ୍ୟବସ୍ଥାଟିକୁ “ ପୂର୍ଣ୍ଣମାତ୍ରାରେ ୩୬୦ ଡିଗ୍ରୀ ତୃଟି ମୁକ୍ତ ଓ ଦୃଶ୍ୟମାନ କରି ସେବାଯୋଗାଣରେ ଗୁଣାତ୍ମକ ରୂପାନ୍ତରଣ ସହ ବିଦ୍ୟୁତ ଯୋଗାଣରେ ହେଉଥିବା ବୈଷୟିକ ଓ ବ୍ୟବସାୟିକ ( ଏ. ଆଣ୍ଡ.ଟି ) କ୍ଷତି କମାଇବା ପାଇଁ ମହାପାତ୍ର ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ କହିଥିଲେ ଯେ ନୂଆ ବ୍ୟବସ୍ଥା ରାଜ୍ୟର ପ୍ରାୟ ୭୩ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ତ୍ଵରିତ ବିଦ୍ୟୁତ ସଂଯୋଗ , ନିର୍ଭୁଲ ବିଲ୍ , ବିଭିନ୍ନ ମୋଡ୍‌ରେ ଅନ୍‌ଲାଇନ୍ ବିଲ୍ ପୈଠ ବ୍ୟବସ୍ଥା ଆଦି ଯୋଗାଇବ । ଏହା ଛଡ଼ା ସ୍ବତନ୍ତ୍ର ଗ୍ରାହକ ସେବାକେନ୍ଦ୍ର , କେନ୍ଦ୍ରୀୟ ହେଲପ୍ – ଡେକ୍ସ ଏବଂ ଅତ୍ୟାଧୁନିକ ଡାଟା ସେଟର ଆଦିର ବ୍ୟବସ୍ଥା ରହିବ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ଏହି ନୂଆ ବ୍ୟବସ୍ଥାରେ ଗ୍ରାହକ ସୁବିଧା ପାଇଁ ବହୁ – ମୁଖୀ ପ୍ରଯୁକ୍ତି – ବିଦ୍ୟା ମଡେଲ୍ ପ୍ରୟୋଗ କରାଯାଇଛି । କ୍ଲାଉଡ୍ ରେ ଆପଦକାଳୀନ ତଥ୍ୟ ପୁନରୁଦ୍ଧାର ବ୍ୟବସ୍ଥା ରହିଛି । ଟି.ପି.ଏନ୍.ଓ. ଡି . ଏଲ୍ ( ପୂର୍ବର ନେସ୍କୋ ) , ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ୍ ( ପୂର୍ବର ୱେସ୍କୋ ) ଏବଂ ଟି.ପି.ଏସ୍ , ଓ.ଡି.ଏଲ୍ ( ପୂର୍ବର ସାଉଥକେ ) ଅଂଚଳ ଅନ୍ତର୍ଭୁକ୍ତ ୫୧୭ଟି ବିଦ୍ୟୁତ ବିତରକ କଂପାନୀ କାର୍ଯ୍ୟାଳୟକୁ ପ୍ରଯୁକ୍ତିବିଦ୍ୟା , କମ୍ପ୍ୟୁଟର ଏବଂ ନେଟଓ୍ବାର୍କ ଯନ୍ତ୍ରପାତି ଆଦି ସହ ନବୀକୃତ କରାଯିବ ।

ସମନ୍ବିତ ବିଦ୍ୟୁତ ଯୋଗାଣ ବିକାଶ ପ୍ରକଳ୍ପରେ କରାଯାଇଥିବା ଏହି ନୂଆ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୧୧୭ କୋଟି ଏବଂ କେନ୍ଦ୍ର ସରକାର ୪୨ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଡିଜିଟାଲ୍ ଏବଂ ଅନ୍‌ଲାଇନ୍‌ ମୋଡ୍‌ରେ ବିଭିନ୍ନ ବିଦ୍ୟୁତ୍ ସେବା ଯୋଗାଣ ହେବ । ବିତରକ କଂପାନୀମାନଙ୍କର ବିଭିନ୍ନ ଡିଭିଜନ୍‌ରେ ଥିବା ଯନ୍ତ୍ରପାତି , ଉପକରଣ ଏବଂ ଅନ୍ୟାନ୍ୟ ଅବ୍ୟବହୃତ ସାଧନର ରିଅଲ୍ ଟାଇମ୍ ତଥ୍ୟ ମିଳି ପାରିବ । ଫଳରେ ଆବଶ୍ୟକ ସ୍ଥାନକୁ ଏହା ତୁରନ୍ତ ନିଆଯାଇ କାମରେ ଲଗାଯାଇ ପାରିବ । ନୂଆ ବିଦ୍ୟୁତ୍ ସଂଯୋଗ , ବିଲ୍‌ ପେମେଣ୍ଟ , କୌଣସି ସଂଶୋଧନ ଆଦି ବିଷୟରେ ଗ୍ରାହକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତି ପର୍ଯ୍ୟାୟରେ ପ୍ରତିଟି ସଦ୍ୟତନ ସ୍ଥିତି ଜାଣିପାରିବେ । ପ୍ରତି ବିତରକ କଂପାନୀ ଅଂଚଳରେ ସ୍ବତନ୍ତ୍ର ଗ୍ରାହକ ସେବା କେନ୍ଦ୍ର କାର୍ଯ୍ୟ କରିବ ।

ନୂଆ ବ୍ୟବସ୍ଥା ମାଧ୍ୟମରେ ସେବା ଯୋଗାଣର ଗୁଣାତ୍ମକ ମାନ ବଢ଼ାଇବା ସହ ବିଦ୍ୟୁତ୍‌ ଯୋଗାଣରେ ବୈଷୟିକ ଏବଂ ବ୍ୟବସାୟିକ ( ଏ .ଆଣ୍ଡ.ଟି ) କ୍ଷତିକୁ ବର୍ତ୍ତମାନର ୩୦ ପ୍ରତିଶତରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ କମାଇବାର ଲକ୍ଷ୍ୟ ରଖାଯାଇଛି । ବାର୍ଷିକ ୨ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ଏ.ଆଣ୍ଡ.ଟି କ୍ଷତି କମାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଓଡ଼ିଶା ବିଦ୍ୟୁତ୍‌ ସରବରାହ ନିଗମ ଲିଃ ( ଓ.ପି.ଟି.ସି.ଏଲ୍ ) ର ବରିଷ୍ଠ ଅଧିକାରୀ ପ୍ରକାଶ କରିଥିଲେ । ଓ.ପି.ଟି.ସି ଏଲ୍ ମାଧ୍ୟମରେ ପ୍ରସ୍ତୁତ ଏହି ନୂଆ ବ୍ୟବସ୍ଥା ଫ୍ଲୁଏଣ୍ଟଗ୍ରୀଡ୍ ଏବଂ ବୋସେକ୍ ଇଣ୍ଡିଆ ବୈଷୟିକ ସହଯୋଗିତାରେ ପରିଚାଳିତ ହେବ ।

ଅନ୍ୟମାନଙ୍କ ମଧ୍ୟରେ ଓ.ପି.ଟି.ସି.ଏଲ୍ ର ପରିଚାଳନା ନିର୍ଦ୍ଦେଶକ ସଂଜୟ ମିଶ୍ର , ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଭଦ୍ରେଶଭାଇ ମେହେଟ୍ଟା ଜେନେରାଲ ମ୍ୟାନେଜର ପ୍ରିୟଦର୍ଶନ ପାତ୍ରଙ୍କ ସମେତ ଟାଟା ପାୱାର ବିତରକ କଂପାନୀମାନଙ୍କର ବରିଷ୍ଠ ଅଧିକାରୀମାନେ ଏହି ଶୁଭାରମ୍ଭ ସଭାରେ ଯୋଗଦେଇଥିଲେ ।