ଶ୍ରୀକ୍ଷେତ୍ର ଐତିହ୍ୟ: ପୌର୍ଣ୍ଣମାସୀ ମଠ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହି ମଠର ଆରାଧ୍ୟ ହେଉଛନ୍ତି ଶ୍ରୀଶ୍ରୀପୌର୍ଣ୍ଣମାସୀ | News Room Odisha

ଶ୍ରୀକ୍ଷେତ୍ର ଐତିହ୍ୟ: ପୌର୍ଣ୍ଣମାସୀ ମଠ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏହି ମଠର ଆରାଧ୍ୟ ହେଉଛନ୍ତି ଶ୍ରୀଶ୍ରୀପୌର୍ଣ୍ଣମାସୀ

ବାଲି ସାହି ଅନ୍ତର୍ଗତ ଶ୍ଵେତଗଙ୍ଗା ପୁଷ୍କରିଣୀ  ନିକଟରେ ରହିଛି ପ୍ରସିଦ୍ଧ ଗଙ୍ଗମାତା ମଠ। ଏହି ମଠର ବାମ ଦିଗରେ ରହିଛି ଅନ୍ୟ ଏକ ମଠ  ଯାହାର ନାମ ପୌର୍ଣ୍ଣମାସୀ ମଠ ।

ଏହି ମଠଟି ଗୌଡିୟ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ମଠରେ ପୂଜା ପାଉଛନ୍ତି   ଶ୍ରୀରାଧାକୃଷ୍ଣ , ପତିତପାବନ, ରାମ, ଲକ୍ଷ୍ମଣ, ସୀତା ଓ ଆହୁରି ଅନେକ ଦେବା ଦେବୀଓ ଅନେକ ଶାଳଗ୍ରାମ । ଏ ମଠର ସ୍ବତନ୍ତ୍ରତା ହେଉଛି ଏହିସବୁ ଦେବ ବିଗ୍ରହଙ୍କ ସହ ଏଠାରେ ପୂଜା ପାଉଛନ୍ତି  ମା ଯୋଗମାୟା ପୌର୍ଣ୍ଣମାସୀ ।  ଶ୍ରୀଶ୍ରୀପୌର୍ଣ୍ଣମାସୀ ହେଉଛନ୍ତି ଏହି ଆସ୍ଥାନର ଅଧିପତି ଦେବୀ।

ଗୌଡିୟ ବୈଷ୍ଣବୀୟ ଧାରାରେ ଶ୍ରୀଶ୍ରୀପୌର୍ଣ୍ଣମାସୀ ହେଉଛନ୍ତି ଘଟଣ  ଅଘଟଣ ପଟିୟଶୀ। ଭଗବାନ ଶ୍ରୀକୃଷ୍ଣଙ୍କ ବୃନ୍ଦାବନ ସବୁଲିଳାର ସିଏ ସଂଯୋଗ କାରିଣୀ। ଏହି ଯୋଗମାୟାଙ୍କ ଅନୁମତି ବିନା ଭଗବାନଙ୍କ ଦିବ୍ୟଳିଲାରେ କାହାର ପ୍ରବେଶର ଅଧିକାର ନାହିଁ। ଏପରିକି ଶିବ, ନାରଦ, ବିରଞ୍ଚିଙ୍କ ମଧ୍ୟ ଅଧିକାର ବି ନାହିଁ। ଏ ସମସ୍ତେ ମଧ୍ୟ ଯୋଗମାୟାଙ୍କ ଆଶ୍ରିତ ହୋଇ ତାଙ୍କ ଅନୁମତିରେ ଭଗବାନଙ୍କ ଦିବ୍ୟଳିଲା ଦର୍ଶନରେ ସମର୍ଥବାନ ଅଟନ୍ତି। ଶ୍ରୀକ୍ଷେତ୍ରର ଅନେକ ମଠ ଭିତରେ ଏହି ଆସ୍ଥାନରେ ଶ୍ରୀଶ୍ରୀପୌର୍ଣ୍ଣମାସୀ ବିଗ୍ରହ ପ୍ରତ୍ୟକ୍ଷ ରେ ଦର୍ଶନୀୟ। ଏହି ଦେବୀଙ୍କ ପ୍ରତିଷ୍ଠା ସମ୍ଭନ୍ଧ ରେ ଏଠାରେ ରହିଛି ଏକ ସୁନ୍ଦର କଥାବସ୍ତୁ

ଜଣେ  ମାଆ ଏଠାରେ ବୈଷ୍ଣବୀ ଦୀକ୍ଷା ନେଇ କିଛି  ଠାକୁର ରଖି ପୂଜା କରୁଥିଲେ। ସମୟ କ୍ରମେ ସିଏ ଶ୍ରୀଧାମ ବୃନ୍ଦାବନ ଦର୍ଶନ ଲାଳସାରେ ଯାଇଥିଲେ । ନିଜର ଭଜନ ନିଷ୍ଠା ବଳରେ ସେଇ ବୃନ୍ଦାବନରେ ତାଙ୍କର ଯୋଗମାୟା ଶ୍ରୀଶ୍ରୀପୌର୍ଣ୍ଣମାସୀଙ୍କ ପ୍ରତ୍ୟକ୍ଷ ଦର୍ଶନ ଲାଭ ହୋଇଥିଲା। ସେଇ ବୈଷ୍ଣବୀ ମାଆଙ୍କୁ  ଶ୍ରୀଶ୍ରୀପୌର୍ଣ୍ଣମାସୀ ଶ୍ରୀକ୍ଷେତ୍ରରେ ରହି ଭଜନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ମାଆ ଏଠାରେ ମଠ ସ୍ଥାପନକରି ଭଜନ କରିବାକୁ ଲାଗିଥିଲେ। ପ୍ରତିନିତ୍ୟ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ତାଙ୍କ ପ୍ରତ୍ୟକ୍ଷ ସାନିଧ୍ୟ ମଧ୍ୟ ଲାଭ କରିଥିଲେ।

ଏହି ମଠର ବିଶେଷତା ହେଉଛି ଏଠାରେ ଦୋଳ, ଝୁଲଣ, ଜନ୍ମାଷ୍ଟମୀ , ରାମ ନବମୀ ସହିତ ଶାରଦୀୟ ଦୁର୍ଗାପୂଜା ସମୟରେ ଏଠାରେ ଷୋଳପୂଜା ଅନୁଷ୍ଠିତ ହୋଇଥାଏ। ଶ୍ରୀଶ୍ରୀପୌର୍ଣ୍ଣମାସୀ ପରମ ବୈଷ୍ଣବୀ ହୋଇଥିବାରୁ ପୂର୍ଣ୍ଣ ସାତ୍ତ୍ୱିକ ରୀତିରେ ଏହିପୂଜା ସମ୍ପର୍ଣ୍ଣ ହୋଇଥାଏ। ଦୋଳ ପୂର୍ଣ୍ଣିମା ଏବଂ ଗିରିଗୋବର୍ଦ୍ଧନ ପୂଜାଦିନ ମଠରେ ସ୍ୱତନ୍ତ୍ର ଉତ୍ସବ ର ଆୟୋଜନ କରାଯାଇଥାଏ।

ପୂର୍ବତନ ମହନ୍ତ ମହାରାଜ ଅଦ୍ଵୈତ ଚରଣ ଦାସଙ୍କ ପରେ ଏହି ମଠର ବର୍ତ୍ତମାନ ମହନ୍ତ ନବଗୌରାଙ୍ଗ ଦାସ ସେବା ନିର୍ବାହ କରୁଛନ୍ତି।ମଠରେ ପ୍ରତ୍ୟହ ସାଧୁ ବୈଷ୍ଣବ ସେବା ସହ ଅତିଥି ଅଭ୍ୟାଗତ ସେବା ଚାଲିଛି।