ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ, ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ବିଭୋର | News Room Odisha

ଧବଳମୁଖୀ ବେଶରେ ମାଁ ସମଲେଶ୍ବରୀ, ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ବିଭୋର

ସମ୍ବଲପୁର : ସମ୍ବଲପୁରର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ଆଜି ପବିତ୍ର ଅମାବାସ୍ୟା ତଥା ପବିତ୍ର ମହାଳୟା ତିଥି ଅବସରରେ ଧବଳମୁଖୀ ଧାରଣ କରିଛନ୍ତି। ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ମିଳିନଥିଲା । ହେଲେ ଆଜି ଏହି ଅପୂର୍ବ ଦର୍ଶନ ପାଇ ଭକ୍ତ ଆତ୍ମବିଭୋର ହୋଇଉଠିଛି । ଆଜି ଭୋରରୁ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଛି ।

ଏବର୍ଷ ସଂପୂର୍ଣ କୋଭିଡ କଚକଣା ମଧ୍ୟରେ ଦର୍ଶନ ପାଇଁ ସୁଯୋଗ ଦେବାକୁ ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ନେଇଥିଲା । ହେଲେ ଏଥିପାଇଁ ସଂପୂର୍ଣ କୋଭିଡ ନିୟମ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଭକ୍ତମାନେ ସାମାଜିକ ଦୂରତ୍ବ ରଖି ବିନା ଭୋଗ ତଥା ପୂଜା ସାମଗ୍ରୀରେ କେବଳ ଦର୍ଶନ କରୁଛନ୍ତି । ଏଥିପାଇଁ ଆଜି ସକାଳ ୬ଟାରୁ ଦ୍ବାର ଖୋଲାଯାଇଥିବା ବେଳେ ସନ୍ଧ୍ୟା ସାଢେ ୭ଟା ଯାଏ ଦର୍ଶନ ଜାରି ରହିବ । କେବଳ ମାଁ ଙ୍କ ଭୋଗ ଅର୍ପଣ ସମୟରେ ବିରତି ରହିବ ବୋଲି ସ୍ଥିର ହୋଇଛି । ତେବେ ବୟସ୍କ, ଶିଶୁ, ଗର୍ଭବତୀ ମହିଳା ଏବଂ ରୋଗାଗ୍ରସ୍ତ ଲୋକଙ୍କୁ ନ ଆସିବାକୁ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଆହ୍ବାନ କରିଛନ୍ତି ।

ମହାଳୟା ଦିନ ଏହି ବେଶରେ ମାଁଙ୍କ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ବିଶ୍ଵାସ ରହିଛି ଯେ , ମହାଳୟାରେ ଗଙ୍ଗାରେ ପିତୃତର୍ପଣ କରିବାର ସୁଯୋଗରୁ ବଞ୍ଚିତ ହେଉଥିବା ଲୋକେ ମହାନଦୀରେ ତିଳତର୍ପଣ କରି ମାଁ ସମଲେଶ୍ବରୀଙ୍କ ଗଙ୍ଗାବେଶ ବା ଧବଳମୁଖୀ ବେଶ ଦର୍ଶନ କଲେ ଗଙ୍ଗାଦର୍ଶନର ପୂଣ୍ୟ ମିଳିଥାଏ । ଏହି ବେଶରେ ମାଁଙ୍କ ଦେହର ବର୍ଣ ସଂପୂର୍ଣ ଧଳା ବା ଧବଳ । ବର୍ଷତମାମ ସିନ୍ଦୁରଚଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ମାଁ ଗୋଟିଏ ଦିନ ପାଇଁ ଚନ୍ଦନ ଚର୍ଚ୍ଚିତା ହୋଇ ଦର୍ଶନ ଦେଇଥାନ୍ତି । ଆଉ ଏହି ବେଶ ଦର୍ଶନ ପାଇଁ ମନ୍ଦିରରେ ପ୍ରତିବର୍ଷ ହଜାର ହଜାର ଭକ୍ତଙ୍କ ଭିଡ ଲାଗିଥାଏ । ଗତକାଲି ବିଳମ୍ବିତ ରାତିରେ ପୂଜକମାନେ ମାଁଙ୍କ ଦେହରୁ ସିନ୍ଦୁର ଛଡାଇ ଚନ୍ଦନ ବୋଳିଥିଲେ । ଏହାଛଡା ମାଁଙ୍କୁ ଶୁଭ୍ର ବସ୍ତ୍ରରେ ଆଭୂଷିତ କରିଥିଲେ । ଆଉ ଭୋରରୁ ମାଁଙ୍କ ସମସ୍ତ ନୀତି ପରେ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ନେତ୍ରୁତ୍ବରେ ସମସ୍ତ ନୀତିକାନ୍ତି ସଂପନ୍ନ ହୋଇଥିଲା ।

ଗତବର୍ଷ କରୋନା କଟକଣା ଯୋଗୁଁ ଭକ୍ତ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଏବର୍ଷ ଧବଳମୁଖୀ ଦର୍ଶନର ସୁଯୋଗ ପାଇ ଭକ୍ତ ଆତ୍ମବିଭୋର ହୋଇଯାଇଛି ।

ଭକ୍ତଙ୍କ ଗହଳିକୁ ଦେଖି ଜଣେ ଅତିରିକ୍ତ ଏସପି, ୨ଜଣ ଡିଏସପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ନେତ୍ରୁତ୍ବରେ ୧୩ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଭକ୍ତଙ୍କୁ ବିନା ମାକ୍ସରେ ବାରଣ କରାଯାଇଛି । ମନ୍ଦିର ବାହାରୁ ଭିତର ଯାଏ ବ୍ୟାରିକେଡିଂ କରାଯାଇଛି । ତେବେ ମନ୍ଦିର ଭିତରକୁ କୌଣସି ପୂଜା ସାମଗ୍ରୀ ତଥା ଭୋଗ ନେବାକୁ ବାରଣ କରାଯାଇଛି ।