ଆଜିଠାରୁ ନବରାତ୍ର ପୂଜା, ନବରାତ୍ରରେ ପୂଜା ପାଇବେ ନବଦୁର୍ଗା, ପ୍ରଥମଦିନର ଦେବୀ ହେଉଛନ୍ତି ମା’ ଶୈଳପୁତ୍ରୀ | News Room Odisha

ଆଜିଠାରୁ ନବରାତ୍ର ପୂଜା, ନବରାତ୍ରରେ ପୂଜା ପାଇବେ ନବଦୁର୍ଗା, ପ୍ରଥମଦିନର ଦେବୀ ହେଉଛନ୍ତି ମା’ ଶୈଳପୁତ୍ରୀ

ଆଜି ଠାରୁ ଆରମ୍ଭ ହେଲା ଆଶ୍ବିନ ଶୁକ୍ଳ ପକ୍ଷର ଶାରଦୀୟ ନବରାତ୍ରି ପୂଜା। ନବରାତ୍ରିର ପ୍ରଥମ ଦିନ ପୂଜା ପାଇବେ ମା’ ଶୈଳପୁତ୍ରୀ ।

ଶୈଳରାଜ ହିମାଳୟଙ୍କ କନ୍ୟା ଶୈଳପୁତ୍ରୀ । ଏହା ପାର୍ବତୀଙ୍କର ବାଲ୍ୟ କାଳର ପରିକଳ୍ପନା । ନାରୀର ବାଲ୍ୟ ଜୀବନର ସୋପାନ ସହିତ ମାଆଙ୍କ ଏହିରୂପ ଜଡ଼ିତ । ବାଲ୍ୟାବସ୍ଥାରେ ଶିଶୁକନ୍ୟାଟି ଅବୋଧବ ଓ ନିଷ୍ପାପ ଥାଏ । ଏହି ସମୟରୁ ପ୍ରକୃତିର ଶକ୍ତି ତା ମଧ୍ୟରେ ସଂଚରିତ ହୁଏ । ତାହା ହିଁ ପରା ଶକ୍ତି। ପୌରାଣିକ କଥା ଆଧାରରେ ପୂର୍ବ ଜନ୍ମରେ ସେ ସତୀ ନାମରେ ପରିଚିତ ଥିଲେ । ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ କୁଣ୍ଡରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ ।

ନବରାତ୍ରୀର ପ୍ରଥମ ଦିନ, ମାଆଙ୍କୁ ପୂଜା କଲେ ସାଧକର ମୁଳାଧାର ଚକ୍ର ଜାଗ୍ରତ ହୋଇ ସାଧକକୁ ଅନେକ ସିଦ୍ଧି ପ୍ରାପ୍ତ ହୋଇଥାଏ । ଜୀବନର ସମସ୍ତ କଷ୍ଟ ଓ ଦୁଃଖ ମଧ୍ୟ ତାଙ୍କର ଦୂର ହୋଇଥାଏ । ଶୁକ୍ଲା ପ୍ରତିପଦାରେ କଳଶ ସ୍ଥାପନା କରି ମାଆଙ୍କର ପୂଜା ଆରମ୍ଭ କରାଯାଏ । ଏହି ପୂଜା ସମୟରେ ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ ।

ସକଳ ଶକ୍ତିର ଆଧାର ସୂର୍ଯ୍ୟ ମହାଗ୍ରହଙ୍କ ନିମନ୍ତେ ଦୂର୍ଗାଙ୍କର ଏହି ରୂପର ଆରାଧନା କରା ଯାଇଥାଏ। ଯେଉଁ ମାନଙ୍କ କ୍ଷେତ୍ରରେ ରବିଗ୍ରହ ପୀଡା( ସୂର୍ଯ୍ୟ ) ଥାଏ ସେମାନେ ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହଙ୍କ ଆର୍ଶିବାଦ ପ୍ରାପ୍ତି ହୋଇଥାଏ । ଏହା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ମିଳିଥାଏ । କହିବାକୁ ଗଲେ ଦୈବୀ କୃପା ଲାଭ ପାଇଁ ସାଧକ ଏକାନ୍ତ ଚିତ୍ତରେ ନିଜର ମୂଳଧାର ଚକ୍ରକୁ ଜାଗ୍ରତ କରିବାକୁ ହେଲେ ଏହାର ଅଧିଷ୍ଠାତ୍ରୀ ଦେବୀ ମାଆ ଶୈଳପୁତ୍ରୀଙ୍କ ଆଶୀର୍ବାଦ ନିହାତି ଆବଶ୍ୟକ। ନବରାତ୍ର ପ୍ରଥମ ଦିବସର ଏହାହିଁ ଅନ୍ତର୍ନିହିତ ଉଦ୍ଧେଶ୍ୟ।